ଦାଉଦର ଘର ରହିଛି ଭଙ୍ଗାଯାଉଛି କଙ୍ଗନାଙ୍କ ଘର : ଫଡନାଭିସ୍

ମୁମ୍ବାଇ : ମହାରାଷ୍ଟ୍ରରେ ଶିବସେନା ଓ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିବାଦ ତେଜିବାରେ ଲାଗିଛି। ମହାରାଷ୍ଟ୍ର ସରକାରଙ୍କ ଆକ୍ରୋଶମୂଳକ ପଦକ୍ଷେପକୁ ଅନେକ ନାପସନ୍ଦ କରୁଥିବାରୁ କଙ୍ଗନା ସପକ୍ଷବାଦୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବଦନାମ ହେଉଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଏହି ବିବାଦୀୟ ପରିସ୍ଥିତିର ଫାଇଦା ବିଜେପି ଉଠାଉଛି। କାରଣ ଏଠାରେ ଶିବସେନା-କଂଗ୍ରେସ ମିଳିତ ସରକାର ଥିବାରୁ ଏହାର ପ୍ରଭାବ ଅନ୍ୟ ରାଜ୍ୟର କଂଗ୍ରେସକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି।

ଏହି ବିବାଦୀୟ ପରିସ୍ଥିତି ଭିତରେ ଶୁକ୍ରବାର କଙ୍ଗନାଙ୍କ ସପକ୍ଷରେ ବାହାରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍। କଙ୍ଗନାଙ୍କ ଅଫିସ୍ ଭାଙ୍ଗିବା ପ୍ରସଙ୍ଗରେ ସେ ଉଦ୍ଧବ ଠାକରେଙ୍କୁ କରିଛନ୍ତି ଟାର୍ଗେଟ। ଆଉ କହିଛନ୍ତି ଦାଉଦ ଇବ୍ରାହିମ ଘର ଭଙ୍ଗା ଯାଉ ନାହିଁ ମାତ୍ର କଙ୍ଗନାଙ୍କ ଘର ଭଙ୍ଗାଯାଉଛି। ଏ ସମସ୍ତ ମାମଲାକୁ ଶିବସେନା ବଢ଼ାଇଥିବାରୁ ମହାରାଷ୍ଟ୍ର ସରକାର କଙ୍ଗନାଙ୍କ ସହ ଲଢ଼ୁଛନ୍ତି ବୋଲି ଫଡନାଭିସ୍ କହିଛନ୍ତି।

କେବଳ ସେତିକି ନୁହେଁ ଏହି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ରାମଦାସ ଉଠାବଲେ ମହରାଷ୍ଟ୍ର ରାଜ୍ୟପାଳଙ୍କ ସହ ଦେଖା କରିଛନ୍ତି। ବିଏମସି ଦ୍ଵାରା କଙ୍ଗନାଙ୍କ ଅଫିସ ଭାଙ୍ଗିବା ଭୁଲ ବୋଲି କହିବା ସହିତ ତାଙ୍କୁ ସହାୟତା ରାଶି ଦେବା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିଛନ୍ତି। ଗତକାଲି ରାମଦାସ କଙ୍ଗନାଙ୍କ ଘରେ ପ୍ରାୟ ୧ ଘଣ୍ଟା ଆଲୋଚନା କରିଥିଲେ। ସେ କଙ୍ଗନାଙ୍କ ସୁରକ୍ଷା ଦେବା ଦାବି କରିବା ସହ ଯଦି ସେ ରାଜନୀତିକୁ ଆସିବାକୁ ଇଚ୍ଛୁକ ତେବେ ବିଜେପି ଓ ଆରପିଆଇ ତାଙ୍କର ସ୍ଵାଗତ କରିବ ବୋଲି କହିଛନ୍ତି।

ମତାମତ ଦିଅନ୍ତୁ ।