ଭିଡିଓରେ ଦେଖନ୍ତୁ > କୋର୍ଟରେ ଜଜ୍ଙ୍କୁ ପ୍ରପୋଜ୍ କଲା ଅଭିଯୁକ୍ତ

ନୂଆଦିଲ୍ଲୀ : ସୁନ୍ଦରୀ ଜଜଙ୍କୁ ‘ଫ୍ଲର୍ଟ’ କରିବାକୁ ବି ପଛାଇଲାନି କୁଖ୍ୟାତ ଅଭିଯୁକ୍ତ। ଶୁଣାଣି ବେଳେ ଜଜ୍ଙ୍କୁ ଅଭିଯୁକ୍ତ କହିଲା ‘ଆଇ ଲଭ୍ ୟୁ।’ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓଟି ଫ୍ଲୋରିଡାର ବ୍ରୋବାର୍ଡ କାଉଣ୍ଟିରେ ଥିବା ଏକ କୋର୍ଟର ବୋଲି କୁହାଯାଉଛି। ଯେ କେହି ବି ଏହି ଭିଡିଓ ଦେଖିଲେ ନିଜ ହସକୁ ରୋକିପାରିବନି। ଏହା ସହ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ।
ଟାଇମ୍ସ ନାଓରେ ପ୍ରକାଶିତ ଖବର ଅନୁଯାୟୀ, ଅନଲାଇନ୍ ଶୁଣାଣି ବେଳେ ଚୋରି ଅଭିଯୁକ୍ତକୁ ଜଜ୍ଙ୍କ ସାମ୍ନାରେ ହାଜର କରାଯାଇଥିଲା। ଅଭିଯୁକ୍ତ ଜଣଙ୍କ ଜଜ୍ଙ୍କୁ ଦେଖି ନିଜର ଭାବନାକୁ ରୋକି ପାରିନଥିଲା। ବହୁତ ସୁନ୍ଦର ଦେଖାଯାଉଛ ବୋଲି କହିବା ସହ ଜଜଙ୍କୁ ‘ଆଇ ଲଭ୍ ୟୁ’ ବୋଲି କହିଥିଲା। ଜଜ୍ ମଧ୍ୟ କିଛି ସମୟ ପାଇଁ ହଇରାଣରେ ପଡ଼ିଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି। ହସି ହସି ଅଭିଯୁକ୍ତକୁ ଦଣ୍ଡ ଶୁଣାଇଲେ ଜଜ୍।
ସୂଚନା ଅନୁଯାୟୀ, ଅଭିଯୁକ୍ତ ଡେମୋଟ୍ରିୟସ୍ ଲୋବିସ୍କୁ ଗୁରୁବାର ଜୁମ୍ କଲ୍ ମାଧ୍ୟମରେ ଜଜ୍ ତବୀଥା ବ୍ଲାକମୋନ୍ଙ୍କ ସାମ୍ନାରେ ହାଜର କରାଯାଇଥିଲା। ଏହି ସମୟରେ ଲୋବିସ ଉପରେ ଥିବା ମାମଲା ଉପରେ ଶୁଣାଣି ହେଉଥିଲା। ଗୋଟିଏ ଘରେ ପଶି ଚୋରି କରିବାକୁ ଉଦ୍ୟମ କରିଥିବା ନେଇ ଲୋବିସ ଉପରେ ମାମଲା ଥିଲା । ଏହି ମାମଲାରେ ଯେମିତି ଜଜ୍ ଶୁଣାଣି ଆରମ୍ଭ କରିଛନ୍ତି , ଅଭିଯୁକ୍ତ ତାଙ୍କୁ ରୋକିବା ସହ କହିଥିଲା, ‘ ଜଜ୍ ଆପଣ ବହୁତ ସୁନ୍ଦର। ମୋତେ ଆପଣଙ୍କୁ କେବଳ କହିବାର ଅଛି, ଆପଣ ବହୁତ ସୁନ୍ଦର। ଆଇ ଲଭ୍ ୟୁ ଜଜ୍। ମୁଁ ଆପଣଙ୍କୁ ପ୍ରେମ କରୁଛି।’ ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।