ଦେଶର ୧୫୦ ଜିଲ୍ଲାରେ ସଂକ୍ରମଣ ହାର ୧୫ ପ୍ରତିଶତ : ଲକଡାଉନ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପ୍ରସ୍ତାବ

0

ନୂଆଦିଲ୍ଲୀ : ଦେଶରେ ବୁଧବାର ସର୍ବାଧିକ କରୋନା ସଂକ୍ରମଣ ୩ ଲକ୍ଷ ୬୦ ହଜାର ୯୬୦ରେ ପହଁଚିଛି। ମହାରାଷ୍ଟ୍ରରୁ ସର୍ବାଧିକ ୬୬ ହଜାର ଓ ଉତ୍ତରପ୍ରଦେଶରେ ଏହି ସଂଖ୍ୟା ପ୍ରାୟ ୩୩ ହଜାର ରହିଛି। ଦିନକୁ ଆକ୍ରାନ୍ତଙ୍କ ସଂଖ୍ୟା ବାଢୁଥିବାରୁ ଦେଶରେ ୧୫୦ଟି ଜିଲ୍ଲା ଉପରେ ରହିଛି ଫୋକସ। ଏହି ଜିଲ୍ଲାରେ କରୋନା ପଜିଟିିଭିଟି ହାର ୧୫ ପ୍ରତିଶତରୁ ଅଧିକ। ଯାହା ଫଳରେ ସ୍ଥିତି ଅଣାୟତ୍ତ ଆଡକୁ ମୁହାଁଉଛି। ଏହାକୁ ଦୃଷ୍ଟିରେ ରଖି ଏ ସବୁ ଜିଲ୍ଲାକୁ ଲକଡାଉନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରସ୍ତାବ ଦେଇଛି।

କେବଳ ସେତିକି ନୁହେଁ ମଙ୍ଗଳବାର ବସିଥିବା ଉଚ୍ଚସ୍ତରୀୟ ବୈଠକରେ ୧୫୦ ଜିଲ୍ଲାରେ କେତେକ ଜରୁରୀ ସେବାକୁ ଛାଡି ଦେଲେ ଅନ୍ୟ ସମସ୍ତ ସେବା ବାତିଲ କରିବାକୁ ପ୍ରସ୍ତାବ ଦିଆଯାଇଛି। ତେବେ ଲକଡାଉନ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି କରୋନା ସ୍ଥିତିର ଅନୁଧ୍ୟାନ ପରେ ଯେଉଁ ସବୁ ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି ସେହି ଜିଲ୍ଲାରେ କରୋନା ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ଲକଡାଉନ ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି।

ଅନ୍ୟପକ୍ଷରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଶରେ ବଢ଼ି ଚାଲିଛି। ବୁଧବାର ସୁଦ୍ଧା ଦେଶରେ ୨୯ ଲକ୍ଷରୁ ଅଧିକ ସକ୍ରିୟ ସଂକ୍ରମିତ ରହିଛି। ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, କେରଳ, ରାଜସ୍ଥାନ, ଗୁଜୁରାଟ, ଛତିଶଗଡ ଓ ତାମିଲନାଡୁରେ ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟାର ୬୯ ପ୍ରତିଶତ ରହିଛନ୍ତି। ସେହିପରି ୨୪ ଘଣ୍ଟାରେ ୩ ହଜାର ୨୯୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୧ ହଜାର ୧୮୭ରେ ପହଁଚିଛି। ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ କରୋନା ସର୍ବାଧିକ ଲୋକଙ୍କ ଜୀବନ ନେଇଛି।

Leave A Reply

Your email address will not be published.