ଦେଶର ରାଜଧାନୀ ଦିଲ୍ଲୀ ସବୁଠାରୁ ଅଧିକ ପ୍ରଦୂଷିତ

ନୂଆଦିଲ୍ଲୀ : ଭାରତର ରାଜଧାନୀ ନୂଆଦିଲ୍ଲୀ ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ। ସ୍ୱିସ୍ ସଙ୍ଗଠନ ପକ୍ଷରୁ ଜାରି କରାଯାଇଥିବା ଏୟାର କ୍ୱାଲିଟି ରିପୋର୍ଟ-୨୦୨୦ରେ ରହିଛି ଏହି ସୂଚନା। ସେହିପରି ବିଶ୍ୱର ପ୍ରଦୂଷିତ ୩୦ଟି ଅଧିକ ସହର ମଧ୍ୟରେ ଭାରତର ୨୨ଟି ସହର ରହିଛି।

ସ୍ୱିସ୍ ସଙ୍ଗଠନ ରିପୋର୍ଟ ଅନୁଯାୟୀ ୱାର୍ଲ୍ଡ କ୍ୟାପିଟାଲ ସିଟି ରାଙ୍କିଙ୍ଗରେ ଦିଲ୍ଲୀ ଶୀର୍ଷରେ ରହିଛି। ଏହା ତଳକୁ ରହିଛି ଢାକା ଓ ଉଲାନବଟାର। ତେବେ ୨୦୧୯ ଅପେକ୍ଷା ୨୦୨୦ରେ ଦିଲ୍ଲୀରେ ବାୟୁର ଗୁଣବତ୍ତାରେ ୧୫ ପ୍ରତିଶତ ସୁଧାର ଆସିଥିଲେ ହେଁ ସବୁଠାରୁ ପ୍ରଦୂଷିତ ସହର ତାଲିକାର ୧୦ମ ସ୍ଥାନରେ ରହିଛି। ଆହୁରି କୁହାଯାଇଛି ଗୁଣବତ୍ତାରେ ସୁଧାର ଆସିଥିଲେ ମଧ୍ୟ ଭାରତରେ ବାୟୁ ପ୍ରଦୂଷଣ ସ୍ଥିତି ବିପଦଜନକ ରହିଛି।

ଭାରତର ବାୟୁ ପ୍ରଦୂଷଣର ମୁଖ୍ୟ ଉତ୍ସ ହେଉଛି ପରିବହନ ଓ ରନ୍ଧନ ପାଇଁ ବ୍ୟବହାର ହେଉଥିବା ଜାଳେଣି, ଶିଳ୍ପ, ନିର୍ମାଣ, ବର୍ଜ୍ୟବସ୍ତୁ ଦହନ ଏବଂ ସମୟ ସମୟରେ ନଡା ଜଳାଇବା। ଦିଲ୍ଲୀରେ ୨୦ରୁ ୩୦ ପ୍ରତିଶତ ବାୟୁ ପ୍ରଦୂଷଣ ପଞ୍ଜାବରେ ନଡ଼ା ଜଳିବା କାରଣରୁ ହୋଇଥାଏ ବୋଲି ଆକଳନ କରାଯାଉଛି। ଦିଲ୍ଲୀ ବ୍ୟତୀତ ଅଧିକ ପ୍ରଦୂଷିତ ଅଞ୍ଚଳ ତାଲିକାରେ ଗାଜିଆବାଦ, ବିଲନ୍ଦସହର, ନଏଡା, ଜଲାଲପୁର, ଗ୍ରେଟର ନଏଡା, କାନପୁର, ଲକ୍ଷ୍ନୌ, ମେରଟ, ଆଗ୍ରା, ମୁଜାଫରନଗର, ହିସାରା, ଭିୱଣ୍ଡି, ଫରିଦାବାଦ, ଫତେହାବାଦ, ଗୁରୁଗ୍ରାମ ଓ ଯମୁନା ନଗର ଆଦି ରହିଛି।

ସେହିପରି ବିଶ୍ୱର ଅଧିକ ପ୍ରଦୂଷିତ ୫୦ ଦେଶ ମଧ୍ୟରେ ରହିଛି ବାଙ୍ଗଲାଦେଶ, ଚୀନ, ପାକିସ୍ତାନ ଓ ଭାରତ। ଦେଶ ରାଙ୍କିଙ୍ଗରେ ବାଙ୍ଗଲାଦେଶର ସ୍ଥିତି ସବୁଠାରୁ ଖରାପ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ପାକିସ୍ତାନ ଓ ତୃତୀୟ ସ୍ଥାନରେ ଭାରତ ରହିଛି। ଚୀନର ଜିନ୍‌ଜିଆଙ୍ଗ ସହର ମଧ୍ୟ ସବୁଠାରୁ ଅଧିକ ପ୍ରଦୂଷିତ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button