ଧାନ ବିକ୍ରି ପ୍ରସଙ୍ଗ : ବିଧାୟକମାନେ ତାଲିକା ଦେଲେ ଧାନ କିଣାଯିବ-ମନ୍ତ୍ରୀ

ଭୁବନେଶ୍ୱର : ବିଧାନସଭାରେ ଆଜି ଧାନ ବିକ୍ରି ପ୍ରସଙ୍ଗ ଉଠିଛି। ସଦସ୍ୟମାନେ ମଣ୍ଡିରେ ଚାଷୀ ଧାନ ବିକ୍ରି କରିପାରୁନଥିବା ଅଭିଯୋଗ ଆଣିଛନ୍ତି। ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଟୋକନ୍ ବୈଧତା ସରିଯାଇଥିବାରୁ ଚାଷୀ ଧାନ ବିକ୍ରି କରିପାରିନଥିବା ବେଳେ ସବୁର ଯାଂଚ ଚାଲିଛି। ମୟୂରଭଞ୍ଜ, ନୂଆପଡ଼ା, ଦେବଗଡ଼, ବଲାଙ୍ଗିର, ନବରଙ୍ଗପୁର, ଗଜପତି ଓ ଭଦ୍ରକ ଆଦି ଜିଲ୍ଲାରେ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହୋଇଥିବା ସେ ପରୋକ୍ଷରେ ମଣିଛନ୍ତି। ଆଉ କହିଛନ୍ତି ବିଧାୟକମାନେ ତାଙ୍କ ଦୃଷ୍ଟିକୁ ଆଣି ତାଲିକା ଦେଲେ ଧାନ କିଣାଯିବ। ତେବେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିରୋଧୀ ସଦସ୍ୟମାନେ ଗୃହରେ ନାରାବାଜି କରିଥିବା ଦେଖାଯାଇଥିଲା।

ଶୁକ୍ରବାର ବିଧାନସଭାରେ ବିରୋଧୀ ସଦସ୍ୟମାନେ ମଣ୍ଡିରେ ଚାଷୀ ଧାନ ବିକ୍ରି କରିପାରୁନଥିବା ଅଭିଯୋଗ ଆଣି ହଟ୍ଟଗୋଳ କରିଥିଲେ। ଗୃହରେ ଅଚଳାବସ୍ଥା ସୃଷ୍ଟି ହେବାରୁ ଏହି ପ୍ରସଙ୍ଗରେ ବିଭାଗୀୟ ମନ୍ତ୍ରୀଙ୍କୁ ଉତ୍ତର ରଖିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ଦ୍ୱିତୀୟାର୍ଦ୍ଧରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ଏପର୍ଯ୍ୟନ୍ତ ମୋଟ ୬୦.୪୦ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି। ଗତ ଖରିଫ ଋତୁର ଏହି ଅବଧି ସୁଦ୍ଧା ଥିଲା ୫୦.୮୭ଲକ୍ଷ ମେଟ୍ରିକ ଟନ୍। ଧାନ କ୍ରୟର ହାର ଗତବର୍ଷ ତୁଳନାରେ ୧୯% ଅଧିକ ରହିଛି।

ଗତବର୍ଷ ଖରିଫ ଋତୁରେ ମୋଟ ୫୩.୩୧ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଥିଲା। ଗତବର୍ଷ ମୋଟ ୯.୧୭ଲକ୍ଷ ଚାଷୀ ଧାନ ବିକ୍ରି କରିଥିଲେ। ଚଳିତବର୍ଷ ଏବେସୁଦ୍ଧା ୧୧.୨୫ଲକ୍ଷ ଚାଷୀ ଧାନ ବିକି ସାରିଲେଣି। ଫେବୃୟାରୀ ୨୬ରେ ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଧାନ ବିକ୍ରି ପ୍ରସଙ୍ଗରେ ବିବୃତ୍ତି ରଖିବା ପରେ ୭୨ହଜାର ଅଧିକ ଚାଷୀଙ୍କଠାରୁ ୨.୭୩ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି ବୋଲି ସେ କହିଛନ୍ତି। ଭୂତ ଚାଷୀ ଓ ବେପାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଶ୍ରୀ ସ୍ଵାଇଁ ସୂଚନା ଦେଇଛନ୍ତି।

ମନ୍ତ୍ରୀ ଶ୍ରୀ ସ୍ୱାଇଁ ଚାଷୀମାନେ ଟୋକନ ବୈଧତା ହରାଇଥିବା ଜିଲ୍ଲାପାଳମାନେ ତଦନ୍ତ କରୁଛନ୍ତି। ବଲାଙ୍ଗିର ଜିଲ୍ଲାରେ ଟୋକେନ ଅବଧି ସରିବା ଯୋଗୁ ୧୫୦ଜଣ ଚାଷୀ ଧାନ ବିକ୍ରି ନଥିବା ଓ ୪୦୦ଜଣ ଭୂତ ଚାଷୀଙ୍କ ବାବଦରେ ତଦନ୍ତ ଚାଲିଥିବା ବେଳେ ଦେବଗଡ଼ ଜିଲ୍ଲାରେ ୨୯୦୦ ଚାଷୀ ଟୋକେନ୍ ବୈଧତା ହରାଇଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ୫ହଜାର ଚାଷୀଙ୍କ ଟୋକେନ ବୈଧତା ସରିଛି। ନବରଙ୍ଗପୁରରେ ୨୦୦ଜଣ ଚାଷୀ ଓ ନୂଆପଡ଼ା ଜିଲ୍ଲାର ଚାଷୀଙ୍କ ଅଭିଯୋଗ ଉପରେ ଜିଲ୍ଲାପାଳମାନେ ତଦନ୍ତ କରୁଛନ୍ତି। ୯୨ ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button