ଧାନକିଣାର ଗୁମର ସମସ୍ତେ ଜାଣି ଅଜଣା : ଶୋଷଣର ଶିକାର ହେଉଛନ୍ତି ଚାଷୀ

ଭୁବନେଶ୍ଵର : ଚାଷୀ କାଳେ କାଳେ ଶୋଷିତ। ରାଜରାଜୁଡା ଶାସନ ଠାରୁ ଆରମ୍ଭ କରି ଜମିଦାର ପର୍ଯ୍ୟନ୍ତ ଶୋଷଣର ଶିକାର ହୋଇଛନ୍ତି ଚାଷୀ। ଏବେ ସ୍ଥିତି ପ୍ରାୟତଃ ସମାନ। ସେମାନଙ୍କ ଅବସ୍ଥା ସୁଧୁରିନି। କେବଳ ଅଧିକ ଅମଳ ପାଇଁ ସେମାନଙ୍କୁ ସ୍ଵପ୍ନ ଦେଖାଯାଉଛି। ଅଧିକ ଅମଳ ହେଲେ ଲାଭବାନ ହେଉଛନ୍ତି ମିଲର ଓ ଧାନ ସଂଗ୍ରହ କରୁଥିବା ସଂସ୍ଥାର କର୍ମଚାରୀ। କେଉଁ ବାଟରେ ଚାଷୀଙ୍କୁ ଲୁଟ କରାଯାଉଛି ସେ କଥା ସମସ୍ତଙ୍କୁ ଜଣା। ହେଲେ ନ ଜାଣିବାର ଅଭିନୟ ଚାଲିଛି। ଚାଷୀ କାହାକୁ ନେଇ ଧାନ ଦେଉଛନ୍ତି, କ୍ଵିଣ୍ଟାଲ ପିଛା କେତେ କଟାଯାଉଛି ତାହାର କାହିଁକି ହେଉନି ଭିଡିଓ ରେକଡିଂ ? ଭୁତଚାଷୀ ତାଲିକାଭୁକ୍ତ ହେଉଛନ୍ତି କିପରି ? କିଏ କରୁଛି ପଞ୍ଜୀକରଣ ? ସେମାନେ ଦର୍ଶଯାଉଥିବା ଚାଷ ଜମିର ଅନୁଧ୍ୟାନ ହେଉନି କାହିଁକି ?

ରାଜ୍ୟରେ ଧାନ କିଣାକୁ ନେଇ ଉଠୁଥିବା ଦୁର୍ନୀତି ବା ଅନିୟମିତତା ଅଭିଯୋଗ ଗୋଟିଏ ବର୍ଷର କଥା ନୁହେଁ। ପ୍ରତିବର୍ଷ ଏପରି ଅଭିଯୋଗ ହେଉଛି। ବିଧାନସଭାରେ ଉଠୁଛି ପ୍ରସଙ୍ଗ। ବିରୋଧୀ ଗୃହ ଅଚଳ କରୁଛନ୍ତି। କିନ୍ତୁ ଧାନକିଣା ଋତୁ ସରିଲେ ସମସ୍ତେ ଚୁପ। ଆଉ ପ୍ରସଙ୍ଗ ଉଠୁନି। ବିଚରା ଚାଷୀ କ୍ଷତି ସହି ଚାଲିଛି। ଆଉ ଚାଷୀର ଉତ୍ପାଦିତ ଧାନକୁ ନେଇ ଅନେକଙ୍କ ଆୟ ବଢୁଛି।

ଗତବର୍ଷର ଗୋଟିଏ ଘଟଣା ନଜରକୁ ଆସିଥିଲା। ପଶ୍ଚିମ ଓଡିଶାର ଜଣେ ଚାଷୀ ଚାଷ କରିଥିବା ଦର୍ଶାଇଥିବା ଜମିର ଅନୁଧ୍ୟାନରୁ ଜଣାପଡିଥିଲା ସେହି ଜମିଟି ହେଉଛି ଜଙ୍ଗଲ। କିନ୍ତୁ ଧାନ କିଣା ଋତୁର ଅବଧି ଶେଷ ହୋଇଥିବାରୁ ତାହାକୁ ଆଉ ଗୁରୁତ୍ଵ ଦିଆଗଲାନି। ସେହିପରି ଉପକୂଳ ଅଞ୍ଚଳରେ ତା’ଠାରୁ ଅଧିକ ଜାଲିଆତି ହେଉଛି। ହେଲେ ଏ ସମ୍ପର୍କିତ ଅଭିଯୋଗ ନେତାଙ୍କ ଠାରୁ ଅଫିସର ଯାଏ କେହି ଶୁଣୁ ନାହାନ୍ତି। ଏହାର ଗୋଟିଏ ଉଦାହରଣ ଭାବେ କେନ୍ଦ୍ରାପଡା ଜିଲ୍ଲାକୁ ନିଆଯାଇପାରେ। ଯେଉଁ ଜିଲ୍ଲାରେ ଧାନ ସଂଗ୍ରହ କରୁଥିବା ସମବାୟ ସଂସ୍ଥାର ଜାଲିଆତି ଖୋଲାମେଲାରେ ଚାଲିଛି। ମିଲର ଓ ସମବାୟ ସଂସ୍ଥା କର୍ମଚାରୀ ମିଳିମିଶି ଲୁଟଛନ୍ତି। ଯେଉଁ ଚାଷୀ ପ୍ରତିବାଦ କରୁଛି ସିଏ ଧାନ ବିକ୍ରି କରିପାରୁନି। ଅର୍ଥାତ ତା’ର ଟୋକାନ ଧାନକିଣା ଅବଧି ଶେଷ ପର୍ଯ୍ୟନ୍ତ ଆସୁନାହିଁ। ଫଳରେ ଚାଷୀ କମ ମୂଲ୍ୟରେ ବେପାରୀଙ୍କୁ ଧାନ ବିକିବାକୁ ବାଧ୍ୟ ହେଉଛି।

ଚଳିତବର୍ଷ ମଧ୍ୟ ସମାନ ଅବସ୍ଥା। ସମବାୟ ସଂସ୍ଥା ମାଧ୍ୟମରେ ନାମ ପଞ୍ଜିକରଣ କରିଥିବା ଅନେକ ଚାଷୀ ଟୋକାନ ଅପେକ୍ଷାରେ ରହିଛନ୍ତି। ଏଯାଏ ମିଳିନି। କେତେକ ଟୋକନ ପାଇଥିଲେ ହେଁ ସେମାନଙ୍କୁ କୁହାଯାଉଛି ଟାର୍ଗେଟ ନାହିଁ। ଆହୁରି ଜଣାପଡିଛି ପ୍ରକୃତ ଧାନ ବିକୁଥିବା ବ୍ୟକ୍ତିଙ୍କର ନାମ ପଞ୍ଜିକରଣରେ ରହୁଛି ତ୍ରୁଟି। ଉଦ୍ଦେଶ୍ୟମୂଳକ ଭାବେ ପଛକୁ ରଖାଯାଉଛି। କେତେକଙ୍କୁ ତାଲିକାଭୁକ୍ତ କରାଯାଉନି। ଏହା ପଛରେ ରହୁଛି ସମବାୟ ସଂସ୍ଥାର କର୍ମଚାରୀଙ୍କ ଭୂମିକା।

ସେମାନେ ଏପରି କରିବାର କାରଣ ହେଲା ପ୍ରକୃତ ଧାନ ବିକୁନଥିବା ବ୍ୟକ୍ତି ଓ ସମବାୟ ସଂସ୍ଥା କର୍ମଚାରୀଙ୍କ ମଧ୍ୟରେ ଅଲିଖିତ ଚୁକ୍ତି ହୋଇଛି। ଧାନ କିଣା ବାବଦ ଟଙ୍କା ତାଙ୍କ ଆକାଉଣ୍ଟକୁ ଗଲେ ସେମାନେ ତା’କୁ ଉଠାଇ ସମବାୟ ସଂସ୍ଥାର କର୍ମଚାରୀଙ୍କୁ ଦେବେ। ସେଠାରୁ ଯିବ ମିଲର ପାଖକୁ। ମିଲର ବିନିଯୋଗ କରିଥିବା ଟଙ୍କା ପାଇବା ପରେ ଲାଭ ଭାଗବଣ୍ଟା ହେବ। ସେଥିରେ ଯାହା ନାମରେ ଧାନ ବିକ୍ରି ହୋଇଛି ତାହାର ମଧ୍ୟ ସେୟାର ରହିଛି। ସେ କିଛି ନକରି ଟଙ୍କା ପାଇବ। ଏହା ସେମାନଙ୍କର ସିଜିନ ଆୟ। ଯାହା ସମବାୟ ସଂସ୍ଥାର କର୍ମଚାରୀଙ୍କ ଦୟାରୁ ସେମାନଙ୍କୁ ମିଳୁଛି।

ଆହୁରି ଦେଖିବାକୁ ମିଳୁଛି ଧାନ ସଂଗ୍ରହ କରୁଥିବା ସମବାୟ ସଂସ୍ଥା ମଣ୍ଡି ନଖୋଲି ଟୋକାନ ପାଇଥିବା ଚାଷୀକୁ ସିଧାସଳଖ ମିଲକୁ ପଠାଇ ଦେଉଛନ୍ତି। ମିଲରେ ଧାନ ପହଞ୍ଚିବା ପରେ ମିଲ କର୍ମଚାରୀଙ୍କର ଆରମ୍ଭ ହୋଇଯାଉଛି ମାନମାନି। କ୍ଵିଣ୍ଟାଲ ପିଛା ୫ରୁ ୧୦ କିଲୋ ପର୍ଯ୍ୟନ୍ତ କଟାଯାଉଛି। ଏନେଇ ଚାଷୀ ସ୍ଵର ଉଠାଇଲେ ନିମ୍ନମନର ଧାନ କହି ଫେରାଇ ଦିଆଯାଉଥିବାରୁ କେହି ପ୍ରତିବାଦ କରୁନାହାନ୍ତି। ଏସବୁ ପରେ ସମବାୟ ସଂସ୍ଥା କାଟୁଛି ୫ ପ୍ରତିଶତ। ତେଣୁ ମୋଟାମୋଟି ହିସାବ କଲେ ଚାଷୀ ଦେଉଥିବା ଧାନର କ୍ଵିଣ୍ଟାଲ ପିଛା ୧୨ରୁ ୧୫ କିଲୋ କଟାଯାଉଛି।

କେବଳ ସେତିକି ନୁହେଁ ମଣ୍ଡିରୁ ଧାନ ନେବା ପାଇଁ ସରକାର ଭଡା ଦେଉଛନ୍ତି। ହେଲେ ଚାଷୀ ଗାଡି ଭଡାକରି ମିଲରେ ଧାନ ଦେଉଛି। ଏହି ଭଡା ବାବଦ ଟଙ୍କା ଯାଉଛି ମିଲ ମାଲିକ ଓ ସମବାୟ ସଂସ୍ଥା କର୍ମଚାରୀଙ୍କ ପକେଟକୁ। ଚିହ୍ନାଜଣା ଗାଡି ମାଲିକଙ୍କ ଗାଡିରେ ଧାନ ଯାଇଥିବା ଦର୍ଶଯାଉଛି। ଏହି କେଳେଙ୍କାରୀ ସମ୍ପର୍କରେ ସରକାରଙ୍କ ପାଖରେ ଖବର ପହଞ୍ଚୁନି କେମିତି ? ବିନା ରାଜନୈତିକ ପ୍ରୋତ୍ସାହନରେ ଏପରି ଜାଲିଆତି ସମ୍ଭବ କି ? କ’ଣ କରୁଛନ୍ତି ସ୍ଥାନୀୟ ଜନ ପ୍ରତିନିଧି ? କାହିଁକି ଧାନକିଣାରେ ଚାଲିଥିବା ଜାଲିଆତି ଘଟଣା ପଦାକୁ ଆଣୁନାହାନ୍ତି ?

ରାଜ୍ୟରେ ଧାନକିଣାର ଏହା ହେଉଛି ବାସ୍ତବ ଚିତ୍ର। ସବୁଆଡେ ଏହିଭଳି ବହୁମୂଖୀ ଲୁଟ ଚାଲୁଛି। କେବଳ ଧାନ ଫସଲ ନୁହେଁ ଅନ୍ୟାନ୍ୟ ଫସଲରେ ମଧ୍ୟ ଚାଷୀ ଅଭବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ଫଳରେ ଚାଷ ପ୍ରତି ଲୋକଙ୍କର ଆଗ୍ରହ ପ୍ରକାଶ ପାଉନାହିଁ। ଯଦି ଏହି ସମସ୍ୟାର ସମାଧାନ ପାଇଁ ଚିନ୍ତା କରାନଯାଏ ତେବେ ଚାଷୀମାନେ ଆଉ ଅଧିକ ନୁହେଁ ଆବଶ୍ୟକତା ଅନୁଯାୟୀ ଫସଲ ଉତ୍ପାଦନ କରିବାକୁ ଉଚିତ ମନେ କରିବେ। ଏହାଦ୍ଵାରା ଆଗାମୀ ଦିନରେଓଡିଶା କୃଷିଜାତ ଦ୍ରବ୍ୟ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ହେବାକୁ ବାଧ୍ୟହେବ।

Leave a Reply

Your email address will not be published. Required fields are marked *

Back to top button