ଧନ୍ୟ ତୁ ଗୁଣ୍ଡୁଚିମୂଷା

॥ ଦୀନବନ୍ଧୁ ନାୟକ ॥ ଗୁଣ୍ଡୁଚିମୂଷା-କ୍ଷୁଦ୍ର ପ୍ରାଣୀଟିଏ। ନିରିହବି। କିନ୍ତୁ ତା’ ନାଁଟି ଶୁଣିଲେ ବା ତା’କୁ ଦେଖିଲେ, ସ୍ୱତଃ ଶ୍ରୀରାମଚନ୍ଦ୍ରଙ୍କର ସେତୁ ନିର୍ମାଣ ଦୃଶ୍ୟ ଭାସି ଉଠେ। ମାତା ସୀତାଙ୍କ ସନ୍ଧାନ ପାଇବା ପରେ ଲଙ୍କାକୁ ଯିବା ପାଇଁ ସେତୁ ନିର୍ମାଣରେ ବାନର ସେନା ପ୍ରାଣମୂର୍ଚ୍ଛା ଲାଗି ପଡିଛନ୍ତି। ବଡବଡ ପଥର ଖଣ୍ଡମାନ ବୋହି ଆଣି ନଳ-ନୀଳଙ୍କ ନିକଟରେ ପହଂଚାଇ ଦେଉଛନ୍ତି। ହନୁମାନଜୀ ସେଥିରେ ରାମନାମ ଲେଖି ସେତୁ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ। ପ୍ରଭୁ ଶ୍ରୀରାମଚନ୍ଦ୍ର ଏସବୁ ଦେଖୁଛନ୍ତି। ହଠାତ୍‌ ତାଙ୍କ ଦୃଷ୍ଟିରେ ପଡିଲା ଏଇ କ୍ଷୁଦ୍ର ପ୍ରାଣୀ ଗୁଣ୍ଡୁଚିମୂଷାଟି। ସମୁଦ୍ର ପାଣିରେ ଡୁବ ମାରୁଛି, ଉଠିଆସି ଶୁଖିଲା ବାଲିରେ ଗଡି ଯାଉଛି। ତା’ ଦେହରେ ଯେତେ ବାଲି ଲାଗି ଯାଉଛି, ସେତକ ଆଣି ସେତୁ ଉପରେ ଝାଡି ଦେଉଛି। ପୁଣି ଯାଇ ଡୁବ ମାରୁଛି। ଗଡୁଛି, ବାଲି ଝାଡୁଛି; ଅନବରତ ଏହିପରି କରିଚାଲିଛି। କୌଣସି ଦିଗକୁ ଲକ୍ଷ୍ୟ ନାହିଁ। ଏ ଦୃଶ୍ୟ ଦେଖି ପ୍ରଭୁଙ୍କ ହୃଦୟ ତରଳି ଗଲା। ସ୍ନେହରେ ଡାକି ପଚାରିଲେ-“ବାବୁରେ ! ମୁଁ ଅନେକବେଳୁଁ ଲକ୍ଷ୍ୟ କରୁଛି, ତୁ ଏମିତି କାହିଁକି କରୁଛୁ ?” ଗୁଣ୍ଡୁଚିମୂଷା କହିଲା-“ପ୍ରଭୁ ! ମୁଁ ତ ବାନରସେନା ପରି ବଡବଡ ପଥର ଖଣ୍ଡ ବୋହି ପାରିବିନି। ମୋ ଦେହରେ ଯେତେ ବାଲି ଲାଗିଯାଉଛି, ସେତକ ଆଣି ବନ୍ଧରେ ଝାଡିଦେଲେ ସେଗୁଡିକ ତ ଦୁଇପଥର ସନ୍ଧିରେ ଲାଗିଯାଇ ସେଗୁଡିକୁ ବାନ୍ଧି ରଖିବ ! ଏତେବଡ ମହତ କାମରେ ମୁଁ ଆଉ କ’ଣ କରିପାରିବି ପ୍ରଭୁ !”

ପ୍ରଭୁ ଆନନ୍ଦରେ ଗଦ୍‌ଗଦ୍ ହୋଇଗଲେ। ସେ ତ ସବୁରି ଅନ୍ତର ଜାଣନ୍ତି। ଏତେଟିକେ ପ୍ରାଣୀ ! ଏତେବଡ ସେତୁ ନିର୍ମାଣରେ ସେ ଯେତେଦୂର ପାରିବ, ସେତେ ସହଯୋଗ କରୁଛି। କେତେ ଶ୍ରଦ୍ଧା, କେତେ ପ୍ରେମ, କେତେ ସମର୍ପଣଭାବ ସତେତା’ ହୃଦୟରେ ! କି ନିଷ୍ଠାର ସହିତ ସେ ତା’ର ନିଷ୍କାମ କର୍ମରେ ନିମଗ୍ନ !! “ଧନ୍ୟ-ଧନ୍ୟ ତୁ ବାବୁ !” କହି ଶ୍ରଦ୍ଧାରେ ତାକୁ ଆଉଁଷି ଦେଲେ। ପ୍ରଭୁଙ୍କର ତିନୋଟି ଆଙ୍ଗୁଳିର ତିନୋଟି ଗାର ତା’ ପିଠି ଉପରେ ପଡିଗଲା। ସ୍ନେହ ଶ୍ରଦ୍ଧାର ସେ ଗାର ତିନୋଟି ଆଜି ପର୍ଯ୍ୟନ୍ତ ରହିଛି। କାହିଁ କେତେ ହଜାର ହଜାର ବର୍ଷ ବିତିଗଲାଣି କଳନା କରିହେଉନାହିଁ, କିନ୍ତୁ ସେ ଗାର ସେହିପରି ଅବିକଳ ଆଜି ପର୍ଯ୍ୟନ୍ତ ରହିଛି।

ଗତ ଶତାଦ୍ଧିର ଗୋଟିଏ ଘଟଣା ମନେ ପଡିଯାଉଛି। ସ୍ୱାଧୀନତା ସଂଗ୍ରାମ ଜୋର୍‌ସୋର୍‌ରେ ଚାଲୁଥାଏ। ମହାତ୍ମା ଗାନ୍ଧୀଙ୍କ ଡାକରାରେ ହଜାର ହଜାର ନରନାରୀ ଅସହଯୋଗ ଆନ୍ଦୋଳନରେ ସ୍ୱତଃପ୍ରବୃତ ହୋଇ ଯୋଗଦାନ କରୁଥାଆନ୍ତି। ବିରାଟ ବିରାଟ ସଭାସମିତି ହେଉଥାଏ। ଏହି ସଭାମାନଙ୍କରେ ଧନୀ-ଗରିବ ନିର୍ବିଶେଷରେ ସମସ୍ତେ ନିଜ ନିଜ ଶକ୍ତି ଅନୁସାରେ ସ୍ୱେଚ୍ଛାରେ ଚାନ୍ଦା ଦେଉଥାଆନ୍ତି। ଏହିପରି ଏକ ସଭାରେ କେତେ ବଡବଡ ଧନୀ, ଶେଠ୍‌ ଚାନ୍ଦା ଦେଉଥାଆନ୍ତି। ବୟସ ଭାରରେ ନଇଁ ପଡିଥିବା ବୁଢୀ ମା’ଟିଏ ନଇଁ ନଇଁ ଆସି ମହାତ୍ମାଙ୍କ ପାଦତଳେ ଅଧଲାଟିଏ ଥୋଇଦେଲା। ସେତେବେଳେ ଟଙ୍କାଙ୍କ ଷୋଳଅଣା, ଅଣାକ ଚାରି ପଇସା, ପଇସାକ ଦୁଇ ଅଧଲା ଥାଏ। ବୁଢୀ ମା’ଟିର ଦାନକୁ ମହାତ୍ମାଗାନ୍ଧୀ ଠିକ୍‌ଭାବେ ବୁଝି ପାରିଥିଲେ ପ୍ରଭୁ ଶ୍ରୀରାମଙ୍କ ପରି। ଅତ୍ୟନ୍ତ ଶ୍ରଦ୍ଧାସମ୍ମାନର ସହିତ ଅଧଲାଟିକୁ ଉଠାଇ ପାଖରେ ଥିବା ମହାଦେବ ଦେଶାଇଙ୍କୁ ଦେଇ କହିଲେ-“ଏଇ ଅଧଲାଟିକୁ ସ୍ୱତନ୍ତ୍ର ଭାବେ ଯତ୍ନ ସହକାରେ ରଖିବ। ଏହା ଶେଠ୍‌ମାନଙ୍କ ଲକ୍ଷ ଲକ୍ଷ ଟଙ୍କାଠାରୁ ଅଧିକ ମୂଲ୍ୟବାନ।”

ଦୁଇଟିଯାକ ଘଟଣାକୁ ଲକ୍ଷ୍ୟ କଲେ ଦେଖାଯାଏ,ଏଠାରେ ପରିମାଣ ନୁହେଁ, ଶ୍ରଦ୍ଧା, ଭକ୍ତି, ପ୍ରେମ, ସମ୍ମାନ, ଆନ୍ତରିକତାର ଗୁରୁତ୍ୱ ରହିଛି। ମହତ କାର୍ଯ୍ୟରେ ଅଧଲାଟିଏ, ବାଲି ଗରଡାଟିଏ ବା ବାଲି କଣାଟିଏ ବି ବହୁ ମୂଲ୍ୟବାନ ହୋଇଥାଏ। ତେବେ, ଗୋଟିଏ କଥା ମନକୁ ଆସେ,- ସଦ୍‌ଭାବନାର ଚେର କେତେ ଗଭୀରକୁ ଲମ୍ବିଛି ! ଏ ସୃଷ୍ଟିରେ କୀଟଠାରୁ ଆରମ୍ଭ କରି ବୃହତମ ପ୍ରାଣୀ ପର୍ଯ୍ୟନ୍ତ ସମସ୍ତେ ପଂଚମ ମହାଭୂତଙ୍କର ପ୍ରପଂଚିକରଣ ଦ୍ୱାରା ଗଠିତ ହୋଇଛନ୍ତି। ମାଟି, ପାଣି, ଅଗ୍ନି, ବାୟୁ ଓ ଆକାଶ ତ ବାହ୍ୟ ପଦାର୍ଥ। ଶ୍ରୀଗୀତା ଏହାକୁ ଅପରା ପ୍ରକୃତି କହିଛନ୍ତି। ପ୍ରତ୍ୟେକ ପ୍ରାଣୀ ସେମାନଙ୍କ ପ୍ରଜାତି ଅନୁସାରେ ସଂସାରରେ ବଂଚି ରହିବା ପାଇଁ ନିଜ ନିଜ ପ୍ରକୃତିଗତ ବ୍ୟବସ୍ଥା, ଅଭ୍ୟାସ, ଖାଦ୍ୟ ଇତ୍ୟାଦି ଦ୍ୱାରା ପରିଚାଳିତ ହେଉଛନ୍ତି। ଏହା ଜନ୍ମଜାତ ବା ସହଜାତ ପ୍ରବୃତି। ଏହାଦ୍ୱାରା ଜନ୍ମ ପରେ ପରେ ଗାଈର ବାଛୁରି ମା’ର ପହ୍ନା ଖୋଜେ, ଅଣ୍ଡାରୁ ବାହାରି ପକ୍ଷୀ ଶାବକଟି କ୍ରମେ ଉଡି ଶିଖେ, ମାଛ ଛୁଆଟି ଜଳରେ ପହଁରେ। କିନ୍ତୁ ମୃତ୍ୟୁ ତ ସମସ୍ତଙ୍କ ନିମନ୍ତେ ଧ୍ରୁବସତ୍ୟ। ସେତେବେଳେ ମୃତ୍ୟୁ ଆସେ ଯେତେବେଳେ ଏଇ ଅପରା ପ୍ରକୃତିରୁ ପରାପ୍ରକୃତିର ସତ୍ତା, ଚେତନ ସତ୍ତା ବା ଜୀବାତ୍ମା ଶରୀରକୁ ତ୍ୟାଗକରେ।

ତା’ହେଲେ, ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଗୁଣ୍ଡୁଚିମୂଷା ପିଠି ଆଉଁଷା ଚିହ୍ନ ତ କେଉଁ କାଳରୁ ଲୋପ ପାଇସାରି ଥାଆନ୍ତା, ଆଜି ପର୍ଯ୍ୟନ୍ତ ରହିଛି କିପରି ? ସାଧାରଣତଃ, ଆମେ ପ୍ରଥମେ ଯାହା ଚିନ୍ତାକରୁଁ, ପରେ ତାହାକୁ କାର୍ଯ୍ୟରେ ପରିଣତ କରୁ। ଏଇ ଚିନ୍ତାଟି ଭିତରେ ହୁଏ, ହୁଏତ ମନସ୍ତରରେ ବା ବୁଦ୍ଧିସ୍ତରରେ ବା ଆହୁରି ଗଭୀରରୁ। ଅହଁକାର ସବୁଠାରେ ଥାଏ। କାରଣ ଅହଂକାର ନ ରହିଲେ କାମକରି ହେବନି। ଗୁଣ୍ଡୁଚିମୂଷାର ଚିହ୍ନ ଏ ସ୍ତର ଗୁଡିକରୁ ଆହୁରି ଗଭୀର, ସେଇଥିପାଇଁ ତାହା ଆଜି ପର୍ଯ୍ୟନ୍ତ ରହିଛି। ପଂଚମହାଭୂତ, ମନ, ବୁଦ୍ଧି, ଚିତ୍ତ, ଅହଂକାରକୁ ଅତିକ୍ରମ କରିଗଲେ ଜୀବାତ୍ମା, ଚୈତ୍ୟସତା, ଦିବ୍ୟସତ୍ତାଙ୍କ ଦର୍ଶନ ମିଳେ। ମନେ ହୁଏ, ଗୁଣ୍ଡୁଚିମୂଷାର ଶ୍ରଦ୍ଧା, ପ୍ରେମ, ଭକ୍ତି, ନିଷ୍ଠାତା’ର ଆତ୍ମା ପର୍ଯ୍ୟନ୍ତ ଲମ୍ବି ଯାଇଛନ୍ତି। ତେଣୁ ଅପରା ପ୍ରକୃତିର ଯେତେ ଯାହା ପରିବର୍ତ୍ତନ ହେଲେ ମଧ୍ୟ ମୂଳଟି ଦିବ୍ୟସତ୍ତା ସହ ଯୋଡିହୋଇ ରହିଥିବାରୁ ତାହା ଆଜି ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଛି। ଆଧୁନିକ ବୈଜ୍ଞାନିକ ଭାଷାରେ କହିଲେ, ଗୁଣ୍ଡୁଚିମୂଷାର ପ୍ରେମଭକ୍ତି ତା’ର ଅସ୍ଥିମଜ୍ଜାଗତ କେବଳ ନୁହେଁ, ତା’ର ଜୀନ୍ ପର୍ଯ୍ୟନ୍ତ ଲମ୍ବି ଯାଇଛି।

ଯୁକ୍ତି କରାଯାଇ ପାରେ ଗୋଟିଏ ଗୁଣ୍ଡୁଚି ମୂଷା ତ ଏହାକରି ପାରିଥିଲା ! ସବୁ ଗୁଣ୍ଡୁଚିମୂଷାଙ୍କ ପିଠିରେ ଏ ଚିହ୍ନ ରହିଲା କିପରି ? ଉତ୍ତରରେ କୁହାଯାଇପାରେ ପ୍ରଭୁ ସର୍ବସମର୍ଥ। ସେ ତ ପ୍ରେମମୟ, ଦୀନବନ୍ଧୁ, କୃପାସିନ୍ଧୁ, କରୁଣା ସାଗର। ଗୁଣ୍ଡୁଚିମୂଷା ପ୍ରତି ତାଙ୍କର ପ୍ରେମ ସମଗ୍ର ଜାତି ପ୍ରତି ପ୍ରସରି ଯାଇଥିବ, ସଂଚରିତ ହୋଇ ଯାଇଥିବ। ତେଣୁ ସେ ଜାତି ଥିବା ପର୍ଯ୍ୟନ୍ତ ଏ ପବିତ୍ର ଚିହ୍ନ ରହିଥିବ। ଅଧିକନ୍ତୁ, ପ୍ରଭୁଙ୍କର ସ୍ନେହ, ଶ୍ରଦ୍ଧା, ଆଦର, କୃପା, କରୁଣା ଏତେ ଗଭୀର ଥିଲା ଯେ ତାହା ଚିରଦିନ ନିମନ୍ତେ ରହିଯାଇଛି। ଧନ୍ୟ ପ୍ରଭୁ ! ଧନ୍ୟ ତୁମ କୃପା, ଭକ୍ତବତ୍ସଳତା ! ଆଉ ଧନ୍ୟ ତୁ ଗୁଣ୍ଡୁଚିମୂଷା !

ଟିକେ ଅଟକି ଯାଇ ଭାବିବାକି ! ଯଦି ଗୁଣ୍ଡୁଚିମୂଷା ପରି କ୍ଷୁଦ୍ର ପ୍ରାଣୀଟିଏ ପ୍ରଭୁଙ୍କର ଏପରି କୃପା ଲାଭ କରିପାରେ, ତେବେ, ଏବେ ସୃଷ୍ଟିର ସର୍ବଶ୍ରେଷ୍ଠ ପ୍ରାଣୀ ବୋଲି ଡିଣ୍ଡିମ ପିଟୁଥିବା ଆମେ ମଣିଷମାନେ ଗୁଣ୍ଡୁଚିମୂଷାର ପ୍ରେମ ଭକ୍ତି ଆମମାନଙ୍କ ଅନ୍ତରରେ ସ୍ଥାପନ କରିପାରିବା ନାହିଁ ? ମହତ କାମରେ ଗୁଣ୍ଡୁଚିମୂଷା ପରି ବାଲି କଣାଟିଏ ବା ବୁଢୀ ମା’ଟି ପରି ଅଧଲାଟିଏ ଯୋଗଦାନ କରି ପାରିବା ନାହିଁ ?

ସା : ତରାପୁର, ପୋ : ଲକ୍ଷ୍ମୀନଗର,
ଜିଲ୍ଲା : ଯାଜପୁର
ମୋ :୯୯୩୭୫୯୩୪୯୩

Leave a Reply

Your email address will not be published. Required fields are marked *

Back to top button