ଧାର୍ଯ୍ୟ ତାରିଖରେ ହେବ ମାଟ୍ରିକ୍ ଓ ଯୁକ୍ତଦୁଇ ପରୀକ୍ଷା

ଭୁବନେଶ୍ୱର : ଚଳିତବର୍ଷ ମାଟ୍ରିକ ଓ ଯୁକ୍ତଦୁଇ ଦ୍ୱିତୀୟ ବର୍ଷ ଛାତ୍ରଛତ୍ରୀଙ୍କ ପାଇଁ ହୋଇଥିବା ତାରିଖ ପରୀକ୍ଷା କରାଯିବ। ପରୀକ୍ଷା ପାଇଁ ଅଧିକ କେନ୍ଦ୍ର କରାଯିବ। କିନ୍ତୁ ତାରିଖ ଘୁଞ୍ଚିବ ନାହିଁ। ଏହା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ଶୁକ୍ରବାର ସେ କହିଛନ୍ତି ନବମ ଶ୍ରେଣୀ କ୍ଲାସ ବନ୍ଦ ଥିବାରୁ ପରୀକ୍ଷା ହେବ କି ନାହିଁ ସ୍ଥିର ହୋଇନି। କରୋନା ସଂକ୍ରମଣ ପୁଣି ବ୍ୟାପିବାରୁ ରାଜ୍ୟର ସମସ୍ତ ସ୍କୁଲ୍‌ରେ ଗତକାଲି ଠାରୁ ନବମ ଓ ଏକାଦଶ ଶ୍ରେଣୀର ପାଠପଢ଼ା ବନ୍ଦ ରହିଛି। ଏହି ନିର୍ଦ୍ଦେଶନାମା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏ ଦୁଇ ଶ୍ରେଣୀର ପିଲାମାନେ ଯଦି ହଷ୍ଟେଲ୍ କିମ୍ବା ଆବାସିକ ସ୍କୁଲରେ ରହୁଥିବେ ତେବେ ତୁରନ୍ତ ଘରକୁ ଫେରିଯିବାକୁ ଏପ୍ରିଲ ୭ ତାରିଖରେ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ କୁହାଯାଇଥିଲା। ତେବେ ସ୍କୁଲ କର୍ତ୍ତୃପକ୍ଷ ଚାହିଁଲେ ଅନଲାଇନ୍ କ୍ଲାସ କରିପାରିବେ। ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ପୂର୍ବଭଳି ଏପ୍ରିଲ ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ମେ’ ୩ରୁ ଆରମ୍ଭ ହୋଇ ୧୫ ତାରିଖ ଯାଏ ଚାଲିବ। ପରୀକ୍ଷା ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ହେବ। ମେ’ ୩ ତାରିଖରେ ମାତୃଭାଷା ଓଡ଼ିଆ ପରୀକ୍ଷା ହେବ। ୫ ତାରିଖରେ ଦ୍ୱିତୀୟ ଭାଷା ଇଂଲିଶ, ୭ରେ ତୃତୀୟ ଭାଷା ହିନ୍ଦୀ, ୮ରେ ତୃତୀୟ ଭାଷା ସଂସ୍କୃତ, ୧୦ରେ ଗଣିତ, ୧୨ରେ ବିଜ୍ଞାନ ଓ ୧୫ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ। ସେହିପରି ମେ’ ୧୮ ତାରିଖରୁ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବ। ଏହା ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ପୂର୍ବରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ତାରିଖ ମଧ୍ୟରେ କଳା, ବିଜ୍ଞାନ ଓ ବାଣିଜ୍ୟର ପରୀକ୍ଷା ହେବ। ମେ’ ୨୮ରୁ ଧନ୍ଦାମୂଳକ ପରୀକ୍ଷା ଆରମ୍ଭ ହେବ।

Leave a Reply

Your email address will not be published. Required fields are marked *

Back to top button