ଧର୍ମ ଓ ସଂସ୍କୃତିର ଭୂମିକା

0

॥ ଗୋପାଳ ମହାପାତ୍ର ॥ ଧର୍ମ ଏବଂ ସଂସ୍କୃତିକୁ ନେଇ ଅନେକ ସମୟରେ ବିତର୍କ ହୁଏ। କିନ୍ତୁ ସେତେବେଳେ ଆମେ ଭୁଲିଯାଇଥାଉ ସର୍ବଦା ଧର୍ମ ଓ ସଂସ୍କୃତିକୁ ନେଇ ଭାରତର ପରିଚୟ। ଧର୍ମ ଓ ସଂସ୍କୃତି ପରସ୍ପରର ପରିପୂରକ। ଧର୍ମ ସଂସ୍କୃତିର ଅଧାର। ସଂସ୍କୃତି ଧର୍ମର ସମ୍ବାହିକା ଅଟେ। ଉଭୟେ ନିଜ ନିଜ ପରିପ୍ରେକ୍ଷୀରେ ରାଷ୍ଟ୍ରର ନିର୍ମାଣ ଓ ରାଷ୍ଟ୍ରୀୟଭାର ସଂରକ୍ଷଣ ପାଇଁ ସହାୟକ ସିଦ୍ଧ ହୋଇଥାଏ। ଧର୍ମ ନିଜର ସ୍ୱାଭାବିକତା ସହିତ ସାମାଜିକ ପରିବେଶର ଆଧାର। ସଂସ୍କୃତି ସାମାଜିକ ମୂଲ୍ୟର ନିର୍ମାଣ କରିଥାଏ। ଏକଥା କହିଲେ ଅପ୍ରାସଙ୍ଗିକ ହେବ ନାହିଁ ଯେ ଧର୍ମର ସୁତ୍ର ମାନବର ସର୍ବାଙ୍ଗୀନ ବିକାଶକୁ ସୁନିଶ୍ଚିତ କରିଥାଏ। ସେହିପରି ସଂସ୍କୃତି ମାନବୀୟ ସମ୍ବେଦନାକୁ ସାମାଜିକ ସ୍ତରରେ ଯୋଡି ହେଉଥାଏ। ଧର୍ମ କାଳାନ୍ତରରେ ସଂସ୍କୃତିର ରକ୍ଷା କରିଥାଏ ଓ ସଂସ୍କୃତି ଧର୍ମର ଆଧାରକୁ ବିକଶିତ କରେ। ଯେଉଁଠି ଧର୍ମ ଆମର ସର୍ବସ୍ୱର ପ୍ରତୀକ ସେଇଠି ସଂସ୍କୃତି ଆମ ସ୍ୱାଭାବିକ ଜୀବନଶୈଳୀର ବାହିକା ଭାବେ କାର୍ଯ୍ୟ କରିଥାଏ। ଉଭୟେ ଭାରତୀୟ ମୂଲ୍ୟବୋଧର ଜୀବନରେଖା। ଏହି କାରଣରୁ ସଂସାରରେ (ବିଶ୍ୱରେ) ଭାରତର ମାନ ସମ୍ମାନ ଅକ୍ଷୁର୍ଣ୍ଣ ରହିଛି।

ପ୍ରାଚୀନ କାଳରେ ଧର୍ମ ଏକ ନାଗରିକର ଜୀବନର ଉଦ୍ଦେଶ୍ୟର ଅଧାର ଥିଲା। ଧର୍ମ ପ୍ରତୀକ ନହୋଇ ମଧ୍ୟ ସମଗ୍ର ଚେତନାର ସ୍ତମ୍ଭ ଥିଲା। ପରିଣାମ ସ୍ୱରୂପ ଭାରତର ସାମାଜିକ, ଆର୍ଥିକ ଓ ନୈତିକ ବ୍ୟବସ୍ଥା ମଜଭୁତ ଥିଲା। ଭାରତୀୟମାନଙ୍କ ଜୀବନ ଥିଲା ଶାନ୍ତ ଓ ସୁଖମୟ। ସେତେବେଳେ ସଂସ୍କୃତି ଭାରତୀୟତାକୁ ପରିଭାଷିତ କରୁଥିଲା ଓ ଭାରତର ସମସ୍ତ ବ୍ୟବସ୍ଥା ସଂସ୍କୃତି ଉପରେ ଆଧାରିତ ଥିଲା। ସଂସ୍କୃତିର ସୌରଭ ଥିଲା ଆମ ରାଷ୍ଟ୍ରର ସୌରଭ। ଆମର ପାରିବାରିକ ଓ ସାମାଜିକ ପୃଷ୍ଠଭୂମି ନିରନ୍ତର ବିକଶିତ ହୋଇଚାଲିଥିଲା। ଆମର ବୈଚାରିକ ଦୃଷ୍ଟିକୋଣ ମଧ୍ୟ ଆମର ସଂସ୍କୃତି ଉପରେ ଆଧାରିତ ଥିବାରୁ ଜୀବନର ସମ୍ପୂର୍ଣ୍ଣ ଉନ୍ନତି ହୋଇପାରିଥିଲା। ଧୀରେ ଧୀରେ ଆମର ଧାର୍ମିକ ମାନ୍ୟତା ସ୍ଥିର ହେବାରେ ଲାଗିଲା ଓ ସଂସ୍କସ୍କୃତିର ବିକାଶ ହେଲା। ଗୋଟିଏ ବାକ୍ୟରେ କହିବାକୁ ଗଲେ ଧର୍ମ ଏବଂ ସଂସ୍କୃତି ଆମର ଭାରତୀୟତାକୁ ବିକଶିତ କରିଥିଲେ।

ଭାରତୀୟ ଧର୍ମର ବିଶେଷତା ହେଉଛି ଏଥିରେ ଜଟିଳତା ନାହିଁ। ସତତ ଚିନ୍ତନର ଅବଧାରଣାକୁ ବିକଶିତ କରିବାରେ ସହାୟତା କରିଥାଏ। ଏହି କାରଣରୁ ଅନେକ ଧର୍ମର ଉଦୟ ହୋଇଥିଲା। ବୌଦ୍ଧ, ଜୈନ ଏବଂ ପରେ ଶିଖ ଧର୍ମ ନିଜର ଚିନ୍ତନଶୈଳୀକୁ ବିକଶିତ କରିଥିଲେ। କିନ୍ତୁ ସବୁପରେ ମଧ୍ୟ ମୂଳ ସନାତନ ଧର୍ମ ହିଁ ରହିଥିଲା। ସନାତନ ଧର୍ମର ଆଶ୍ରୟ ହିନ୍ଦୁଧର୍ମରେ କେବଳ ନାହିଁ ବରଂ ବୌଦ୍ଧ, ଜୈନ ଓ ଶିଖ ଧର୍ମରେ ରହିଛି। ଭଗବାନ ବୁଦ୍ଧ ଏବଂ ମହାବୀର ସନାତନ ଧର୍ମର ସଂସ୍କାରରେ ଜନ୍ମ ନେଇଥିଲେ। କିନ୍ତୁ ସେମାନେ ନିଜର ଚିନ୍ତନକୁ ସ୍ୱତନ୍ତ୍ର ସ୍ୱରୂପ ପ୍ରଦନା କରି ନୂଆ ଧାର୍ମିକ ବ୍ୟବସ୍ଥାର ନିର୍ମାଣ କରିଥିଲେ। ଭଗବାନ ବୁଦ୍ଧ ଧର୍ମର ସ୍ୱତନ୍ତ୍ର ବ୍ୟାଖ୍ୟା କରିଥିଲେ। କିନ୍ତୁ ମୂଳତଃ ତାଙ୍କର ସାଂସ୍କୃତିକ ଚିନ୍ତନକୁ ସେଥିରେ ଅଧିକ ଗୁରୁତ୍ୱ ଦେଇଥିଲେ। ଭାରତୀୟ ମାନସିକତାକୁ ଧର୍ମର ବାସ୍ତବିକତା ସହ ଯୋଡି ଦେଇଥିଲେ। ସବୁ ବର୍ଗଙ୍କୁ ଧର୍ମରୁ ହେବାକୁ ଥିବା ଲାଭ ବାବଦରେ ବୁଝାଇଥିଲେ। ଭାରତୀୟ ମୂଳ ଦର୍ଶନ ସନାତନ ଧର୍ମକୁ ହିଁ ଦର୍ଶାଇଥାଏ। ହିନ୍ଦୁ, ବୌଦ୍ଧ, ଜୈନ ଓ ଶିଖ ଧର୍ମ ସେହି ବ୍ୟବସ୍ଥାକୁ ମଜଭୁତ କରିଥାଏ। ଯଦ୍ୟପି ସବୁ ଧର୍ମର ନିଜ ନିଜ ପରିବେଶରେ ବିକଶିତ ହେବାର ଧାର୍ମିକ ସ୍ୱାଧୀନତା ରହିଛି କିନ୍ତୁ ସାଂସ୍କୃତିକ ଏକତା ବଜାୟ ରହିଛି। ଭାରତୀୟ ସଂସ୍କୃତିର ସାମଗ୍ରିକ ବିକାଶରେ ଭାରତର ସବୁ ଧର୍ମର ଯୋଗଦାନ ରହିଛି। ଏହିପରି ଭାରତର ସାମାଜିକ ବ୍ୟବସ୍ଥା ଧାର୍ମିକ ଓ ସାଂସ୍କୃତିକ ହୋଇ ମଧ୍ୟ ବୈଜ୍ଞାନିକ ବିଚାରକୁ ସବୁବେଳେ ଗୁରୁତ୍ୱ ଦେଇ ଆସିଛି। ବିକାଶର ନୂଆ ସମ୍ଭାବନାକୁ ସହଯୋଗ କରି ଆସିଛି। ଧର୍ମର ମାର୍ଗଦର୍ଶନରେ ହିଁ ଭାରତୀୟ ଚିନ୍ତନ ବ୍ୟବସ୍ଥା ବିକଶିତ ହୋଇଛି। କାଳାନ୍ତରରେ ବିଶ୍ୱ ସମୁଦାୟର ଚିନ୍ତନ ବ୍ୟବସ୍ଥାକୁ ପ୍ରଭାବିତ କରିଛି। ଏହାର ଫଳ ସ୍ୱରୂପ ଭାରତ ଧର୍ମ ଗୁରୁର ମାନ୍ୟତା ପାଇବାକୁ ସମର୍ଥ ହୋଇଛି।

ଭାରତର ଧାର୍ମିକ ଦୃଷ୍ଟିକୋଣ ସହ ରାଜନୀତି, ଆର୍ଥିକ ଓ ସାଂସ୍କୃତିକ ବ୍ୟବସ୍ଥା ଯୋଡ଼ି ହୋଇଗଲା। ବିଶ୍ୱର ଅନେକ ଦେଶଙ୍କ ସହିତ ଏବଂ ଏସିଆ ମହାଦେଶର କେତେକ ଦେଶ ସହ ଆମର ସମ୍ପର୍କ ନିବିଡ ହେଲା। ଭାରତୀୟ ଧର୍ମ ଓ ସଂସ୍କୃତିର ସମ୍ୟକ୍ ବିକାଶ ଘଟିଲା। ଏବେ ମଧ୍ୟ ସେସବୁ ଦେଶରେ ଭାରତୀୟ ଧର୍ମ ଓ ସଂସ୍କୃତି ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛି। ଭାରତୀୟ ଧର୍ମ ଓ ସଂସ୍କୃତି କୌଣସି ଦେଶ ଅଥବା ବର୍ଗର ମାନ୍ୟତାକୁ ବିଲୋପ କରେନି, ତା’ର ପରିମାର୍ଜନା କରିଥାଏ। ସେହିପରି ଭାଷା ମାମଲାରେ ଦେଖିଲେ ଭାରତୀୟ ଭାଷା ବିଶ୍ୱର ଭାଷାମାନଙ୍କୁ ପ୍ରଭାବିତ କରିଛି। ଅନେକ ବିଦେଶୀ ଭାଷାର ସୃଷ୍ଟିରେ ଭାରତୀୟ ଭାଷାର ଯୋଗଦାନ ରହିଛି। ଏସିଆ ମହାଦେଶର ଅନେକ ଭାଷା, ସଂସ୍କୃତି, ପାଲି ଓ ପ୍ରାକୃତ ଉପରେ ଆଧାରିତ। ଏସବୁ ପକଶିତ ବା ସୃଷ୍ଟ ଭାଷାରେ ଭାରତୀୟ ଦର୍ଶନ ଓ ସଂସ୍କୃତି ପରିଲକ୍ଷିତ। ଭାରତୀୟ ଭାଷାବିଦ୍‌, ଧାର୍ମିକ ଗୁରୁ ଓ ସଂସ୍କୃତି ପ୍ରେମୀ ବିଦ୍ୱାନମାନେ ନିଜ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଭାରତର ସମ୍ମାନକୁ ଅଧିକରୁ ଅଧିକ କରିପାରିଛନ୍ତି। ଭାରତୀୟ ଧର୍ମ-ସଂସ୍କୃତି କ୍ଷେତ୍ରରେ ଏବେ ଅନେକ ସଂସ୍ଥା ଓ ବ୍ୟକ୍ତି ବିଶେଷ କାର୍ଯ୍ୟରତ। ଆବଶ୍ୟକତା ରହିଛି ଭାରତୀୟ ଧର୍ମ ଓ ସଂସ୍କୃତିର ବିଭିନ୍ନ ଦିଗକୁ ଆଧୁନିକ ପରିବେଶରେ ପରିଭାଷିତ କରାଯିବ। ଏପରିକି ଏସବୁ କ୍ଷେତ୍ରରେ କାର୍ଯ୍ୟରତ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କୁ ଅଧିକ ପ୍ରୋତ୍ସାହିତ କରାଯିବା ଉଚିତ୍। ଏହା ହୋଇପାରିଲେ ଭାରତ ସହ ଅନ୍ୟ ଦେଶମାନଙ୍କର ସାଂସ୍କୃତିକ ସମ୍ପର୍କ ବୃଦ୍ଧି ପାଇବା ସହ ରାଜନୈତିକ ଓ ଆର୍ଥିକ ସମ୍ପର୍କ ମଧ୍ୟ ବଢିବ।

ରାମଚନ୍ଦ୍ରପୁର, ରଣପୁର
୯୪୩୮୪୮୫୦୯୪

Leave A Reply

Your email address will not be published.