ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପିଅନଙ୍କ ମୃତଦେହ ଉଦ୍ଧାର

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ପିଅନଙ୍କ ମୃତଦେହ ଆଜି ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଠାବ ହୋଇଛି। କିନ୍ତୁ ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ି ନାହିଁ।

ଖବର ଅନୁଯାୟୀ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କାପସରା ଓ କୁଟ୍ରୁଖମାର ନିକଟସ୍ଥ ଦୟାନିଧି ଛକ ନିକଟ ୨୬ ନଂ ଜାତୀୟ ରାଜପଥ ପାଖ ଏକ ଶୁଖିଲା ଗଛରେ ପିଅନଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ତାଙ୍କ ନାଁ ତନୁ ରଞ୍ଜନ ପୋଢ। ଗ୍ରାମ କେସିଙ୍ଗା ବ୍ଲକ ଦେଣ୍ଡୋଗୁଡା ଗାଁରେ। ସେହି ରାସ୍ତା ଦେଇ ଯାଉଥିବା ଲୋକେ ଥାନାକୁ ଖବର ଦେବାରୁ ଘଟଣାସ୍ଥଳରେ ପୋଲିସକୁ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।

ପରିବାର ଲୋକଙ୍କ କହିବା ଅନୁଯାୟୀ ତନୁ ରଞ୍ଜନ ପୋଢ଼ ଧର୍ମଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପିଅନ ଭାବେ କାର୍ଯ୍ୟ କରୁଥିଲେ। ଗତ ଶୁକ୍ରବାର ଠାରୁ ସେ ନିଖୋଜ ଥିଲେ। ଭବାନୀପାଟଣା ସଦର ପୋଲିସ ଏହାର ତଦନ୍ତ ଜାରି ରଖିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।