ଧର୍ମପଦ ପୁରସ୍କାର ଘୋଷଣା

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଆଜି ଧର୍ମପଦ ପୁରସ୍କାର ଘୋଷଣା ହୋଇଛି। ୨୦୧୬ ବର୍ଷ ପାଇଁ ଚିତ୍ରଶିଳ୍ପୀ ବନବିହାରୀ ପରିଡ଼ା, ୨୦୧୭ ବର୍ଷ ପାଇଁ ସ୍ଥପତି ଶ୍ୟାମସୁନ୍ଦର ପଟ୍ଟନାୟକ, ୨୦୧୮ ବର୍ଷ ପାଇଁ ଜଗଦୀଶ ଚନ୍ଦ୍ର କାନୁନ୍ଗୋଙ୍କୁ ପୁରସ୍କାର ପ୍ରଦାନ କରାଯିବ। ସେହିପରି ୨୦୧୯ ବର୍ଷ ପାଇଁ ପଟ୍ଟଚିତ୍ରଶିଳ୍ପୀ ବିନୋଦ ମହାରଣା, ୨୦୨୦ ମସିହା ପାଇଁ ଚିତ୍ରଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ର ଧର୍ମପଦ ପୁରସ୍କାର ପାଇବେ। ଏହି ଘୋଷଣା କରିଛନ୍ତି ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ।

୨୦୧୬ରୁ ୨୦ ପର୍ଯ୍ୟନ୍ତ ୨୫ ଜଣ ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ଧର୍ମପଦ ପୁରସ୍କାର ଲାଗି ମନୋନୀତ ପ୍ରତ୍ୟେକ ଶିଳ୍ପୀ ପାଇବେ ୫ ଲକ୍ଷ ଟଙ୍କା। ସମ୍ବର୍ଦ୍ଧିତ ହେବାକୁ ଥିବା ପ୍ରତ୍ୟେକ ଶିଳ୍ପୀ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଉକ୍ତ ଉତ୍ସବରେ ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ, ଏକାଡେମୀର ସଭାପତି ସୁଦର୍ଶନ ପଟ୍ଟନାୟକ, ଏକାଡେମୀର କାର୍ଯ୍ୟକାରୀ କମିଟିର ସଦସ୍ୟ ପଞ୍ଚାନନ ସାମଲ, ଶ୍ୟାମ ସୁନ୍ଦର ମେହେର ଓ ଅକ୍ଷୟ କୁମାର ସାମଲ ଉପସ୍ଥିତ ଥିଲେ। ଏକାଡେମୀର ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।