ଧର୍ମେନ୍ଦ୍ରଙ୍କ ଚିନ୍ତା ବଢାଉଛନ୍ତି ଅପରାଜିତା

ଭୁବନେଶ୍ଵର : ସର୍ବ ଭାରତୀୟ ପ୍ରଶାସନିକ ସେବାରୁ ରାଜନୀତି ମଇଦାନକୁ ଆସିଥିବା ଅପରାଜିତା ଷଡଙ୍ଗୀ ଏବେ ଚର୍ଚ୍ଚାରେ। ବଢି ଚାଲିଛି ତାଙ୍କର ଲୋକ ପ୍ରିୟତା। ଯେଉଁଠିକୁ ଗଲେ ମିଳୁଛି ବିପୁଳ ସମର୍ଥନ। କେବଳ ଭୁବନେଶ୍ୱର ଲୋକସଭା କ୍ଷେତ୍ର ନୁହେଁ ରାଜ୍ୟର ବିଭିନ୍ନ ଅଞ୍ଚଳର ବିଜେପି କର୍ମୀ ଓ ନେତା ସେମାନଙ୍କ ସମସ୍ୟା ନେଇ ଅପରାଜିତାଙ୍କୁ ଭେଟୁଥିବା ଦେଖାଯାଉଛି। ଯାହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରାଧାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ମୁଖ୍ୟମନ୍ତ୍ରୀ ହେବାର ଆଶା ରଖି ସେ ଦଳରେ କାହାରିକୁ ଉପରକୁ ଉଠିବାକୁ ସୁଯୋଗ ଦେଉନଥିଲେ। ବର୍ତ୍ତମାନ ପରିସ୍ଥିତି ବଦଳୁଛି। ଧର୍ମେନ୍ଦ୍ରଙ୍କ କାଟତି କମୁଥିବାରୁ କୌଣସି ସମୟରେ ତାଙ୍କ ବିରୋଧରେ ସ୍ଵର ଉଠିବା ଅସମ୍ଭବ ନୁହେଁ ବୋଲି କୁହାଯାଉଛି।

ରାଜନୀତିରେ କାହାରି ଏକଛତ୍ରବାଦ ଶାସନ ଚାଲେନାହିଁ। ସମୟ ସବୁକିଛି ଓଲଟପାଲଟ କରିଦିଏ। କିନ୍ତୁ ନିଜର ସ୍ଵାର୍ଥ ଅପେକ୍ଷା ଜନତାଙ୍କ ସୁଖ ଦୁଃଖରେ ଯିଏ ସାମିଲ ହୁଏ ତାଙ୍କୁ ଲୋକେ ଗ୍ରହଣ କରନ୍ତି। ଅହଙ୍କାରୀ ବେଶିଦିନ ଲୋକଙ୍କ ପାଖରେ ତିଷ୍ଠି ରହିପାରେନି। ଏକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଅହଙ୍କାରୀର ହାକିମାତି ଚାଲେ। ଥରେ ତଳକୁ ଖସିଲେ ଲୋକେ ତାଙ୍କୁ ଭୁଲି ଯାଆନ୍ତି। ରାଜ୍ୟ ବିଜେପିରେ ଏବେ ଅନୁରୂପ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଅନେକ ନେତା ଓ କର୍ମୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଅସନ୍ତୁଷ୍ଟ। କିନ୍ତୁ ମୁହଁ ଖୋଲି ପାରୁନାହାନ୍ତି। ଯେଉଁମାନେ ବିରୋଧ କରିବାର ଆଭାସ ମିଳିଛି ସେମାନଙ୍କୁ ଦଳରେ ଗୁରୁତ୍ଵହୀନ କରିଦିଆଯାଇଛି। ସେଥିପାଇଁ ଅସନ୍ତୁଷ୍ଟମାନେ ସୁଯୋଗ ଅପେକ୍ଷାରେ ରହିଛନ୍ତି।

ଏହିଭଳି ସମୟରେ ଭୁବନେଶ୍ୱର ସାଂସଦ ଅପରାଜିତାଙ୍କର ବଢୁଛି ଲୋକପ୍ରିୟତା। ଯେଉଁମାନେ ଧର୍ମେନ୍ଦ୍ରଙ୍କୁ ଭେଟିବାକୁ ସାହସ ଯୁଟାଇ ପାରୁନଥିଲେ ସେମାନେ ଅପରାଜିତାଙ୍କୁ ସାକ୍ଷାତ କରିବାରେ କୌଣସି ସମସ୍ୟା ହେଉନି। ମାଡାମ ମଧ୍ୟ ସମସ୍ତଙ୍କ କଥା ଶୁଣୁଛନ୍ତି। ଜଣେ ପୋଖତ ରାଜନେତା ଭଳି ଲୋକଙ୍କ ସହିତ ରହିବାକୁ ପସନ୍ଦ କରୁଛନ୍ତି। ଲୋକଙ୍କ ପାଖକୁ ଯାଇ ସମସ୍ୟା ବୁଝୁଛନ୍ତି। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା ରାଜ୍ୟରେ ଦୁଇଟି ନିର୍ବାଚନମଣ୍ଡଳୀରେ ଉପ ନିର୍ବାଚନ ହେଉଛି। ବିଜେପିର ତୁଙ୍ଗ ନେତାମାନେ ପ୍ରଚାର ମଇଦାନକୁ ଯାଇଛନ୍ତି। କିନ୍ତୁ ବାଲେଶ୍ଵର ସଦର ଓ ତିର୍ତ୍ତୋଲରେ ଅପରାଜିତାଙ୍କ କଥା ବେଶୀ ଆଲୋଚନା ହେଉଥିବା ବେଳେ ଧର୍ମେନ୍ଦ୍ରଙ୍କ ଶୋବାଜି କାମ ଦେଉନଥିବା ଦେଖାଯାଉଛି। ଏସବୁ ଦେଖିଲେ ମନେ ହେଉଛି ଅପରାଜିତା ଯଦି ଓଡିଶା ସାରା ବୁଲନ୍ତି ତେବେ ଧର୍ମେନ୍ଦ୍ରଙ୍କର ଆଉ ଆବଶ୍ୟକ ପଡିବନି। ଏଭଳି ସମୟ ଆସିବା ପାଇଁ ଆଉ ବେଶିଦିନ ଅପେକ୍ଷା କରିବାକୁ ପଡିନପାରେ ବୋଲି ଦଳରେ ଆଲୋଚନା ହେଲାଣି। କେତେକ ଧାର୍ମିକ ତତ୍ତ୍ଵର ଉଦାହରଣ ଦେଇ କହୁଛନ୍ତି ଅନେକଙ୍କ ଚେର କାଟିଛନ୍ତି। ଯିଏ ଯେମିତି କର୍ମ କରିବ ତାଙ୍କୁ ସେଭଳି ଫଳ ମିଳିବ।

ମତାମତ ଦିଅନ୍ତୁ ।