ଧିକ୍ ନେତାଗିରି

॥ ମାୟାଧର ନାୟକ ॥ ଆମେ ଜଣେ ଶ୍ରମିକନେତା ଭାବେ ଜଣାଶୁଣା। ଏବେ ଏ ବିଶ୍ଲେଷଣଟି ଭାରି ଅଡୁଆ ଲାଗୁଛି। ଜଣେ ସାଧୁ ବ୍ୟଭିଚାରୀ ହେଲେ ଲୋକେ ପୁରା ସାଧୁସମାଜକୁ ସନ୍ଦେହ ଚକ୍ଷୁରେ ଦେଖନ୍ତି । ଆଗର ସେ ସର୍ବତ୍ୟାଗୀ ବିପ୍ଲବୀ ଶ୍ରମିକ ନେତାମାନେ ନାହାଁନ୍ତି । ଏବେକାର ବହୁଳାଂଶ ଶ୍ରମିକନେତା ମାଲିକଶ୍ରେଣୀର ଦଲାଲ ହୋଇଯାଇଥିବାରୁ ଶ୍ରମିକମାନେ ବିଶେଷକରି ସାଧାରଣ ଲୋକେ ଶ୍ରମିକନେତାମାନଙ୍କୁ ଆଉ ଭଲ ଦୃଷ୍ଟିରେ ଦେଖୁନାହାଁନ୍ତି । କେବଳ କ’ଣ ଶ୍ରମିକନେତା – ଏଇ ବିଶ୍ୱରେ ଅନେକ ରାଜନେତା ଅଛନ୍ତି –ସେମାନେ ନେଇ-ନେଇ ନେତା ବୋଲାଉଛନ୍ତି । ଧିକ୍ ନେତାଗିରି।

ନେତାମାନେ ଏବେ ଦରମା-ଭତ୍ତା ଓ ଅନ୍ୟାନ୍ୟ ସୁବିଧାପାଇଁ ପାଗଳ। ସେମାନେ ଆଉ ଜନଗଣଙ୍କର ପ୍ରତିନିଧି ନୁହଁନ୍ତି । ସେମାନେ ସରକାରୀ ଚାକିରିଆ ଭଳି ମନେ କରୁଛନ୍ତି । ଭୋଟବେଳେ ଲୋକଙ୍କୁ ନାନା ମିଥ୍ୟା ପ୍ରଲୋଭନ ଦେଖାଇ କୌଣସିମତେ କ୍ଷମତା ହାସଲ କଲାପରେ ଅର୍ଥ ଉପାର୍ଜନରେ ଲାଗିପଡୁଛନ୍ତି । ଯାହାଫଳରେ ଦେଶର ରାଜକୋଷ ଲୁଣ୍ଠନ କରି ଅମାପ-ମାପ ସମ୍ପତିର ମାଲିକ ସାଜିଛନ୍ତି । ଏଥିପାଇଁ ଦେଶକୁ କିମ୍ବା ରାଜ୍ୟ-ଅଂଚଳକୁ ଦେଶୀ-ବିଦେଶୀ ପୁଂଜିପତିଙ୍କୁ ବିକ୍ରି କରିବାରେ ଏମାନଙ୍କର ତିଳେମାତ୍ର କୁଣ୍ଠାବୋଧ ନାହିଁ। ରାତାରାତି କୋଟିପତି ନିଶା ଏମାନଙ୍କୁ ପାଗଳ କରି ଦେଲାଣି।

ଯୋଗ୍ୟନେତା ହିଁ ଦେଶ ଓ ଜନସମାଜକୁ ନେତୃତ୍ୱ ଦେଲେ ବିକାଶ ସମ୍ଭବ। ଯୋଗ୍ୟ ନେତାଙ୍କର ପ୍ରଥମ ଗୁଣ ହେଲା ତ୍ୟାଗ । ନେତାଙ୍କର ତ୍ୟାଗ ହେଉଛି ଗଛର ମୂଳ, ସୌଧର ତଳ, ସମାଜର ଭିତ୍ତି । ସେ ନେତାଙ୍କର ଭାବବିନିମୟ, କାଣ୍ଡଜ୍ଞାନ, ସଦିଚ୍ଛା, ପରଦୁଃଖରେ କାତର, ଶିଷ୍ଟାଚାର, ବିଚାରବନ୍ତ, ତାଙ୍କ ଉପରେ ନ୍ୟସ୍ତ ଥିବା ଦାୟିତ୍ୱକୁ ସୁଚାରୁରୂପେ ସଂପାଦନକରିବା, ସାହସୀ, ବିଶ୍ୱାସଯୋଗ୍ୟ, ଆଗ୍ରହ, ସତମିଛ ଜାଣିବାର ପ୍ରବୃତି, ନୂଆନୂଆ ସୃଷ୍ଟିକରିବାର କ୍ଷମତା ପ୍ରଭୃତି ସଦ୍‌ଗୁଣ ଥିଲେ ସେହିସବୁ ନେତାଙ୍କୁ ଯୋଗ୍ୟ ତାଲିକାରେ ଧରାଯାଏ । ଯଦି ନେତାଙ୍କ ମଧ୍ୟରେ ଲୋଭ, ଧନଲୋଭ କ୍ଷମତା ଉପଭୋଗର ନିଶା, ଆଳସ୍ୟ, କର୍ମକୋଡୀ, ଅତିରିକ୍ତ ଭୋଜନ କରିବାର ଲାଳସା, ଇର୍ଷା, ଅପରାଧ, ଚୋରି, ଦୁର୍ନୀତି କରି ବାହାଦୁରୀ ନେବା ଗୁଣ ଥାଏ ସେ ନେତା ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ ମୁଖ୍ୟମନ୍ତ୍ରୀ ହୁଅନ୍ତୁ କି ୱାର୍ଡମେମ୍ବର ହୁଅନ୍ତୁ ସେମାନେ ଅଯୋଗ୍ୟ ତାଲିକାରେ ଗଣାହେବେ । ଆମ ଦେଶ ତଥା ବିଦେଶରେ ଅଯୋଗ୍ୟ ନେତାଙ୍କ ସଂଖ୍ୟା ୯୯ ଭାଗ ହେବ।

ଆମ ଭାରତବର୍ଷରେ ସଂପ୍ରତି ଅଯୋଗ୍ୟ ନେତାଙ୍କର ଧାଡି ଲମ୍ବା ହେବାରେ ଲାଗିଛି । ରାଜକୋଷ ଲୁଣ୍ଠନ ଏମାନଙ୍କର ଅସ୍ଥିମଜାଗତ ହୋଇଗଲାଣି । ଦୁର୍ନୀତି କ୍ୟାନସର ଭଳି ମାଡି ଗଲାଣି । ନକଲି ନେତାଙ୍କ ପ୍ରାଦୁର୍ଭାବରେ ନିରୀହ ଜନତା ତ୍ରାହୀତ୍ରାହୀ ଡାକ ଦେଲେଣି । ଭାରତବର୍ଷର ରାଜନୀତିରେ ଆଜି ସତ୍ୟ ନାହିଁ, ସୌନ୍ଦର୍ଯ୍ୟ ନାହିଁ, ସୌରଭ ନାହିଁ – ନାହିଁ ଆଦର୍ଶ, ନାହିଁ ମୂଲ୍ୟବୋଧ । ସ୍ୱାଧୀନତା ପରବର୍ତୀ ପର୍ଯ୍ୟାୟରେ ରାଜନୀତି ହୋଇପଡିଛି ବୈଶ୍ୟ ବୃତି । ଯାହା ଥିଲା ଦିନେ ବ୍ରତ, ତାହା ଏବେ ହୋଇପଡିଛି ବୃତ୍ତି ! ନେତୃତ୍ୱ କହିଲେ ଆମ ଆଖି ଆଗରେ ଯେଉଁ ବ୍ୟକ୍ତିତ୍ୱର ଝଲକ ଝଟକି ଉଠେ, ଯେଉଁ ଭାବମୂର୍ତି ଫୁଟିଉଠେ–ସେ ନେତୃତ୍ୱ ଆଜିର ରାଜନୀତିରେ ଖୋଜି ପାଇବା କାଠିକର ପାଠ। ବରଂ ନକଲି ନେତୃତ୍ୱ ନିୟନ୍ତ୍ରଣାଧୀନ ସାଂପ୍ରତିକ ଭାରତୀୟ ରାଜନୀତି । ଏ ରାଜୀନତି ରକ୍ତପାତର ରାଜନୀତି, ଗୁଣ୍ଡାଗର୍ଦ୍ଦିର ରାଜନୀତି, କଳାଟଙ୍କାର ରାଜନୀତି, ନୀତିନୈତିକତାହୀନ ଶଠ-ଶେଠମାନଙ୍କର ରାଜନୀତି । ଏ ରାଜନୀତି ଜନସାଧାରଣଙ୍କୁ ଭୁଲାଏ, ଭଣ୍ଡାଏ, ଭୂଆଁ ବୁଲାଏ ବରାବର । ଏ ରାଜନୀତି ସ୍ୱବିରୋଧର ରାଜନୀତି–ଯେଉଁଠି ଗରିବକୁ ଭତା ନ ମିଳୁ ପଛେ ଧନୀକୁ ମିଳେ ନିଶ୍ଚିତ ନିରାପତା-ମୂଲିଆକୁ ମଜୁରି ନ ମିଳୁ ପଛେ ମନାଫାଖୋର କଳାବଜାରୀକୁ ମିଳେ ନିରଙ୍କୁଶ ମର୍ଯ୍ୟାଦା !

ଭାରତବର୍ଷର ରାଜନୀତି ଆଜି ନକଲି ନେତା ଏବଂ ନିଷ୍ଠୁର ବଣିକବର୍ଗଙ୍କର ଗୋଟାଏ ଅସାଧୁ ମେଂଟ ! ଭାରତୀୟ ରାଜନୀତିରେ ଏକ ସମାନ୍ତରାଳ ଗଣତାନ୍ତ୍ରିକ ବିରୋଧୀ ଧାରାର ପରୀକ୍ଷା ନିରୀକ୍ଷା ବ୍ୟର୍ଥ ସାବ୍ୟସ୍ତ ହୋଇଆସିଛି ବରାବର। ଏଠି ବହୁ ଦଳ, ବହୁ ଧ୍ୱଜା, ବହୁ ଧ୍ୱନି – ଅଜସ୍ର ଚିହ୍ନ ବା ପ୍ରତୀକ–କିନ୍ତୁ ନିରେଖି ଦେଖିଲେ ପରସ୍ପର ସହିତ ଲଢାଲଢି ହେଉଥିବା ଏସବୁ ଦଳର ଚରିତ୍ର ସଂପୂର୍ଣ୍ଣ ସମାନ । ବିଭିନ୍ନ ସାଇନ୍‌-ବୋର୍ଡ ଝୁଲାଇ ରାଜନୀତିର ଗୋଟାଏ ବିରାଟ ବଜାର ବିଛାଇ ବସିଛନ୍ତି କ୍ଷମତା-ଦଲାଲମାନେ-ସମଗ୍ର ଭାରତବର୍ଷରେ ଚାଲିଛି କିଣାବିକାର ରାଜନୀତି, ଦେକାନଦାରିର ରାଜନୀତି, ଚାନ୍ଦା ଭେଦାର ରାଜନୀତି, ଗୋଲକ ଧନ୍ଦାର ରାଜନୀତି। ଆଜି ଯିଏ ଶାସକ ଦଳରେ, କାଲି ତାକୁ ଦେଖିବାକୁ ମିଳୁଚି ବିରୋଧୀ ଦଳରେ -ଆଜି ଯିଏ ବିରୋଧୀ ଶିବିରରେ ଥାଇ ବଦ୍ଧମୁଷ୍ଟି ଉତୋଳନ କରୁଛି, କାଲି ସିଏ ହାତ ମିଳାଉଛି ଶାସକ ଦଳର କାର୍ପଟ୍‌ଦାରମାନଙ୍କ ସହିତ । ଯେହେତୁ କୌଣସି ନିର୍ଦ୍ଦିଷ୍ଟ ଆଦର୍ଶ ନାହିଁ, ନିର୍ଦ୍ଧାରିତ ଦର୍ଶନ ବା ଦୃଷ୍ଟିଭଙ୍ଗୀ ନାହିଁ-ସେଇଥିପାଇଁ ଭାରତବର୍ଷର ଗଣତନ୍ତ୍ରରେ ବାରମ୍ବାର ପ୍ରତ୍ୟକ୍ଷ କରିବାକୁ ପଡୁଛି ଏ ପ୍ରହସନର ପର୍ବ !

ଦଳବଦଳର ଦୃଷ୍ଟାନ୍ତ ସବୁ ଭାରତୀୟ ରାଜନୀତିରେ ଅତି ମାମୁଲି ଘଟଣା । କାହାକୁ ବିଶ୍ୱାସ କରିବା ? କାହା କଥାକୁ ବେଦର ଗାର ଭଳି ଗ୍ରହଣ କରିନେବା? ନା, ଆଜିର ଭାରତୀୟ ମୂଳଦୁଆ ଛିଡା ହୋଇଛି ଗୋଟାଏ ବିରାଟ ବିଶ୍ୱାସଭଙ୍ଗ ଉପରେ ! ରାଜନେତାମାନେ ବିଶ୍ୱାସଘାତକତା କରୁଛନ୍ତି ଜନଗଣଙ୍କ ପ୍ରତି, ରାଜନୈତିକ ଦଳମାନେ ଆଖିଠାର ମାରୁଛନ୍ତି ତମାମ୍ ଦେଶକୁ । ଯିଏ ଯେତେ ବେଶି ଦୁର୍ନିତୀ କରି ଧନ ଠୁଳ କଲା, ସିଏ ବୋଲାଇଲା ସେତେବଡ ଛାମୁନେତା-ଯିଏ ଯେତେ ବେଶି ଗୁଣ୍ଡା ପୋଷି ପାରିଲା, ସିଏ ହେଲା ସେତେବଡ କରିତ୍‌କର୍ମା କାର୍ପଟ୍‌ଦାର ! ଏଇ ହେଉଛି ଆଜିର ହାଲ୍‌ଚାଲ୍ ।

ସ୍ୱାଧୀନତା ପୂର୍ବରୁ ସେ ଥିଲା ଅଗ୍ନିଯୁଗ-କ୍ରାନ୍ତିର ସଂକ୍ରାନ୍ତି । ବହୁମତ, ବହୁପଥ… ତା’ ଭିତରେ ବାଟ ଚାଲୁଥିଲା ଭାରତବର୍ଷର ବିଦ୍ରୋହ, ବିପ୍ଲବ.. ବିଭିନ୍ନ ପତାକା ଓ ପାଗ ପଟୁଆରମାନ ଦେଖିବାକୁ ମିଳୁଥିଲା ସବୁ ଦିଗ, ସବୁ ଦିଗନ୍ତରେ। ଚାଷୀ ଆନ୍ଦୋଳନ କରୁଥିଲା, ମୂଲିଆ ମୁଷ୍ଟି ଉତୋଳନ କରୁଥିଲା, ସାଧାରଣ ଜନତା ବି ବରାବର ସାମିଲ୍ ରହିଥିଲା ପ୍ରତିବାଦର ମହାପ୍ରବାହରେ । ୧୯୪୭… ସ୍ୱାଧୀନତା ଆସିଲା । ଝଣ୍ଡା ଉଡିଲା ତ୍ରିରଙ୍ଗା । ଅଗଷ୍ଟ ୧୫ ପ୍ରତିଧ୍ୱନିତ ହେଲା ମଧ୍ୟରାତ୍ରିର ମୁକ୍ତି ସଂଗୀତରେ । ମାତ୍ର ତା’ପରଠାରୁ ଆମେ ଦେଖିଲେ ଦାରୁଣ ଦୃଶ୍ୟ । ବିଶ୍ୱାସ କରି ହେଲାନି ନୂଆ ଭାରତବର୍ଷକୁ ଆଉ । ସ୍ୱାଧୀନତାକୁ ଆମେସବୁ ଉପଲବ୍‌ଧି କଲେ କ୍ଷମତାର ହସ୍ତାନ୍ତର ଭାବରେ କେବଳ। ବିଦେଶୀ ଶାସନ ସମୟରେ ଆମ ସ୍ୱଦେଶୀ ଆନ୍ଦୋଳନର ସ୍ରୋତ ଥିଲା ଆକୁମାରୀ ହିମାଚଳବ୍ୟାପୀ ଏକ ଅଗ୍ନିପ୍ଲାବନ । ସେ ଅଗ୍ନିପ୍ଲାବନରୁ ଜନ୍ମ ନେଇଥିଲା ଭାରତୀୟ ରାଜନୈତିକ ସଂସ୍କୃତିର ମହାର୍ଘ ମୂଲ୍ୟବୋଧ । ସେତେବେଳର ବହୁ ନେତୃପୁରୁଷକୁ ସମାଜ ମଣୁଥିଲା ମହାପୁରୁଷ – ଯୁଗାବତାର – ଯେଉଁମାନେ କି କୌଣସି ସନ୍ଥ, ସନ୍ୟାସୀ ବା ଯୋଗୀପୁରୁଷଙ୍କ ଠାରୁ ସୁଦ୍ଧା କମ୍ ପୂଜା ପାଉ ନଥିଲେ। ମାତ୍ର ତଥାକଥିତ ମୁକ୍ତି ମିଳିଯିବା ପରେ ଭାରତୀୟ ରାଜନୀତି ପରିଣତ ହେଲା ଏକ ରାଜିନାମାରେ ରାଜନୀତିରେ । ଏ କ୍ଷେତ୍ରରେ ଆମେ ଆଉ ବିଶାଳ ବ୍ୟକ୍ତିତ୍ୱମାନଙ୍କୁ ନ ଦେଖି, ଭେଟିଲୁ ବିଳାସୀ ବାମନମାନଙ୍କୁ । ସେଦିନର ବ୍ୟାପକ ଭାରତୀୟ ରାଜନୀତି ରୂପାନ୍ତରିତ ହେଲା ଏକ ବ୍ୟୂହବଦ୍ଧ ବାମନତନ୍ତ୍ରରେ ।

ଲୋକଚରିତ୍ର କ’ଣ ବଦଳିଗଲା ? ସେ ଲୋକମାନେ ଆଉ କାହାନ୍ତି-ଯେଉଁମାନେ ରାଜପଥକୁ କରିଥିଲେ ପାନିପଥ, ଗ୍ରାମ ଓ ନଗରଗୁଡିକୁ ସଂଗ୍ରାମର ମଇଦାନ ? ସବୁ ଘର ସେତେବେଳେ ନିଜ ମାଟିର ମର୍ଯ୍ୟାଦା ପାଇଁ ପାଲଟିଥିଲା ଏକ ମହାନ୍ ଯୁଦ୍ଧର ଘାଟି ! ଏପରିକି ନିଷିଦ୍ଧ ଗଳିର ପତିତା ନାରୀ ମଧ୍ୟ ସୁରକ୍ଷା ଦେଇପାରୁଥିଲା ସେଦିନର ସଂପୃକ୍ତ ସନ୍ତ୍ରାସବାଦୀକୁ ! ସମସ୍ତେ ଥିଲେ ଶପଥବଦ୍ଧ ସେଦିନ। ଗୋଟିଏ ଲକ୍ଷ୍ୟ-ଗୋଟିଏ ଲୟ-ସ୍ୱାଧୀନତାର ଗିରିଶିଖର। ସତ ହେଲା ସଂଗ୍ରାମର ସ୍ୱପ୍ନ । ସାକାର ହେଲା ଭାବମୟୀ ଭାରତମାତାର ମଙ୍ଗଳମୂର୍ତ୍ତି । ଦେଶୀ ଶାସନର ସଡକରେ ରଥଯାତ୍ରା ରଚନା କଲା ଭାରତବର୍ଷର ରାଜନୀତି । କିନ୍ତୁ ଏ କ’ଣ ହେଲା ? ଆରମ୍ଭ ହେଲା ଦଙ୍ଗା ହଙ୍ଗାମା, ଲୁଟତରାଜ, ଧର୍ଷଣ, ଦୁର୍ନୀତି, ଭ୍ରଷ୍ଟାଚାରର ଭୟଙ୍କର ବାସ୍ତବତା । ଆଇନ୍ କାନୁନ୍‌କୁ ଆଖିଠାରି ଦେଶୀ ଶାସନର ପୃଷ୍ଟପୋଷକତାରେ କ୍ରମେ ଗଣତନ୍ତ୍ର ସହ ହାତ ମିଳାଇଲା ଗୁଣ୍ଡାରାଜ । ଜନବାହିନୀ ଓ ସୈନ୍ୟବାହିନୀ ଆଢୁଆଳରେ ଗଢିଉଠିଲା କ୍ରମେ ଗୁପ୍ତବାହିନୀ, ପଂଚମ ବାହିନୀ ଓ ମାଫିଆ ଡନ୍‌ମାନଙ୍କର ଘାତକ ବାହିନୀ ।

ଆଜି ଗୁଣ୍ଡାମି ଓ ଗୁପ୍ତଧନକୁ ନେଇ ପ୍ରସ୍ତୁତ ହେଉଚି ମୁକ୍ତଭାରତର ନକଲି ନେତୃତ୍ୱ । ଦେଶ ନୁହେଁ, ଦଳର ପତାକା ହିଁ ଆଜି ଫରଫର ଉଡୁଚି ଆଖି ସାମ୍ନାରେ । ଭାରତବର୍ଷରେ ଧର୍ମ ଯେପରି ଦୂରେଇ ଆସିଛି ଭଗବାନଙ୍କଠାରୁ, ରାଜନୀତି ମଧ୍ୟ ସେହିପରି ଦୂରେଇ ଆସିଛି ମଣିଷଠାରୁ । ସଇତାନର ଧର୍ମ ଓ ଅମଣିଷର ରାଜନୀତି – ଅର୍ଥାତ୍ ଅଧର୍ମ ଓ ଅରାଜକତାରେ ଆକ୍ରାନ୍ତ ଏ ଦେଶ ଏବେ । ଲୋକଚରିତ୍ର କ’ଣ ବଦଳିଗଲା ସତରେ ? ବିକୃତ ବ୍ୟବସ୍ଥାକୁ ବଜାୟ ରଖିବା ପାଇଁ ସଜା ଯାଉଥିବା ପୁଷ୍ପତୋରଣ ? ଆମେ କ’ଣ ସେଇମାନଙ୍କୁ ପାଛୋଟି ଆଣୁଥିବା ଗଣତନ୍ତ୍ରର ଗୋଲାପ ବଗିଚାକୁ ଯେଉଁମାନେ ଆମରି କଲିଜା କାଟି ରକ୍ତରେ ରଙ୍ଗାଉଥିବେ ଆମ ସନ୍ତାନମାନଙ୍କର ସରଳ ସକାଳମାନଙ୍କୁ ? ଲୋକଚରିତ୍ର କ’ଣ ଆଜି ସଂପୂର୍ଣ୍ଣ ସ୍ଥିତାବସ୍ଥାବାଦୀ ? ବିପ୍ଲବ-ବିରୋଧୀ ? ତା’ହେଲେ ଭବିଷ୍ୟତରେ ସଂଗ୍ରାମ ପାଇଁ କେଉଁଠି ସନ୍ଧାନ କରିବା ନୂଆ ମହାଭାରତୀୟ କୁରୁକ୍ଷେତ୍ର ?

ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

Leave a Reply

Your email address will not be published. Required fields are marked *

Back to top button