ଦିଦି ବି ‘ଜୟ ଶ୍ରୀରାମ’ କହିବେ : ଅମିତ ଶାହା

ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଉଠୁଛି ପଡ଼ୁଛି ପଶ୍ଚିମବଙ୍ଗ। ନିର୍ବାଚନ ପୂର୍ବରୁ ବିଜେପିର ହେଭି ଓ୍ବେଟ୍ ନେତା ଘନ ଘନ ବେଙ୍ଗଲ ଗସ୍ତ କରୁଛନ୍ତି। ପୁଣି ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବେଙ୍ଗଲରେ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। କୁଚବିହାରରେ ରାଲିକୁ ସମ୍ବୋଧନ କରୁଥିବା ବେଳେ ଶାହା କହିଛନ୍ତ, ଏଥର ପଶ୍ଚିମବଙ୍ଗ ନିର୍ବାଚନ ଐତିହାସିକ ହେବ। ମମତା ବାନାର୍ଜୀଙ୍କୁ ଗୁଣ୍ଡା ଜିତାଉଥିବା କହିବା ସହ ବିଜେପିକୁ ଭୋଟ ଦେବାକୁ ଉପସ୍ଥିତ ଜନତାଙ୍କୁ ଅପିଲ୍ କରିଛନ୍ତି ଅମିତ ଶାହା।
ଏହା ସହ ଶାହା ଆହୁରି କହିଛନ୍ତି, ‘ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଗୁଣ୍ଡାମାନଙ୍କ ବଳରେ ନିର୍ବାଚନ ଜିତୁଛନ୍ତି। ଯଦି ବେଙ୍ଗଲରେ ଜୟ ଶ୍ରୀରାମ କୁହାଯିବନି ତେବେ ପାକିସ୍ତାନରେ କୁହାଯିବ କି ? ନିର୍ବାଚନ ଶେଷ ହେଉ ହେଉ ମମତା ବାନାର୍ଜୀ ମଧ୍ୟ ଜୟ ଶ୍ରୀରାମ କହିବେ। ମମତା ବାନାର୍ଜୀ କେବଳ ଗୋଟିଏ ସମୁଦାୟର ଭୋଟ ପାଇବାକୁ ଏମିତି କରୁଛନ୍ତି। ହିନ୍ଦୁସ୍ତାନରେ ସମସ୍ତ ଧର୍ମକୁ ସମ୍ମାନ ଦିଆଯିବ।’
କୁଚବିହାର ରାଲିରେ ଅମିତ ଶାହା କହିଛନ୍ତି ପଶ୍ଚିମବଙ୍ଗରେ ବିଜେପି ସରକାର ଆସିବା କ୍ଷଣି ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ। ମେ’ ପରେ ମମତା ଏବଂ ତାଙ୍କ ପୁତୁରା କୌଣସି କେନ୍ଦ୍ରୀୟ ଯୋଜନା ଲାଗୁ ହେବାକୁ ରୋକି ପାରିବେ ନାହିଁ। ଏହା ସହ ବିଜେପି ନେତାଙ୍କ ହତ୍ୟାକାରୀଙ୍କୁ ଜେଲ୍ରେ ଭର୍ତ୍ତି କରାଯିବ ବୋଲି ଶାହା କହିଛନ୍ତି।
ଶାହା କହିଛନ୍ତି, ଟିଏମସି ଏବଂ କଂଗ୍ରେସ ପଶ୍ଚିମବଙ୍ଗର ବିକାଶ ପାଇଁ କିଛି କରିନାହାନ୍ତି। ବିଜେପି ସରକାର ମୋଦୀଙ୍କ ସୂତ୍ର ସବକା ସାଥ୍, ସବାକା ବିକାଶ ଏବଂ ସବକା ବିଶ୍ବାସ ଉପରେ କାର୍ଯ୍ୟ କରୁଛି। ସମସ୍ତ ସମୁଦାୟର ସଂସ୍କୃତି, ଭାଷା, ସଙ୍ଗୀତ, ସାହିତ୍ୟ ଆଗକୁ ନେଇ ଯିବା ଲୋକ। ତେଣୁ ସାରା ଭାରତ ଧିରେ ଧିରେ ମୋଦୀଙ୍କ ନେତୃତ୍ବ ସହ ଯୋଡ଼ି ହେଉଛନ୍ତି ବୋଲି ସେ କହିଛନ୍ତି।