ଖନେଇବା ଏକ ରୋଗ ନୁହେଁ, ବାକ୍‌ ସମସ୍ୟା

କିଛି ଲୋକ କଥା କହିବା ସମୟରେ ଏକ ନିର୍ଦ୍ଦିଷ୍ଟ ଅକ୍ଷର ପାଖରେ ତାଙ୍କ ଜିଭ ଅଟକି ରହିଯାଏ କିମ୍ବା ସେହି ଅକ୍ଷରକୁ ବାରମ୍ବାର କହିଥାନ୍ତି । ଏହି ସମସ୍ୟାକୁ ଇଂରାଜୀରେ ଷ୍ଟାମରିଂ ବା ଷ୍ଟଟରିଂ କୁହାଯାଉଥିବା ବେଳେ ଓଡ଼ିଆରେ ଖନା ବୋଲି କୁହାଯାଏ । କଥା କହିଲା ବେଳେ ଖନେଇବା ହେଉଛି ଏକ ବାକ୍‌ ସମସ୍ୟା । ତେବେ ଏହାର କାରଣ କ’ଣ? ନିରାକରଣ ସମ୍ଭବ କି? ଏମାନଙ୍କ ସହ ପରିବାର ସଦସ୍ୟ ଓ ପରିଚିତମାନେ କିପରି ବ୍ୟବହାର କରିବା ଆବଶ୍ୟକ? ଏ ନେଇ କ’ଣ କହନ୍ତି ବିଶେଷଜ୍ଞ? ଆସନ୍ତୁ ଜାଣିବା…

କୌଣସି ବ୍ୟକ୍ତି ଖନେଇବା ସମୟରେ ସେ କହିବାକୁ ଚାହଁଥିବା ଶବ୍ଦ ବିଷୟରେ ଅବଗତ ଥାଏ, କିନ୍ତୁ ଉଚ୍ଚାରଣ କରିବା କଷ୍ଟ ହୋଇଥାଏ । ଏହି ସମସ୍ୟା ବିଭିନ୍ନ ବୟସର ଲୋକଙ୍କୁ ପ୍ରଭାବିତ କରିଥାଏ । କିନ୍ତୁ ସାଧାରଣତଃ ୨ରୁ ୬ ବର୍ଷ ବୟସର ପିଲାଙ୍କଠାରେ ବେଶି ଦେଖାଯାଇଥାଏ । ପ୍ରାୟ ୭୫ ପ୍ରତିଶତ ପିଲା ଏହି ସମୟରେ ଖନେଇଥାନ୍ତି । ଆଉ ୨୫ ପ୍ରତିଶତ ବୟସ୍କ ଅବସ୍ଥାରେ ଏହି ସ୍ଥିତିକୁ ଅନୁଭବ କରିଥାନ୍ତି ।

ଖନେଇବା କ’ଣ?

ଏହା ଏକ ବାକ୍‌ଜନିତ ସମସ୍ୟା । ଯାହା କଥାର ସୁଗମ ଧାରାରେ ବାଧା ସୃଷ୍ଟି କରିଥାଏ । ଫଳରେ ଶବ୍ଦ ବା ଅକ୍ଷର ବାରମ୍ବାର ପୁନରାବୃତ୍ତି ହୋଇଥାଏ । ଶବ୍ଦଗୁଡିକ ଅଟକିଯିବା ପରି ମନେ ହୁଏ । ଫଳରେ ସେ ବାରମ୍ବାର ସେହି ଅକ୍ଷର ବା ଶବ୍ଦକୁ ଦୋହରାଇଥାନ୍ତି । କଥା ଉଚ୍ଚାରଣ କରିବା ସମୟରେ ବାୟୁ ପ୍ରବାହ ଅବରୋଧ ହେବା ଦ୍ୱାରା ଶବ୍ଦର ଧ୍ୱନି ଶୁଣାଯାଇ ନଥାଏ ।
ଯଦି କେହି କଥା କହିବା ସମୟରେ ଅଳ୍ପ ଖନେଇଥାନ୍ତି । ତାହା ଚଳିଯିବ । କିନ୍ତୁ ଅଧିକ ଖନେଇବା ଦ୍ୱାରା ଯୋଗାଯୋଗରେ ସମସ୍ୟା ଦେଖା ଦେଇଥାଏ । ଖନେଇ କଥା କହିବାର ଏକ ନିର୍ଦ୍ଦିଷ୍ଟ ସମୟ ରହିଥାଏ । କେବେ କେବେ ଖନା ବ୍ୟକ୍ତିଟିଏ ମଧ୍ୟ ଏକା ରାହାରେ ବିନା ବାଧାରେ ବହୁତ କଥା କହିଯାଇଥାନ୍ତି । ସେମାନେ ନିଜ ସମସ୍ୟାକୁ କମ୍‌ କରିବା ପାଇଁ ଅନେକ ସମୟରେ କିଛି ଶବ୍ଦ ଓ ପରିସ୍ଥିତିକୁ ଏଡାଇ ଯାଇଥାନ୍ତି । ସେମାନେ କେତେକ ଶବ୍ଦକୁ ଏପରି ଏଡାଇ ଯାଇଥାନ୍ତି ଯେ ଲୋକମାନେ ତାଙ୍କୁ ଖନା ବୋଲି ଜାଣିବା କଷ୍ଟ ହୋଇଥାଏ ।

ଖନେଇବାର କାରଣ

ବିଶେଷଜ୍ଞମାନେ ନିଶ୍ଚତ ନୁହଁନ୍ତି ଯେ ପିଲାମାନେ ଖନେଇବାର ବାସ୍ତବ କାରଣ କ’ଣ? କିନ୍ତୁ ବିଶ୍ୱାସ କରାଯାଏ ଯେ ବିଭିନ୍ନ କାରଣରୁ ବକ୍ତବ୍ୟରେ ବାଧା ସୃଷ୍ଟି ହୋଇଥାଏ । ସେମିତି କିଛି କାରଣ ରହିଛି…

ବଂଶଗତ ସମସ୍ୟା

ଅଧିକାଂଶ ବିଶେଷଜ୍ଞଙ୍କ ମତରେ ଏହା ଏକ ବଂଶଗତ ସମସ୍ୟା । ଖନେଇ କଥା କହୁଥିବା ପ୍ରାୟ ୬୦ ପ୍ରତିଶତ ଲୋକ କୌଣସି ନା କୌଣସି ଖନାଙ୍କ ସମ୍ପର୍କୀୟ ବା ବନ୍ଧୁବାନ୍ଧବ ହୋଇଥାନ୍ତି ।

ସଂଶୋଧନକ୍ଷମ ଖନାପଣ

ଛୋଟ ପିଲା ୧୮ ମାସରୁ ୨ ବର୍ଷ ମଧ୍ୟରେ ଖନେଇବା ଆରମ୍ଭ କରିଥାନ୍ତି । କିନ୍ତୁ ସମସ୍ୟା ସଂଶୋଧନକ୍ଷମ । ବୟସ ବଢିବା ସହ ସେମାନଙ୍କର ବକ୍ତୃତା ଓ ଭାଷା ଜ୍ଞାନ ବଢିଥାଏ । ଫଳରେ ସେମାନଙ୍କଠାରେ ଥିବା ସମସ୍ୟା ଧୀରେ ଧୀରେ ଦୂରେଇ ଯାଇଥାଏ । ଏହା ଏକ ଅସ୍ଥାୟୀ ସମସ୍ୟା ।

ସ୍ନାୟୁଗତ କାରଣରୁ

ଅନୁସନ୍ଧାନରୁ ଜଣାପଡିଛି ଯେ ଯେଉଁମାନେ ଖନେଇ କଥା କହିଥାନ୍ତି, ସେମାନଙ୍କ ମସ୍ତିଷ୍କରେ ଭାବବ୍ୟକ୍ତ ପ୍ରକ୍ରିୟା ସାଧାରଣ ଲୋକଙ୍କ ଠାରୁ ଭିନ୍ନ । କେତେକ କ୍ଷେତ୍ରରେ ମସ୍ତିଷ୍କ ମାଧ୍ୟମରେ ଉଚ୍ଚାରଣ ଲାଗି ନିର୍ଦ୍ଦେଶିତ ହେବା ସମୟରେ ଭାଷାରେ ସମସ୍ୟା ଥିବା ପରି ଲାଗେ । ଏପରି କାହିଁକି ଘଟେ ବୈ÷ଜ୍ଞାନିକମାନେ ମଧ୍ୟ ଏପର୍ଯ୍ୟନ୍ତ ତାହା ଜାଣି ପାରିନାହାନ୍ତି ।

ଅଭିଭାବକଙ୍କ ପାଇଁ…

  • ଯେଉଁ ଅଭିଭାବକଙ୍କ ପିଲାମାନେ ଖନେଇ କଥା କହୁଥାନ୍ତି । ସେମାନେ ପିଲାମାନଙ୍କୁ ନେଇ ଅଧିକ ଯତ୍ନଶୀଳ ହେବା ଆବଶ୍ୟକ । ପିଲାମାନଙ୍କୁ ସହଯୋଗ କରିବା ପାଇଁ କେତେକ ବିଶେଷ ପଦକ୍ଷେପ ନେଇପାରିବେ ।
  • ଖନଉଥିବା ପିଲାଙ୍କୁ ଧୀରେ ଧୀରେ ଓ ଶାନ୍ତ ଭାବେ କହିବାକୁ ଚେଷ୍ଟା କରନ୍ତୁ । ସେହିପରି ଘରେ ଥିବା ଅନ୍ୟ ବୟସ୍କମାନଙ୍କୁ ସମାନ କାର୍ଯ୍ୟ କରିବାକୁ ଉତ୍ସାହିତ କରନ୍ତୁ ।
  • ଘରର ପରିବେଶକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ ।
  • ପିଲା ଯାହା କହୁଛି, ସେଥିପ୍ରତି ଧ୍ୟାନ ଦିଅନ୍ତୁ, କିପରି କହୁଛି ନୁହେଁ । ଧୀର ଭାବେ ତା’ କଥାକୁ ଧ୍ୟାନ ଦିଅନ୍ତୁ । ପିଲା କିଛି କହୁଥିବା ବେଳେ ତାକୁ ରାଗନ୍ତୁ ନାହିଁ ।
  • ‘ଧୀରେ କହ’ କିମ୍ବା ‘ଆଉ ଥରେ ସ୍ପଷ୍ଟ ଭାବେ କହ’ ଏପରି କୁହନ୍ତୁ ନାହିଁ ।
  • ପିଲା କିଛି କହୁଥିବା ସମୟରେ ତା’ କଥାରେ ବାଧା ଦିଅନ୍ତୁ ନାହିଁ ଅଥବା ପ୍ରଶ୍ନ କରନ୍ତୁ ନାହିଁ ।
  • ପିଲାର ଖନେଇବା କିମ୍ବା କଥାଜନିତ ସମସ୍ୟା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ନାହିଁ ।
  • ପ୍ରତିଦିନ ପିଲା ସହ କିଛି ସମୟ ବିତେଇବାକୁ ପ୍ରୟାସ କରନ୍ତୁ ।

ଖନାଦୋଷ କମାଇପାରିବେ

ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୩ ନିୟୁତ ଶିଶୁ ଓ ବୟସ୍କ ଏହାଦ୍ୱାରା ପ୍ରଭାବିତ । ଖନା ଅବସ୍ଥାରୁ ସମ୍ପୂର୍ଣ୍ଣ ଆରୋଗ୍ୟ ସମ୍ଭବ ହୋଇନପାରେ । କିନ୍ତୁ ପ୍ରୟାସ ବଳରେ ଏହି ସ୍ଥିତିରେ ଉନ୍ନତି ଆଣିବା ସମ୍ଭବ । ଏଥିପାଇଁ ପାରିପାଶ୍ୱିର୍କ ପରିସ୍ଥିତି ଓ ପରିବେଶ ବହୁ ମାତ୍ରାରେ ଦାୟୀ ।

  • ମନ୍ଥର ଗତିରେ କଥା କୁହନ୍ତୁ
    ଖନାଦୋଷକୁ କମ୍‌ କରିବା ପାଇଁ ଏକ ପ୍ରଭାବଶାଳୀ ବାଟ ହେଉଛି ମନ୍ଥର ବେଗରେ କଥାବାର୍ତ୍ତା କରିବା । ଚିନ୍ତାଧାରାକୁ ସମ୍ପୂର୍ଣ୍ଣ କରିବା ପାଇଁ ବକ୍ତବ୍ୟକୁ ତ୍ୱରାନ୍ୱିତ କରିବା ଦ୍ୱାରା ଶବ୍ଦ ସଂଯୋଜନାରେ ସମସ୍ୟା ହେବା ସହ ଖନେଇବାକୁ ପଡିଥାଏ । ଗଭୀର ନିଃଶ୍ୱାସ ନେଇ ଧୀରେ ଧୀରେ କହିବା ଦ୍ୱାରା ଖନେଇବା ବା ପାଟି ଲାଗିବାକୁ ନିୟନ୍ତ୍ରିତ କରାଯାଇପାରିବ ।
  • ଅଭ୍ୟାସ କରନ୍ତୁ
  • ନିଜର ଘନିଷ୍ଠ ବା ପରିବାର ସଦସ୍ୟଙ୍କ ପାଖରେ ବସି କଥାବାର୍ତ୍ତାର ଅଭ୍ୟାସ କରନ୍ତୁ । ଏକ ସୁରକ୍ଷିତ ପରିବେଶରେ ବସି କଥାବାର୍ତ୍ତାର ଅଭ୍ୟାସ କରିବା ସହ ନିଜର ଆତ୍ମବିଶ୍ୱାସକୁ ମଜଭୁତ କରିବା ଆବଶ୍ୟକ ।

ସେହିପରି ଖନାଙ୍କ ଦ୍ୱାରା କରାଯାଇଥିବା କୌଣସି ଗୋଷ୍ଠୀରେ ଯୋଗ ଦିଅନ୍ତୁ । ସେମାନଙ୍କ ସହ କଥାବାର୍ତ୍ତା କରିବା ଓ ସାଙ୍ଗ ହେବା ଦ୍ୱାରା ଜୀବନ ସହଜ ହୋଇଯିବ ।
ଧ୍ୟାନ
ସ୍ପିଚ୍‌ ଥେରାପିଷ୍ଟଙ୍କ ପରାମର୍ଶ କ୍ରମେ ଧ୍ୟାନ ଓ ଯୋଗ ବଳରେ ମଧ୍ୟ ଖନାଦୋଷକୁ କମାଇପାରିବେ ।
ପରିବାରର ସହଯୋଗ
ସେହିପରି ପରିବାର ଓ ଘନିଷ୍ଠଙ୍କ ସହଯୋଗ ରହିଲେ ମଧ୍ୟ ଏହି ସମସ୍ୟାରେ ସୁଧାର ଆସିପାରିବ । ଆତ୍ମବିଶ୍ୱାସ ବଢିବା ଦ୍ୱାରା ଖନା ଦୋଷ ବହୁ ମାତ୍ରାରେ କମିଯାଇଥାଏ । ଫଳରେ ସେମାନେ ମୁଖ୍ୟସ୍ରୋତରେ ସାମିଲ୍‌ ହେବା ସମ୍ଭବ ହେବ ।
ଇଲେକ୍ଟ୍ରେନିକ୍‌ ସହ ଯାଆନ୍ତୁ
କେତେକ କ୍ଷେତ୍ରରେ କାନ ଯନ୍ତ୍ର ବକ୍ତବ୍ୟ ମନିଟର ଭାବେ ସାହାର୍ଯ୍ୟ କରିଥାଏ । ଏହି ଉପକରଣଗୁଡିକ ଆପଣଙ୍କୁ କହିବାରେ ବିଶେଷ ସାହାର୍ଯ୍ୟ କରିଥାଏ । ସ୍ପିଚ୍‌ ଥେରାପିଷ୍ଟ ଏ ଦିଗରେ ଆପଣଙ୍କୁ ସହଯୋଗ କରିପାରିବେ ।

ରହିଛି ବିପଦ…

ଅନେକ ଅଭିଭାବକ ପିଲାମାନଙ୍କ ଖନେଇବା ସମସ୍ୟାର ସମାଧାନ ପାଇଁ ଅନାଗ୍ରହୀ ହୋଇଥାନ୍ତି । ଯଦିବା ଚିକିତ୍ସା ଆରମ୍ଭ କରିଥାନ୍ତି, ତେବେ ଧୈର୍ଯ୍ୟ ରଖନ୍ତି ନାହିଁ ।

ପରିବାର : ସେହି ଘରେ ପିଲାମାନଙ୍କ ପାଇଁ ବିପଦ ଅଧିକ । ଯେଉଁ ପରିବାରରେ ଜଣେ ବା ଅଧିକ ବୟସ୍କ ଖନା ବ୍ୟକ୍ତି ରହିଥାନ୍ତି ।

ବୟସ : ଯେଉଁ ଶିଶୁମାନେ ସାଢେ ୩ ବର୍ଷ ବେଳକୁ ସୁଦ୍ଧା ଖନେଇ ଖନେଇ କଥା କହିଥାନ୍ତି, ସେମାନଙ୍କଠାରେ ଭବିଷ୍ୟତରେ ଏହି ସମସ୍ୟା ବଢିବାର ଆଶଙ୍କା ଅଧିକ ।

ଖନେଇବାର ଅବଧି ନିମ୍ନମତେ ହୋଇଥିଲେ : ଯଦି ଆପଣଙ୍କ ପିଲାର ଖନେଇବା ଅଭ୍ୟାସ ୬ ମାସରୁ ଅଧିକ ସମୟ ଧରି ଜାରି ରହେ, ତେବେ ଭବିଷ୍ୟତରେ ଏହା ବଢିବାରେ ଆଶଙ୍କା ବଢିଥାଏ । ତେଣୁ ତୁରନ୍ତ ସ୍ପିଚ୍‌ ଥେରାପିଷ୍ଟଙ୍କ ସହ ପରାମର୍ଶ କରିବା ଉଚି୍‌ତ ।

ଲିଙ୍ଗ : ଏହି ସମସ୍ୟା ଝିଅଙ୍କ ଅପେକ୍ଷା ପୁଅଙ୍କଠାରେ ୩/୪ ଗୁଣା ଅଧିକ ଦେଖା ଦେଇଥାଏ ।
ବକ୍ତବ୍ୟ ଓ ଭାଷାଜନିତ ସମସ୍ୟା : ଯେଉଁ ପିଲାମାନଙ୍କଠାରେ କହିବା ଓ ବୁଝିବାଜନିତ ସମସ୍ୟା ରହିଥାଏ, ସେମାନଙ୍କଠାରେ ଏହି ସମସ୍ୟା ଅଧିକ ବଢିବାର ସମ୍ଭାବନା ରହିଥାଏ ।

Leave a Reply

Your email address will not be published. Required fields are marked *

Back to top button