ଦିଲ୍ଲୀ ସୀମାରେ ଘର ତିଆରି କଲେ ଆନ୍ଦୋଳନରତ ଚାଷୀ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଚାଷୀମାନେ ଆନ୍ଦୋଳକ ଜାରି ରଖିଛନ୍ତି। ସରକାର ଦାବି ପୂରଣ କରୁ ନ ଥିବାରୁ ଆହୁରି ଅଧିକ ମାସ ଆନ୍ଦୋଳନ କରିବାର ଲକ୍ଷ୍ୟ ନେଇ ସେମାନେ ଇଟାରେ ଘର ତିଆରି ଆରମ୍ଭ କରିଛନ୍ତି।

ଗତ ବର୍ଷ ନଭେମ୍ବରରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ଚାଷୀମାନେ ସୀମାରେ ଖରା, ବର୍ଷା ଓ ଶୀତରେ ଆନ୍ଦୋଳନରେ ବସିଥିଲେ। ଏସବୁରୁ ରକ୍ଷା ପାଇବା ପାଇଁ ଏବେ ସେମାନେ ଘର ନିର୍ମାଣ କରୁଥିବା ବେଳେ ଏହାର ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି।

ହରିୟାଣା ନିକଟ ଟିକ୍ରି ସୀମାରେ ବିକ୍ଷୋଭକାରୀମାନେ ଏହି ଘର ନିର୍ମାଣ କରୁଥିବା ଦେଖିବାକୁ ମିଳିଛି। ସେମାନେ ନିର୍ମାଣ ସାମଗ୍ରୀ ପାଇଁ ଅର୍ଥ ଖର୍ଚ୍ଚ କରୁଥିବା ବେଳେ ଶ୍ରମ ମୂଲ୍ୟକୁ ସଞ୍ଚୟ କରୁଛନ୍ତି। ପ୍ରତ୍ୟେକ ଘର ନିର୍ମାଣ ପାଇଁ ଆନୁମାନିକ ମୂଲ୍ୟ ପ୍ରାୟ ୨୦,୦୦୦ରୁ ୨୫,୦୦୦ଟଙ୍କା ଖର୍ଚ୍ଚ ହେଉଛି। ତାପମାତ୍ରା ବଢ଼ୁଥିବାରୁ ଚାଷୀମାନେ ଅସ୍ଥାୟୀ ଟେଣ୍ଟକୁ ଭାଙ୍ଗି ଇଟାରେ ଘର ନିର୍ମାଣ କରୁଛନ୍ତି।

ଇତି ମଧ୍ୟରେ ସରକାର ଏବଂ ଚାଷୀଙ୍କ ମଧ୍ୟରେ ୧୦ମ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। ହେଲେ ସମାଧାନର କୌଣସି ବାଟ ବାହାରିପାରି ନାହିଁ। ମାର୍ଚ୍ଚ ୨୬ରେ ଆନ୍ଦୋଳନକୁ ୪ମାସ ପୂରିବାକୁ ଥିବା ବେଳେ ବିକ୍ଷୋଭକାରୀମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button