ଦିଲ୍ଲୀରେ ଅମିତ ଶାହ ଓ ଶରଦ ପାଓ୍ୱାରଙ୍କ ରୁଦ୍ଧଦ୍ୱାର ବୈଠକ

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କ ମଧ୍ୟରେ ହୋଇଛି ରୁଦ୍ଧ ଦ୍ୱାର ବୈଠକ। ଗୁଜରାଟର ଏକ ଆଞ୍ଚଳିକ ଖବରକାଗଜର ରିପୋର୍ଟ କରିଛି ଶନିବାର ଦିଲ୍ଲୀରେ ଅମିତଙ୍କୁ ଭେଟିଛନ୍ତି ଏନସିପି ନେତା ପ୍ରଫୁଲ ପଟେଲ ଓ ଶରଦ ପାଓ୍ୱାର। ଏଥିରେ ମହାରାଷ୍ଟ୍ର ରାଜନୀତିକୁ ନେଇ ଆଲୋଚନା ହୋଇଥିବା କୁହାଯାଉଛି। କିନ୍ତୁ ଅମିତ ଶାହ କହିଛନ୍ତି ସବୁ କଥା ସାର୍ବଜନୀନ କରାଯାଇପାରିବ ନାହିଁ। ଏବେ ଚର୍ଚ୍ଚା ହେଉଛି ମହାରାଷ୍ଟ୍ର ମେଣ୍ଟ ସରକାର ଉପରେ ଏହାର ପ୍ରଭାବ ପଡିପାରେ।

ଅନ୍ୟପକ୍ଷରେ ମହାରାଷ୍ଟ୍ରର ପ୍ରଦେଶ କଂଗ୍ରେସ ସଭାପତି ତଥା ପୂର୍ବତନ ବାଚସ୍ପତି ନାନା ପୋଟୋଲ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ସଞ୍ଜୟ ରାଉତ ଏବେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କ ମୁଖପାତ୍ର ପାଲଟିଛନ୍ତି। ଯେହେତୁ ୟୁପିଏରେ ଶିବସେନା ନାହିଁ ତେଣୁ ସଞ୍ଜୟ ଏଭଳି ମନ୍ତବ୍ୟରୁ ନିବୃତ୍ତ ରହିବା ଦରକାର। ସେହିପରି ବିଜେପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ କହିଛନ୍ତି ଟିମର ୧୬ ନମ୍ୱର ପ୍ଲେୟାର କହୁଛି କିଏ ହେବ ଦଳର ଅଧିନାୟକ। ଯିଏ ଟିମରେ ନାହିଁ ସେ ମତାମତ ରଖିବାର କୌଣସି ଯଥାର୍ଥ ନାହିଁ।

ସୂଚନାଯୋଗ୍ୟ ଶିବସେନା ନେତା ନିକଟରେ କହିଥିଲେ ସାରା ଦେଶରେ ୟୁପିଏ ଦୁର୍ବଳ ହୋଇଗଲାଣି। ଏଭଳି ସ୍ଥିତିରେ ଏନଡିଏକୁ କାଉଣ୍ଟର କରିବା ପାଇଁ ମଜବୁତ ସଂଗଠନର ଲୋଡା। ଏଥିପାଇଁ ୟୁପିଏ ହିଁ ନେତୃତ୍ୱ ନେଇପାରିବ। ହେଲେ ୟୁପିଏର ଅଧ୍ୟକ୍ଷ ଶରଦ ପାଓ୍ୱାର ହେବା ଦରକାର। ସୋନିଆ ଗାନ୍ଧୀ ୟୁପିଏର ଅଧ୍ୟକ୍ଷା ରହିଛନ୍ତି। କଂଗ୍ରେସ ସହିତ ଅନ୍ୟାନ୍ୟ ଦଳକୁ ଏକାଠି କରି ଆଗକୁ ନେବା ପାଇଁ ସେ ଚେଷ୍ଟା କରୁଛନ୍ତି। ହେଲେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ରହୁନାହିଁ। ବର୍ତ୍ତମାନ ସ୍ଥିତିରେ ୟୁପିଏକୁ ଆଗକୁ ବଢ଼ିବାକୁ ହେଲେ ଶରଦ ପାଓ୍ୱାର ନେତୃତ୍ୱ ନେବା ଆବଶ୍ୟକ।

Leave a Reply

Your email address will not be published. Required fields are marked *

Back to top button