Breaking Newsବିଶେଷ

ଦି’ପଦ ଦୁଃଖର ଦାବିନାମା

॥ ମାୟାଧର ନାୟକ ॥

ବିଶ୍ରାମରେ ସୁଖକି ଆଶ୍ରମରେ ଶାନ୍ତି ଅଛିକି ନାହିଁ, କେବେ ଖୋଜିନି-ଜାଣିନି। ଆଶ୍ରମ ଆଉ ବିଶ୍ରାମ-ଏ ଦୁଇଟି ଭିତରୁ ସୁଖଶାନ୍ତିର ଠିକଣା ନଖୋଜି ମୁଁ ବରଂ ଦୁଃଖ ସହିତ ଦୁଇପଦ କଥା ହେବି କେଉଁଠି। ସେ ଦୁଃଖ-କେତେ ମଣିଷର, କେତେ ଦିଗକୁ ଅନାଇ ରହିଥିବା ଅନେକ ଆଖିର, ହଜାରେ ହୃଦୟର, ଲକ୍ଷେ ମନର-ଜୀବନ ଯେଉଁଠି ଦିନ ଦିନର ସ୍ମୃତି ଆଉ ରାତି ରାତିର ସ୍ୱପ୍ନ ମଝିରେ ସଜାଡୁଥାଏ ତା’ ଧୂପଦୀପ। ଏ ଜୀବନ ସବୁ ଦୁଃଖକଷ୍ଟ ଭିତରେ ବି ଦୁର୍ଲଭ-ଅପରୂପ।

ସବୁ ସଭ୍ୟତାର ଶିକ୍ଷା, ସବୁ ଦର୍ଶନର ଦୀକ୍ଷା, ସବୁକଳା-ସଂସ୍କୃତି-ସାହିତ୍ୟର ପରୀକ୍ଷା ନିରୀକ୍ଷାରେ ମଣିଷ ଆରମ୍ଭରୁ ଏପର୍ଯ୍ୟନ୍ତ ପ୍ରଶିକ୍ଷିତ ହୋଇ ଆସିଛି ଜୀବନବୋଧ ଦ୍ୱାରା ଆଲୋଡିତ ହୋଇ। ଜୀବନ ଏହି ଦୃଷ୍ଟିରୁ ମୋ ପାଇଁ ପ୍ରିୟ ପ୍ରଶିକ୍ଷକ। ମୁଁ ତା’ର ଶିଷ୍ୟହେବା ପାଇଁ ଚାହେଁ କୌଣସି ଆଶ୍ରମର ବଟ ଚ୍ଛାୟା ତଳେ ନ ବସି, ତା’ କଟାଗଛର ଘନ ଅରଣ୍ୟରେ। ଜୀବନର ଜଣେ ବିଶ୍ୱସ୍ତ ବନଚାରୀ ଭାବରେ ଏ ପ୍ରାନ୍ତରରୁ ସେ ପଥକୁ ମୁହାଁଉ ଥିବାବେଳେ ମୁଁ ମୋର କ୍ଲାନ୍ତି ଅପନୋଦନ ଉଦ୍ଦେଶ୍ୟରେ ମଧ୍ୟବର୍ତ୍ତୀ କୌଣସି ବିଶ୍ରାମସ୍ଥଳର ଶଯ୍ୟାରେ ଦିବାନିଦ୍ରା ନ ଯାଇ, ଏ ସ୍ୱପ୍ନ ଦେଖିବାକୁ ଚାହେଁ ଦୁର୍ବାର ଜାଗରଣର ଦାବାଗ୍ନି-ପ୍ରଜ୍ୱଳିତ ଜନ ଅରଣ୍ୟରେ-ଯଦି କେବେ ମୁଁ ବିଶ୍ରାମ ଲୋଡିବି, ତା’ହେଲେ ସେ ବିଶ୍ରାମ ସ୍ଥଳହେବ ମୋ ସାଥୀ ସଂଗ୍ରାମୀ ପ୍ରିୟ ମଣିଷମାନଙ୍କର ସେଇ ନିର୍ଭରଯୋଗ୍ୟ ଶକ୍ତସବଳ କାନ୍ଧସବୁ, ଏକଦା ଯେଉଁମାନଙ୍କ ସହିତ ହାତ ଧରାଧରି ହୋଇ ଦୀର୍ଘକାଳ ପଲ୍ଲୀରୁ ଦିଲ୍ଲୀଯାଏଁ ପଟୁଆରୀ ଯାତ୍ରାରେ ମୋର ପାଦ ଥିଲା ଚଳଚଂଚଳ ଏବଂ ହୃଦୟ ଥିଲା ସ୍ପନ୍ଦନଶୀଳ।

ବହୁ ଶୁଭେଚ୍ଛୁ ସମକାଳୀନ ବନ୍ଧୁ ମତେ ବେଳେ ବେଳେ ଦରଦଭରା ସ୍ୱରରେ କହିଥାନ୍ତି-ବୟସ ହେଲା, ବିଶ୍ରାମ ନିଅ, ଏଣିକି ଟିକିଏ ସୁଖ ଶାନ୍ତିରେ ରୁହ। ମୁଁ ସେମାନଙ୍କୁ ଏ ବିଷୟରେ କିଛି ନ କହି ହସିଦିଏ-ସେଇ ହସ, ଯାହା ସହିତ ସେମାନେ ସୁପରିଚିତ। ମୋ ହସହିଁ ସେମାନଙ୍କୁ ଅସଲ ଉତ୍ତର। ଏ କଥାଟା ସେମାନେ ବି ଜାଣନ୍ତି। ସୁଖ ପାଇବାକୁ ବିଶ୍ରାମ ଚାହେଁନା। ସେ ବିଶ୍ରାମ ଲୋଡେନା ଯାହା ମତେ ଜୀବନ-ଆନ୍ଦୋଳନର ଦାବୀନାମାଠାରୁ କରିରଖିବ ଦୂରବର୍ତ୍ତୀ। ଶାନ୍ତି ପାଇବାକୁ ଆଶ୍ରମ ଯାଏନା। ସେ ଆଶ୍ରମର ଆଶ୍ରିତ ହେବାକୁ କେବେ ଇଚ୍ଛା କରେନା, ଯାହା ମତେ ମୋର ଜୀବନରେ ଜନାରଣ୍ୟଠାରୁ ବିଚ୍ଛିନ୍ନ କରାଇ ଦାନ କରିବ କେବଳ ନିରର୍ଥକ ନିଃସଙ୍ଗ ନିର୍ଜନତା।

ସୁଖ-ଏ ସୁଖ ମତେମିଳୁ ଅଶ୍ରୁରେ-ମାତ୍ର ତାହାହେଉସେଇ ଅନେକ ଆଖିର ଆନନ୍ଦାଶ୍ରୁ। ଶାନ୍ତି-ଏ ଶାନ୍ତି ମତେ ଅନୁଭୂତ ହେଉ ଆନନ୍ଦରେ-ମାତ୍ର ତାହା ହେଉ ସେଇ ଐକ୍ୟବଦ୍ଧ ଆହ୍ଲାଦକର ଅନାମୟ ଅଙ୍ଗୀକାର।

ଦୁଃଖ-ଏ ଦୁଃଖ ମତେ ଆଲୋଡିତ କରୁ ତାର ପ୍ରତ୍ୟେକ ସ୍ପନ୍ଦନରେ, ମାତ୍ର ତାହା ହେଉ ସେଇ ହଜାରେ ହୃଦୟ, ଲକ୍ଷେ ମନର ମରମ କଥାକୁ ନେଇ ମହା ଜୀବନର ହୃତ୍‌ସ୍ପନ୍ଦନ।

ଆଜି ମଧ୍ୟ ମୁଁ ବିଶ୍ରାମହୀନ-ଏ ମହାଜାତିର ଉତ୍ପୀଡିତ କ୍ରନ୍ଦନରୋଳ ମଧ୍ୟରେ ନିଷ୍ପେଷିତ ଜନ, ଜାତି ଓ ଜନଜାତିର ଜୀବନ ଶୈଳୀକୁ ସମନ୍ୱିତ କରାଇବାରେ ଯୋଜନା ଓ ସର୍ଜନାକୁ ନେଇ ସ୍ୱପ୍ନ ଦେଖିବାରେ। ଦିନେ ଏ ସ୍ୱପ୍ନକୁ ଘୋଷଣାନାମାରେ ପରିଣତ କରିବାକୁ ଯାଇ ସମସ୍ତଙ୍କୁ ଶୁଣାଇଥିଲି-ଜମି ବିକନା, ଭଡା ଦିଅ। ଲୋକେ ଶୁଣିଲେ। ଥୋକେ ବୁଝିଲେ। ମାତ୍ର ଶୁଣିଲାନି ଶାସନ, ବୁଝିଲାନି ପ୍ରଶାସନ। ମୋର ସମସ୍ତ ଚିନ୍ତା, ଚେତନା, କର୍ମ ଓ କାର୍ଯ୍ୟକଳାପକୁ ଭିତ୍ତିକରି ଏକ ଫିଲ୍ମ “ଦି ମଦରଲ୍ୟାଣ୍ଡ୍‌” ୨୦୧୯ ମସିହାରେ ପ୍ରସ୍ତୁତ ହୋଇ ସାରିଛି। ବିଶ୍ୱର ଦଶଟି ସ୍ଥାନରେ ଆର୍ନ୍ତଜାତିକ ଚଳଚ୍ଚିତ୍ର ମହୋତ୍ସବରେ ଆନୁଷ୍ଠାନିକ ସ୍ୱିକୃତୀ ମିଳିଛି। ଜମିବିକନା, ଭଡା ଦିଅ। ଇଂରାଜିରେ “ଲ୍ୟାଣ୍ଡ୍‌ଟୁଲେଟ୍‌” ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣକରି ରାଜନୀତିଜ୍ଞ ଓ ଅର୍ଥନୀତିଜ୍ଞମାନଙ୍କର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିପାରିଛି। ଦି ମଦରଲ୍ୟାଣ୍ଡ୍ ଫିଲ୍ମରେ ଖଟିଖିଆ, ମଜୁରିଆ, ମେହନତୀ ମଣିଷର ସ୍ୱାର୍ଥରକ୍ଷା ପାଇଁସୃଷ୍ଟି ହୋଇଛି ଏକ ନୂତନ ପୃଥିବୀ, ଯେଉଁଠି ଶୋଷଣ ସ୍ୱତସ୍ପୃତ ଭାବେ ଶୁଖିଯିବ ଏବଂ ନ୍ୟାୟ ଓ ମିମାଂସାସୁଲଭ ହୋଇଯିବ।

ଭାରତୀୟ ବୁଦ୍ଧିଜୀବୀବର୍ଗ ଉପରେ ମୋର ତିଳାର୍ଦ୍ଧ ଆସ୍ଥା ନାହିଁ। କାରଣ ସେମାନେ ଯାହାବୁଝନ୍ତି, ତାହାକୁହନ୍ତି ନାହିଁ କିମ୍ବା ଯାହା ଶୁଣନ୍ତି ତାହା ଜଣାନ୍ତି ନାହିଁ। ଭୟକୁ ଜୟ କରିପାରି ନଥିବାଏହି ମଧ୍ୟବର୍ଗୀ ତ୍ରିଶଙ୍କୁ ଗୋତ୍ରୀୟଗଣ ନା ପ୍ରାଣୀଙ୍କ ଆରତ ହୃଦୟଙ୍ଗମ କରି ଦୁଃଖ ଅପ୍ରମିତର ଦିଗ ଦେଖାଇପାରିବେ ନା ଭବିଷ୍ୟତର ଗୋଟିଏ ଭାରତୀୟ ଗଣ ସମାଜ ଗଢି ତୋଳିବା ପାଇଁ ଆମ କାହାକୁ ଦେଇପାରିବେ ବିନ୍ଦୁଏ ବି ଭରସା! ସେମାନଙ୍କୁ ତେଣୁ ମୋ ତରଫରୁ କିଛି କହିବାର ନାହିଁ। କାଲି ମୁଁ ଯାହାସବୁ କହିଥିଲି, ସେସବୁ ମୋ ସମୟରେ ସଦ୍ୟ ତରୁଣ ଥିବା ଗୋଟିଏ ପଣପ୍ରବଣ ପରାକ୍ରମୀ ପିଢିକୁ। ଆଜିର ତୀବ୍ର ତରୁଣ ପିଢି କ’ଣ ମୋ କଥା ଶୁଣିବ ? ତାକୁ ଆଜି କ’ଣ କହିବି ? କହିବି ଯେ-ନିଜକୁ ବିକନା, ଭଡାରେ ଲଗାନା, ଜୀବନର ଜମିଚଷି ଉତ୍ତରପିଢି ପାଇଁ ଫଳାଅ ଫସଲ, ଫୁଟାଅ ଫୁଲ । ଉପୁଜାଅ ସେଇ ଇତିହାସ -ଯାହା ଅନାଗତ ଭବିଷ୍ୟତ ପାଇଁହୋଇପାରିବ ଉର୍ବରତାର ଉତ୍କୃଷ୍ଟତର ଉଦାହରଣ ।

ଆଜି ଅନ୍ତଃକରଣରେ ପ୍ରାର୍ଥନାକରୁଛି-ହେମର୍ତ୍ୟବାସୀ ମନୁଷ୍ୟ ସନ୍ତାନମାନେ, ପ୍ରତ୍ୟେ କକରାଳ-କରୁଣ, କର୍ମଭୂମି-ଯୁଦ୍ଧଭୂମିକୁ ତୁମେମାନେ ଆଜିଠାରୁ ଶ୍ୟାମଳ-ସବୁଜ ଶସ୍ୟ ଭୂମିରେ ରୂପାନ୍ତରିତ କରିବାର ଶପଥ କର। ସବୁ ରକ୍ତ କର୍ଦ୍ଦମାକ୍ତ ଜୀବନ-ଜୀବିକା କ୍ଷେତ୍ରର ରୂପ ବଦଳିଯାଉ। ରାଶିରାଶି ଫୁଲ ଫୁଟୁଥିବା ଏକ ଚମତ୍କାର ଅନିନ୍ଦ ସୁନ୍ଦର ରୂପ ବର୍ଣ୍ଣନର ଚତୁର ଚେହେରାରେ! ପତ୍ର-ଫୁଲ-ଫଳର ଫର୍ଦ୍ଦ ପାଠକରୁ ଏ ପ୍ରତାରିତ ପୃଥିବୀ – ଆଜିଠାରୁ ଏଇ ସଂକଳ୍ପ ଗ୍ରହଣକର। ଏ ଉଚ୍ଚାରଣ ଆଶ୍ରମରୁ ନୁହେଁ- ମୋର ଗଭୀର ଅନ୍ତଃକରଣରୁ। ଏହାହିଁ ଆଜି ଏଠାରେ ମୋର ସର୍ବ ସମ୍ମୁଖରେ ଅନ୍ତର୍ଭେଦୀ ଦି’ପଦ ଦୁଃଖର ଦାବିନାମା … ଅସଲ ସୁଖ ଶାନ୍ତିର ଶପଥପାଠ।

ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

ମତାମତ ଦିଅନ୍ତୁ ।

Back to top button