ଭୁବନେଶ୍ୱର : କରୋନା କଟକଣା ପାଇଁ ସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିଥିଲା। କିନ୍ତୁ ଡିସେମ୍ବରରେ ୭୫ ପ୍ରତିଶତ କର୍ମଚାରୀ ଅଫିସ ଆସିବେ। ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
ଶନିବାର ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ଡିସେମ୍ବର ମାସରେ କଟକ ଓ ଭୁବନେଶ୍ଵର ସରକାରୀ ଅଫିସରେ ୭୫ ପ୍ରତିଶତ କର୍ମଚାରୀ କାମ କରିି ପାରିବେ। ଅଫିସ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହୁଏ ତାହାକୁ ଗୁରୁତ୍ଵ ଦିଆଯିବ। ହେଲେ ସମସ୍ତ ସରକାରୀ ଅଫିସ ଶନିବାର ଦିନ ବନ୍ଦ ରହିବ ବୋଲି କୁହାଯାଇଛି।
ସେହିପରି କେଉଁ କର୍ମଚାରୀମାନେ ଅଫିସ ଆସି କାମ କରିବେ ତାହା ଅଫିସର ମୁଖ୍ୟ ସ୍ଥିର କରିବେ। ଜରୁରୀକାଳୀନ ସେବାରେ ଥିବା ଅଫିସ ପୂରା କର୍ମଚାରୀଙ୍କୁ ନେଇ ଚାଲିବ। ଏସଆରସି ଓ ଓଏସଡିଏମଏ ଅଫିସ, ପୋଲିସ, ଅଗ୍ନିଶମ ବିଭାଗ, ସ୍ଵାସ୍ଥ୍ୟ ସେବା, ମ୍ୟୁନିସିପାଲିଟି ଆଦି ଅଫିସଗୁଡ଼ିକ ସମସ୍ତ କର୍ମଚାରୀଙ୍କୁ ନେଇ ଚାଲିବ। ଅଫିସକୁ ଆସିଥିବା କର୍ମଚାରୀଙ୍କ ସହ ବିଭାଗର ମୁଖ୍ୟଙ୍କୁ କରୋନା ପ୍ରୋଟୋକଲ ମାନି ଚଳିବାକୁ ପଡିବ। ଯଦି କାମ କରିବା ସମୟରେ କୌଣସି କର୍ମଚାରୀ କରୋନା ଆକ୍ରାନ୍ତ ହୁଅନ୍ତି ତେବେ ଅଫିସ ପକ୍ଷରୁ ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ପ୍ରୋଟୋକଲ ମାନି କାମ କରିବାକୁ ହେବ।
ଯେଉଁମାନଙ୍କୁ ଭିପିଏନ ସୁବିଧା ଦିଆଯାଇଛି ସେମାନେ ଘରୁ କାମ କରିପାରିବେ। ହେଲେ ଦରକାର ପଡ଼ିଲେ ସେମାନଙ୍କୁ ଅଫିସ ଆସିବାକୁ ହେବ। ଫୋନରେ ଯୋଗାଯୋଗ ପାଇଁ ସେମାନେ ସବୁବେଳେ ଉପଲବ୍ଧ ହେବାକୁ ପଡ଼ିବ।