ଡିଜେ ବାଜିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର : ସହରରେ ବଢୁଛି ଶବ୍ଦ ପ୍ରଦୂଷଣ । ଚିନ୍ତା ବଢାଉଛି ସାଉଣ୍ଡ ସମସ୍ୟା । ବିବାହ ଓ ବ୍ରତ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଉଚ୍ଚ ଶବ୍ଦ ପ୍ରୟୋଗ କରି ସାଉଣ୍ଡ ବାଜୁଥିବାବେଳେ ସ୍ଥିତି ସଙ୍ଗିନ କରୁଛି ଡିଜେ । ଫଳରେ ହୃଦ୍ରୋଗୀ, ଗର୍ଭବତୀ, ଶିଶୁ, ବୃଦ୍ଧବୃଦ୍ଧା ଓ ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି । ତେଣୁ ଏଥିରେ ରୋକ୍ ଲଗାଇବାକୁ ଉଦ୍ୟମ ହୋଇଛି । ରବିବାର ପୁରୀ ପୁଲିସ ଓ ପୁରୀ ସାଉଣ୍ଡ ଆଣ୍ଡ ଲାଇଟ୍ସ ଓନର୍ ଆସୋସିଏସନ୍ର କର୍ମକର୍ତ୍ତାଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି ।
ସିଟି ଡିଏସ୍ପିଙ୍କ କାର୍ଯ୍ୟାଳୟରେ ଏହି ବୈଠକ ଆୟୋଜିତ ହୋଇଥିଲା । ସିଟି ଡିଏସ୍ପି କ୍ଷୀରସାଗର ନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ । ବୈଠକରେ ବିଭିନ୍ନ କଟକଣା ଲାଗୁ ପାଇଁ ନିଷ୍ପତ୍ତି ନିଆଯାଇଛି । ସହରରେ ୬୫ ଡେସିବେଲ୍ ଉପରକୁ ସାଉଣ୍ଡ ବାଜିବ ନାହିଁ ବୋଲି ସ୍ଥିର କରାଯାଇଛି । ଏପରିକି ବାଜୁଥିବା ସାଉଣ୍ଡରେ ସବ୍ ଉଫର୍ ମଧ୍ୟ ବ୍ୟବହାର କରାଯିବ ନାହିଁ । ଏହା ହୃତ୍ପିଣ୍ଡ ଉପରେ ପ୍ରଭାବ ପକାଉଥିବାରୁ ଏହାକୁ ନିଷେଧ କରାଯାଇଛି । ଅଧିକ ଶବ୍ଦ ପ୍ରଦୂଷଣ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକଣା ଜାରି କରାଯାଇଛି ।
ସେପଟେ ପୂର୍ବରୁ ଡିଜେକୁ ନିଷେଧ କରାଯାଇଛି । କିନ୍ତୁ ସହରରେ ବେଆଇନ୍ ଭାବେ ଡିଜେ ବଜାଇ ଉତ୍ପାତ ହେଉଛନ୍ତି ଅମାନିଆ । ତେଣୁ ଏଥର ଡିଜେ ବଜାଇଲେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥିର କରାଯାଇଛି । ସେହିପରି ସହର ବାହାରୁ ଆସୁଥିବା ପ୍ରସେସନ୍ ମଧ୍ୟ ନିୟମ ଭିତରେ ରହିବ । ସହର କିମ୍ଭା ଜିଲ୍ଲା ବାହାରୁ ଆସୁଥିବା ପ୍ରସେସନ୍ରେ ୬୫ ଡେସିବେଲ୍ରୁ ଅଧିକ ସାଉଣ୍ଡ ବାଜିଲେ ଏହାକୁ ସିଜ୍ କରାଯିବ ବୋଲି କହିଛନ୍ତି ସିଟି ଡିଏସ୍ପି ଶ୍ରୀ ନାୟକ । ତେବେ ଏହି ସବୁ କଟକଣାକୁ ଉଲ୍ଲଙ୍ଘନ କଲେ ପୁଲିସ ଟିମ୍ ଚଢଉ କରି ଘଟଣା ସ୍ଥଳରେ ପ୍ରସେସନ୍ ବନ୍ଦ କରି ସାଉଣ୍ଡ ସିଷ୍ଟମ୍ ସିଜ୍ କରିବ ବୋଲି ନିଷ୍ପତ୍ତି ହୋଇଛି ।
ବୈଠକରେ ସିଟି ଡିଏସ୍ପିଙ୍କ ସହ ସହରର ସମସ୍ତ ଥାନାର ଆଇଆଇସି ଓ ଆସୋସିଏସନ୍ ସଭାପତି ଏସ୍.କେ ସାବୁ, ସମ୍ପାଦକ ରାକେଶ କୁମାର ମହାନ୍ତି ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ପରବର୍ତ୍ତୀ ସମୟରେ ଆଉ ଏକ ବୈଠକ ଆୟୋଜନ ହେବ ବୋଲି ସିଟି ଡିଏସ୍ପି କହିଛନ୍ତି ।