ଡ୍ରଗ୍ସ ମାମଲାରେ ବଲିଉଡ୍ ଅଭିନେତା ବିବେକ ଓବରଏଙ୍କ ଘରେ ଚଢ଼ଉ

ବେଙ୍ଗାଲୁର : ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତା ବିବେକ ଓବେରୟଙ୍କ ମୁମ୍ବାଇ ଘରେ ବେଙ୍ଗାଲୁରୁ ପୋଲିସ ଚଢ଼ଉ କରିଛି। ବିବେକ ଓବରଏଙ୍କ ଶଳା ଆଦିତ୍ୟ ଅଲଭାଙ୍କର ଚନ୍ଦନକାଠ ଓ ଡ୍ରଗ୍ସ କାରବାରରେ ସଂପୃକ୍ତ ଥିବାରୁ ତାଙ୍କୁ ଖୋଜିବା ପାଇଁ ବେଙ୍ଗାଲୁରୁ କ୍ରାଇମ ବ୍ରାଞ୍ଚର ଦୁଇଜଣ ଇନ୍ସପେକ୍ଟର ସର୍ଚ୍ଚ ୱାରେଣ୍ଟ ନେଇ ଆସିଥିଲେ। ଅପରାହ୍ନରେ ସେମାନେ ବିବେକଙ୍କ ଜୁହୁ ବାସଭବନରେ ପହଞ୍ଚି ପ୍ରାୟ ଅଢ଼େଇଘଣ୍ଟା ଧରି ସର୍ଚ୍ଚ ଅପରେସନ୍ ଚଳାଇଥିଲେ।

ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ ଆଦିତ୍ୟ ଅଲଭା ଫେରାର ଅଛନ୍ତି। ସେ କର୍ଣ୍ଣାଟକ ପୂର୍ବତନ ମନ୍ତ୍ରୀ ଜୀବରାଜ ଅଲଭାଙ୍କ ପୁଅ। ତାଙ୍କ ଭଉଣୀ ପ୍ରିୟଙ୍କା ବିବେକ ଓବରଏଙ୍କୁ ବିବାହ କରିଛନ୍ତି। ପୋଲିସକୁ ସୂଚନା ମିଳିଥିଲା ଆଦିତ୍ୟ ଭିଣୋଇ ଘରେ ଲୁଚିଛନ୍ତି। ସେଥିପାଇଁ କୋର୍ଟରୁ ୱାରେଣ୍ଟ ନେଇ ଆସିଥିଲେ ବେଙ୍ଗାଲୁରୁରୁ କ୍ରାଇମ ବ୍ରାଞ୍ଚର ଟିମ୍। ଗତ ମାସରେ ତାଙ୍କ ଫାର୍ମହାଉସରେ ଚଢ଼ାଉ ହୋଇଥିଲା। ତେବେ ସନ୍ଦେହ ରହିଛି ବିବକେଙ୍କ ଘରେ ହୋଇଥିବା ଭୋଜିରେ ଡ୍ରଗ୍ସ ସେବନ ହୋଇଥିଲା।

ବଲିଉଡ ପରି ସାଉଥ ସିନେ-ଶିଳ୍ପରେ ଡ୍ରଗ୍ସ କାରବାରର ଖୁଲସା ହୋଇଛି। ଅନେକ ବଡ଼ ବଡ଼ ନାଁ ସାମ୍ନାକୁ ଆସିଥିବା ବେଳେ କେତେକ ଗିରଫ ହୋଇଛନ୍ତି। ଏହି ମାମଲାରେ ଅଭିନେତ୍ରୀ ରାଗିଣୀ ଦ୍ଵିବେଦୀ ଓ ସଞ୍ଜନା ଗଲରାନିଙ୍କୁ ଗିରଫ କରାଯାଇଛି। ଆଦିତ୍ୟ ଅଲଭାଙ୍କ ବିରୋଧରେ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଗାୟକ ଓ ଅଭିନେତାଙ୍କୁ କଥିତ ଭାବେ ଡ୍ରଗ୍ସ ସପ୍ଲାଇ କରିବାର ଅଭିଯୋଗ ହୋଇଛି।

ମତାମତ ଦିଅନ୍ତୁ ।