ଦୁଇ ନକଲି ପୋଲିସ ଗିରଫ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ ଡକାୟତି ଉଦ୍ୟମ କରିଥିବା ଦୁଇଜଣ ନକଲି ପୋଲିସକୁ ଗିରଫ କରିଛି। ଅନ୍ୟ ତିନିଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି।
ଖବର ଅନୁଯାୟୀ ବାଲିଗୁଡ଼ା ପୋଲିସ ରାତ୍ରୀ କାଳୀନ ପେଟ୍ରୋଲିଂ କରୁଥିବା ବେଳେ ଖଡ଼ଗନଦୀ ପୋଲ ନିକଟ ଏକ ଅନ୍ଧାରୁଆ ସ୍ଥାନରେ କିଛି ସନ୍ଦିଗ୍ଧ ଲୁଚି ରହିଥିବା ଦେଖିବାକୁ ପାଇଥିଲେ। ପୋଲିସକୁ ଦେଖି ସେମାନେ ଦୌଡ଼ିବା ବେଳେ ଦୁଇଜଣ ଧରାପଡିଛନ୍ତି। ଅନ୍ୟ ତିନିଜଣ ଖସିଯିବାରେ ସକ୍ଷମ ହୋଇଛନ୍ତି। ଗିରଫ ଅଭିଯୁକ୍ତ ପୋଲିସ୍ ଏଏସ୍ ଆଇ ପୋଷାକ ପିନ୍ଧି ସ୍ଥାନୀୟ ଦୁର୍ବୃତ୍ତଙ୍କ ସହ ମିଶି ରାସ୍ତାରେ ଯାଉଥିବା ଗାଡ଼ି ଓ ଲୋକମାନଙ୍କ ଠାରୁ ଡକାୟତି କରିବାକୁ ଯୋଜନା କରୁଥିଲେ ବୋଲି ପୋଲିସ ସୂଚନା ଦେଇଛି। ଗିରଫ ଦୁଇଜଣ ବାଲିଗୁଡ଼ା ଥାନା ତେମାଙ୍ଗି ଓ ସିନ୍ଦ୍ରିଗାଁ ଅଞ୍ଚଳର ସିଦ୍ଧାନ୍ତ ମଲ୍ଲିକ ଓ ସୁଦର୍ଶନ ବିନ୍ଧାଣୀ। ସେମାନଙ୍କ ନିକଟରୁ ଗୋଟିଏ ମାରୁତି ସୁଇଫ୍ଟ ଡିଜାଏର କାର୍, ଲୁହା ରଡ୍, ବେତ ଲାଠି, ଦୁଇହଳ ପୋଲିସ୍ ଡ୍ରେସ୍, ଗୋଟିଏ ଖେଳଣା ପିସ୍ତଲ୍ ,ସାତୋଟି ପୋଲିସ୍ ଟୋପି ସହ ବିଭିନ୍ନ ମାରଣାସ୍ତ୍ର ଜବତ୍ ହୋଇଥିବା ଜଣାପଡିଛି।