ଦୁଇଭାଇଙ୍କୁ ହାଣି ଟଙ୍କା ଓ ସୁନାଗହଣା ଲୁଟିଲେ ଡକାୟତ

ଖୁଣ୍ଟୁଣୀ : କଟକ ଜିଲ୍ଲାର ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଘଣ୍ଟିଖାଲ ପଞ୍ଚାୟତ (ଚେପେଟି) ଦ୍ୱାରାବତୀପୁର ଗ୍ରାମରେ ଗତକାଲି ରାତିରେ ଡକାୟତି ହୋଇଛି। ବନ୍ଧୁକ ଓ ମାରଣାସ୍ତ୍ରରେ ସଜ୍ଜିତ ୬ଜଣ ଡକାୟତ ରବୀନ୍ଦ୍ର କୁମାର ନାୟକଙ୍କ ଘରେ ପଶି ସୁନାଗହଣା, ଟଙ୍କା ଓ ମୋବାଇଲ୍‌ ଲୁଟି ନେଇଛନ୍ତି।

ଖବର ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ୬ଜଣ ଡକାୟତ ରବୀନ୍ଦ୍ରଙ୍କ ବାଡ଼ି କବାଟ ଭାଙ୍ଗି ଦେଇଥିଲେ। ତିନିଜଣ ବାହାରେ ରହିଥିଲେ ଓ ଧାରୁଆ ଅସ୍ତ୍ର ଓ ବନ୍ଧୁକ ଧରି ତିନିଜଣ ଘରେ ପଶିଥିଲେ। ଏହି ସମୟରେ ଶବ୍ଦ ଶୁଣି ରବୀନ୍ଦ୍ର ଓ ତାଙ୍କ ପରିବାର ନିଦରୁ ଉଠି ପଡ଼ିବାରୁ ଡକାୟତମାନେ ରବୀନ୍ଦ୍ରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ପରିବାର ସଦସ୍ୟମାନଙ୍କୁ ଗୋଟିଏ ଘର ଭିତରେ ବନ୍ଦ କରି ଦେଇଥିଲେ। ମୋବାଇଲ୍‌ ଫୋନ୍‌ ମଧ୍ୟ ଛଡ଼ାଇ ନେଇଥିଲେ।

ଏହାପରେ ମାଗିଥିଲେ ଗଡ୍‌ରେଜ୍‌ ଆଲ୍‌ମିରା ଚାବି। ରବୀନ୍ଦ୍ର ଦେବାକୁ ମନା କରିବାରୁ ଡକାୟତମାନେ ୩ଟି ଗଡ୍‌ରେଜ ମଧ୍ୟରୁ ୨ଟିକୁ ଭାଙ୍ଗି ପ୍ରାୟ ୮୦ଗ୍ରାମ ସୁନାଗହଣା, ଏକ ମନିପର୍ସରେ ଥିବା ୧୨ହଜାର ଟଙ୍କା ଲୁଟି ନେଇଥିଲେ। ରବୀନ୍ଦ୍ରଙ୍କ ଦୁଇପୁଅ ଦୀପ୍ତି ଓ ରତି ପ୍ରତିବାଦ କରିବାରୁ ଡକାୟତମାନଙ୍କ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। ମାରଣାସ୍ତ୍ରରେ ଦୁଇ ଭାଇଙ୍କୁ ଆକ୍ରମଣ କରି ଡକାୟତମାନେ ସୁନାଗହଣା, ଟଙ୍କା ଓ ୨ଟି ମୋବାଇଲ ନେଇ ଚମ୍ପଟ ମାରିଥିଲେ।

ମତାମତ ଦିଅନ୍ତୁ ।