ନୂଆଦିଲ୍ଲୀ : ଅସାଧୁ ଉପାୟରେ ଆଇଜିଏସ୍ଟି ଠକି ରାଜକୋଷର କ୍ଷତି କରିଥିବା ୧୩୭୭ ଜଣ ରପ୍ତାନିକାରୀ ଚିହ୍ନଟ ହୋଇଛନ୍ତି। ଏହି ରପ୍ତାନିକାରୀମାନେ ୧ ୮୭୫ କୋଟି ଟଙ୍କାର ରିଫଣ୍ଡ୍ ଦାବି କରିଥିଲେ। ଏଥିରେ ‘ସେଭେନ୍ ଷ୍ଟାର୍’ ରପ୍ତାନିକାରୀ ମଧ୍ୟ ରହିଛନ୍ତି। କିନ୍ତୁ ସେମାନଙ୍କ ପତ୍ତା ମିଳୁନାହିଁ। ସେହିଭଳି ଅନ୍ୟ ତିନି ଜଣ ‘ଷ୍ଟାର୍’ ରପ୍ତାନିକାରୀଙ୍କ ରିପୋର୍ଟ ମିଳିଛି। ୧୦ ଜଣ ରପ୍ତାନିକାରୀଙ୍କ ମଧ୍ୟରୁ ଦାବି କରିଥିବା ‘ଆଇଜିଏସ୍ଟି’ ଫେରସ୍ତ ଅର୍ଥର ପରିମାଣ ହେଉଛି ୨୮.୯ କୋଟି।
‘ଆଇଜିଏସ୍ଟି’ ବା ଇଣ୍ଟିଗ୍ରେଟେଡ୍ ଗୁଡ୍ସ୍ ଆଣ୍ଡ୍ ସର୍ଭିସେସ୍ ଟ୍ୟାକ୍ସ୍ ହେଉଛି ଆନ୍ତଃ-ରାଜ୍ୟ ଦ୍ରବ୍ୟ ଓ ସେବା ଯୋଗାଣ ଉପରେ ଲାଗୁ କରାଯାଉଥିବା ଟିକସ। ସୂଚନା ଅନୁସାରେ ସରକାରଙ୍କ ବିପଜ୍ଜନକ ତାଲିକାରେ ୭, ୫୧୬ଜଣ ରପ୍ତାନିକାରୀଙ୍କୁ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରୁ ୨, ୮୩୦ ଜଣ ବିପଜ୍ଜନକ ରପ୍ତାନିକାରୀ ଦାବି କରିଥିବା ୧, ୩୬୩ କୋଟିର ‘ଆଇଜିଏସ୍ଟି’ ରିଫଣ୍ଡ୍ ବାତିଲ କରାଯାଇଥିବା ବେଳେ ୨୧୯୭ ଜଣ ବିପଜ୍ଜନକ ରପ୍ତାନିକାରୀଙ୍କ କ୍ଷେତ୍ରରେ ପ୍ରତିକୂଳ ରିପୋର୍ଟ କରାଯାଇଛି।