ଦୁର୍ଗାଙ୍କ ବେଶ ପାଇଁ ନୁସରତଙ୍କୁ ହତ୍ୟା ଧମକ

ସାହାରନପୁର : ତୃଣମୂଳ କଂଗ୍ରେସ ସାଂସଦ ତଥା ଅଭିନେତ୍ରୀ ନୁସରତ ଜାହାଁ ନିକଟରେ ଦୁର୍ଗାଙ୍କ ବେଶରେ ଫଟୋ ଶୁଟ୍ କରିଥିଲେ। ଏହି ଫଟୋ ଭାଇରାଲ ହେବାପରେ ମୁସଲିମ୍ ଧର୍ମ ଗୁରୁ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି। ସାହାରନପୁରସ୍ଥିତ ଦେଓବନ୍ଦ ଓଲେମା କହିଛନ୍ତି ଇସଲାମ ଧର୍ମରେ କୌଣସି ଜାତି, ଜୀବନରେ ଦଖଲ କରିବାକୁ ଅନୁମତି ନାହିଁ। କିନ୍ତୁ ନୁସରତ ସବୁବେଳେ କିଛି ନା କିଛି ବିବାଦରେ ଫସିରହିଥାନ୍ତି। ତାଙ୍କ କାର୍ଯ୍ୟକଳାପକୁ ନେଇ ଲୋକଙ୍କର ଆପତ୍ତି ରହିଛି। କାରଣ ଜଣେ ମୁସଲମାନ ହିସାବରେ ନୁସରତଙ୍କ କାର୍ଯ୍ୟକଳାପ ଶୋଭା ପାଉନାହିଁ।

ଅନ୍ୟପଟେ ସୋଶାଲ ମିଡିଆରେ ନୁସରତଙ୍କୁ ଲଗାତର ଧମକ ଦିଆଯାଉଥିବା ଅଭିଯୋଗ କରି ସେ ସୁରକ୍ଷା ଲୋଡିଛନ୍ତି। ସୋଶାଲ ମିଡିଆରେ ଜଣେ ୟୁଜର ଲେଖିଛନ୍ତି ତୁମର ମୃତ୍ୟୁର ସମୟ ପାଖେଇ ଆସିଲାଣି। ତୁମେ କଣ ତମ ଶରୀର ଆଚ୍ଛାଦିତ କରିପାରିବ ନାହିଁ। ସେହିପରି ଆଉ ଜଣେ ୟୁଜର ନାମ ପରିବର୍ତ୍ତନ କରିବାକୁ କହିଛନ୍ତି। କେବଳ ସେତିକି ନୁହେଁ ନୁସରତଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଛି। ଏଭଳି ଧମକ ମିଳିବା ପରେ ବର୍ତ୍ତମାନ ଲଣ୍ଡନରେ ରହୁଥିବା ନୁସରତ ବିଦେଶ ମନ୍ତ୍ରାଳୟ ଓ ପଶ୍ଚିମବଙ୍ଗ ସରକାରଙ୍କୁ ସୁରକ୍ଷା ମାଗିଛନ୍ତି।

ମତାମତ ଦିଅନ୍ତୁ ।