ଦୁର୍ନୀତିଗ୍ରସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ଫଟୋ ଥାନାରେ ଟଙ୍ଗାଯିବ

ନୂଆଦିଲ୍ଲୀ : ଏଣିକି ଥାନା ନୋଟିସ୍ ବୋର୍ଡରେ ଲାଗିବ ଦୁର୍ନୀତିଗ୍ରସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ଫଟୋ। ସେମାନଙ୍କ ଅପରାଧର ବିବରଣୀ ଏଥିରେ ସ୍ଥାନ ପାଇବ। ପୋଲିସ ବିଭାଗରେ ଭ୍ରଷ୍ଟାଚାର ରୋକିବା ପାଇଁ କେନ୍ଦ୍ର ସରାକର ଏହି ନିଷ୍ପତ୍ତି ନେଇଛନ୍ତି।

ଦେଶର ଅନ୍ତରୀଣ ସୁରକ୍ଷା କେନ୍ଦ୍ର ଗୃହମନ୍ତ୍ରାଳୟ ଉପରେ ରହିଥିବାରୁ ଭ୍ରଷ୍ଟଚାରୀ ପୋଲିସ କର୍ମଚାରୀଙ୍କ ପ୍ରଚାର ଓ ପ୍ରସାର ସୋସିଆଲ ମିଡିଆରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଘଟଣାରେ କର୍ମଚାରୀ ଓ ଅଧିକାରୀ ସାମିଲ ଥିବେ ତା’ର ବିସ୍ତୃତ ବିବରଣୀ ସହ ଥାନାରେ ଫଟୋ ଲାଗିବ। କେବଳ ନିମ୍ନ ସ୍ତରର କର୍ମଚାରୀ କିମ୍ବା ଅଧିକାରୀ ନୁହଁନ୍ତି ଭାରତୀୟ ପୋଲିସ ସେବା ଅଧିକାରୀ (ଆଇପିଏସ୍)ଙ୍କ ପାଇଁ ଲାଗି ମଧ୍ୟ ଏହି ନିୟମ ଲାଗୁ ହେବ। ପୋଲିସର ଛବି ଓ ସାର୍ବଜନିକ ସମ୍ପର୍କ ପଦକ୍ଷେପର ଏକ ସ୍ୱରୂପ ଏହି କାର୍ଯ୍ୟକ୍ରମ ହାତକୁ ନିଆଯିବ।

ସବୁ ଲୋକ ଯେପେରି ପଢି ବୁଝି ପାରିବେ ସେଥିପାଇଁ ଇଂରାଜୀ ଓ ସ୍ଥାନୀୟ ଭାଷାର ଉପଯୋଗ କରିବାକୁ ନିର୍ଦ୍ଦେଶ ରହିଛି। କର୍ମଚାରୀ ଓ ଅଧିକାରୀଙ୍କ ଉପରେ ନଜର ରଖିବାକୁ ଅନ୍ତରୀଣ ସତର୍କତା ୟୁନିଟ୍‌କୁ କୁହାଯାଇଥିବା ବେଳେ ଇନହାଉସ୍ ଟିମ୍‌ ଗଠନ କରି ସୋସିଆଲ ମିଡିଆ କଣ୍ଟେଣ୍ଟ ବିଶ୍ଲେଷଣ କରିବାକୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ପ୍ରଚଳିତ ପ୍ରସଙ୍ଗ ଓ ଆଗାମୀ ଦିନରେ ହେବାକୁ ଥିବା ପରିବର୍ତ୍ତନ, ଲୋକଙ୍କ ପୋଷ୍ଟ, ରିପୋଷ୍ଟ, ରିଟ୍ୱିଟ୍ କମେଣ୍ଟ ଆଦିର ସଘନ ବିଶ୍ଲେଷଣ କରି ଜାଣିବାକୁ କୁହାଯାଇଛି। ସେହିପରି ପୋଲିସର ସମ୍ବେଦନଶୀଳ କାର୍ଯ୍ୟପ୍ରଣାଳୀର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ବିସ୍ତୃତ ସେୟାର କରିବାକୁ ଦିଆଯାଇଛି ପରାମର୍ଶ। ଏପରି କଲେ ପୋଲିସ ପ୍ରତି ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସିପାରିବ ବୋଲି ଆଶା କରାଯାଉଛି।

ମତାମତ ଦିଅନ୍ତୁ ।