ଦ୍ଵିତୀୟ ପତ୍ନୀକୁ ହତ୍ୟା ଉଦ୍ୟମ କରି ପୋଲିସ ବାବୁ ବନ୍ଧାହେଲେ

ସମ୍ବଲପୁର : ପୂର୍ବରୁ ବିବାହ କରିଥିବା କଥା ଲୁଚାଇ ଆଉ ଥରେ ବିବାହ। ପରେ ଦ୍ଵିତୀୟ ପତ୍ନୀଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭଯୋଗରେ ଜଣେ ଏପିଆର୍‌ କନେଷ୍ଟବଳ ଗିରଫ। ଏହି ଘଟଣା ଏବେ ଝାରସୁଗୁଡ଼ା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

ଖବର ଅନୁଯାୟୀ ଝାରସୁଗୁଡ଼ାର ଏପିଆର୍‌ କନେଷ୍ଟବଳ ଅଲେଖ ରୋହୀଦାସ। ଘର ଲଇକେରା ଥାନା ବାଗଡିହି ଝାରମୁଣ୍ଡା। ଅଲେଖ ପୂର୍ବରୁ ବିବାହିତ। ଏ କଥା ଲୁଚାଇ ସେ ବର୍ଷକ ତଳେ ବରେଇପାଲିର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ବିବାହ ପରେ ଦ୍ଵିତୀୟ ପତ୍ନୀଙ୍କୁ ଘରକୁ ନେଇଥିଲେ। କିନ୍ତୁ ପରିବାର ଲୋକେ ଓ ପ୍ରଥମ ପତ୍ନୀ ତାଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେବାରୁ ସେ ବରେଇପାଲି ବାପ ଘରକୁ ପଳାଇ ଆସିଥିଲେ।

ଗତ ଶୁକ୍ରବାର ଅପରାହ୍ଣରେ ଅଲେଖ ବରେଇପାଲିରେ ପହଞ୍ଚି ପତ୍ନୀକୁ ଗାଳିଗୁଲଜ କରିବା ସହ ମାର୍‌ପିଟ୍‌ କରିଥିଲେ। ଏପରିକି ଏକ କାଠ ଫାଳିଆରେ କରିଥିଲେ ମରଣାନ୍ତକ ଆକ୍ରମଣ। ପତ୍ନୀ ଚିତ୍କାର କରିବାରୁ ଏକ ପଥରରେ ମୁଣ୍ଡକୁ ଛେଚି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ସ୍ଥାନୀୟ ଲୋକେ ପହଞ୍ଚି ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏ ସମ୍ପର୍କରେ ଖବର ପାଇ ମହିଳା ଥାନା ପୋଲିସ୍‌ ଏକ ମାମଲା ରୁଜୁ କରି ଅଲେଖକୁ ଗିରଫ କରିଛି। ଝାରସୁଗୁଡ଼ା ଏସ୍‌ପି ସମସ୍ତ ବିଷୟ ଅବଗତ ହେବାପରେ ଅଲେଖ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button