ଦ୍ଵିତୀୟ ଥର ମା’ ହେବାକୁ ଥିବା ମହିଳାଙ୍କୁ ମିଳିବ ୬ ହଜାର ଟଙ୍କା

ଜୟପୁର : ରାଜସ୍ଥାନ ସରକାର ‘ଇନ୍ଦିରା ଗାନ୍ଧୀ ମାତୃତ୍ଵ ପୋଷଣ’ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଦ୍ୱିତୀୟ ଥର ମା’ ହେବାକୁଥିବା ମହିଳାମାନଙ୍କୁ ମିଳିବ ୬ ହଜାର ଟଙ୍କା ପ୍ରୋତ୍ସାହନ। ଟଙ୍କା ସିଧାସଳଖ ହିତାଧିକାରୀ ବ୍ୟାଙ୍କ୍ ଆକାଉଣ୍ଟକୁ ପଠାଯିବ ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ କହିଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ “ଇନ୍ଦିରା ଗାନ୍ଧୀ ମାତୃତ୍ଵ ପୋଷଣ” ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଗେହେଲଟ। ସେ କହିଛନ୍ତି ଏହି ଯୋଜନା ପୁଷ୍ଟିହୀନତାର ମୁକାବିଲା କରିବା ସହିତ ପିଲାମାନଙ୍କ ସଠିକ୍ ବିକାଶ ପାଇଁ ଜଣେ ମାର ସ୍ୱାସ୍ଥ୍ୟର ମହତ୍ତ୍ୱ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ। ଯଦି ଜଣେ ଗର୍ଭବତୀ ମହିଳା ପର୍ଯ୍ୟାପ୍ତ ପୁଷ୍ଟିକର ଖାଦ୍ୟ ପାଆନ୍ତି ତେବେ ଶିଶୁ ମଧ୍ୟ ସୁସ୍ଥ ଜନ୍ମ ହେବ।

ସେ କହିଛନ୍ତି ଏହି ଯୋଜନା ସାରା ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ବ୍ୟବସ୍ଥା ହୋଇଛି। ଏଥିପାଇଁ ୪୩ କୋଟି ଟଙ୍କାର ବଜେଟ ଘୋଷଣା କରାଯାଇଛି। ଯାହାଫଳରେ ପ୍ରାୟ ୭୭ ହଜାର ମହିଳା ଉପକୃତ ହେବେ। କେବଳ ସେତିକି ନୁହେଁ ଦେଶରେ ଏହାକୁ ଲାଗୁ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିବେ ବୋଲି ଗେହେଲଟ କହିଛନ୍ତି।

ମତାମତ ଦିଅନ୍ତୁ ।