Breaking Newsବିଶେଷ

ଏମିତି ସଫଳତା : ଚୁଡ଼ି ବେପାରୀରୁ ଆଇଏଏସ୍‌

ରାଞ୍ଚି : ଦୃଢ଼ ଇଚ୍ଛାଶକ୍ତି ଜୀବନରେ ଆଣିଲା ପରିବର୍ତ୍ତନ। ଏହାକୁ ପ୍ରମାଣିତ କରିଛନ୍ତି ରମେଶ ଘୋଲାପ। ୨୦୧୨ ବ୍ୟାଚ୍‌ର ଆଇଏଏସ୍‌ ରମେଶ ପିଲାଦିନେ ରାମୁ ନାମରେ ପରିଚିତ ଥିଲେ। ବାପା ଗୋରଖ ଚଳାଉଥିଲେ ଏକ ସାଇକେଲ୍‌ ମରାମତି ଦୋକାନ। ଏଥିରେ ଚାରିଜଣିଆ ପରିବାର ଚଳିବା ଥିଲା କଷ୍ଟକର। ହେଲେ ଏ ବ୍ୟବସାୟ ଦୀର୍ଘଦିନ ଟିଷ୍ଟିଲାନି। ମଦ୍ୟପାନ କରି ଅସୁସ୍ଥ ହେବା ପରେ ଗୋରଖଙ୍କର ମୃତ୍ୟୁ ଘଟିଥିଲା।

ରମେଶଙ୍କ ମା’ ବିମଲ ପରିବାର ଚଳାଇବା ପାଇଁ ଗାଁ ଗାଁ ବୁଲି ଚୁଡ଼ି ବିକିବା ଆରମ୍ଭ କରିଥିଲେ। ରମେଶଙ୍କ ବାଁ ଗୋଡ଼ ପୋଲିଓ ଆକ୍ରାନ୍ତ ହୋଇଥିଲେ ମଧ୍ୟ ସେ ସେ ଛୋଟ ବୟସରୁ ମାଆଙ୍କୁ ସାହାଯ୍ୟ କରୁଥିଲେ। ରମେଶ ଓ ତାଙ୍କ ଭାଇ ମିଶି ବଡ଼ ପାଟିରେ ‘ଚୁଡ଼ି ନିଅ ଚୁଡ଼ି’ ବୋଲି ଡାକୁଥିଲେ। ମା’ ବିକ୍ରି କରୁଥିଲେ ଚୁଡ଼ି। କିନ୍ତୁ ପାଠପଢ଼ା ପ୍ରତି ରମେଶଙ୍କର ବେଶ୍‌ ଆଗ୍ରହ। ସେ ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର ବାର୍ସି ତାଲୁକା ଅନ୍ତର୍ଗତ ମହାଗାଓଁ ନାମକ ଏକ ଦୂର ଗାଁରେ ନିଜ ମାମୁଙ୍କ ସହ ଯାଇ ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଇଲେ। ନିଜର ସ୍କୁଲ୍‌ ପାଠ ସରିବା ପରେ ଡିପ୍ଲୋମା ପଢ଼ିଥିଲେ ରମେଶ। ୨୦୦୯ ମସିହାରେ ସ୍ନାତକୋତ୍ତର ପରେ ଶିକ୍ଷକ ହୋଇଥିଲେ।

ତହସିଲଦାରଙ୍କଠାରୁ ପ୍ରେରଣା ପାଇ ‌ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତ ହେଲେ। ‌ନିଜର ଚେଷ୍ଟା ପାଇଁ ସର୍ବଭାରତୀୟ ସ୍ତରରେ ତାଙ୍କୁ ମିଳିଲା ୨୮୭ ରାଙ୍କ୍‌। କିଛିଦିନ ପରେ ସେ ଦେଇଥିବା ଏମ୍‌ପିଏସ୍‌ସି ପରୀକ୍ଷାର ଫଳ ବାହାରିଲା। ସେଥିରେ ରମେଶ ସମୁଦାୟ ୧୮୦୦ରୁ ସର୍ବାଧିକ ୧୨୪୪ ନମ୍ବର ରଖି ଶୀର୍ଷରେ ରହିଥିଲେ। ବର୍ତ୍ତମାନ ସେ ଝାଡ଼ଖଣ୍ଡର ଶକ୍ତି ବିଭାଗର ଯୁଗ୍ମ ସଚିବ।

ମତାମତ ଦିଅନ୍ତୁ ।

Back to top button