April 2, 2020

ବଲିଉଡ୍ ଗାୟିକା କନିକା କପୁରଙ୍କ ନାଁ’ରେ ଏଫ୍‌ଆଇଆର୍‌

ନୂଆଦିଲ୍ଲୀ : ବଲିଉଡ୍ ଗାୟିକା କନିକା କପୁରଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ ପାଇଁ ଲକ୍ଷ୍ନୌ ଜିଲ୍ଳା ମାଜିଷ୍ଟ୍ରେଟ୍ ନିର୍ଦ୍ଦେଶ ଦେଇଛନ୍ତି। କନିକା କରୋନାରେ ସଂକ୍ରମିତ ହୋଇ ଲୁଚାଇଥିବାରୁ କୋର୍ଟ ଏପରି ନିଷ୍ପତ୍ତି ନେଇଛନ୍ତି।

ଖବର ଅନୁଯାୟୀ ଲଣ୍ଡନରୁ ଫେରିଥିବା କନିକା କରୋନା ସଂକ୍ରମଣକୁ ଲୁଚାଇ ଲକ୍ଷ୍ନୌରେ ଏକ ପାର୍ଟିରେ ବହୁ ଲୋକଙ୍କ ସହ ମିଶିଥିଲେ। ସେହି ପାର୍ଟିରେ ଯୋଗ ଦେଇଥିଲେ ବହୁ ବିଶିଷ୍ଟ ବ୍ୟକ୍ତି। ଏପରିକି ସେହି ପାର୍ଟିରେ ଥିବା ବିଜେପି ସାଂସଦ ତଥା ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ସିଂହ ତା’ପର ଦିନ ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ସେଥିପାଇଁ କରୋନା ସଂକ୍ରମଣର ଆଶଙ୍କା ନେଇ ଶତାଧିକ ଲୋକ ଏବେ ଆତଙ୍କିତ। ଏଥିପାଇଁ କନିକାଙ୍କୁ ଦାୟୀ କରାଯାଇ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରାଯାଇଛି।

କନିକା କପୁରଙ୍କ ଠାରେ କରୋନା ଦେଖାଯାଇଛି। ସେ ୧୫ ମାର୍ଚ୍ଚରେ ଲଣ୍ଡନରୁ ଲକ୍ଷ୍ନୌକୁ ଫେରିଥିଲେ। କିନ୍ତୁ ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କର କରୋନା ଚେକିଂ ହୋଇନଥିଲା। ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ ହାତକରି ସେ ୱାସରୁମ୍‌ରୁ ଲୁଚି ବାହାରି ଯାଇଥିଲେ। ଏହାପରେ ସେ ରବିବାର ଦିନ ଲକ୍ଷ୍ନୌର ଗାଲେଣ୍ଟ ଆପାର୍ଟମେଣ୍ଟରେ ଏକ ପାର୍ଟିର ଆୟୋଜନ କରିଥିଲେ। ଏଥିରେ ଉତ୍ତରପ୍ରଦେଶର ବଡ଼ ଅଫିସର ଓ ନେତା ସାମିଲ ହୋଇଥିଲେ। କନିକାଙ୍କ ପାର୍ଟିରେ ବିଜେପି ସାଂସଦ ଦୁଷ୍ୟନ୍ତ ସିଂହ ଓ ତାଙ୍କ ମା’ ତଥା ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ମଧ୍ୟ ଉପସ୍ଥିତ ଥିଲେ। ଏହା ଜଣାପଡ଼ିବା ପରେ କନିକାଙ୍କୁ ଲକ୍ଷ୍ନୌରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁଷ୍ୟନ୍ତ ସିଂହ ଓ ବସୁନ୍ଧରା ରାଜେ ସିନ୍ଧିଆ ନିଜକୁ ହୋମ୍ ଆଇସୋଲେସନ୍‌ରେ ରଖିଥିବା ବସୁନ୍ଧରା ରାଜେ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି।

କେବଳ ସେତିକି ନୁହେଁ ଦୁଷ୍ୟନ୍ତ ସିଂହ କନିକାଙ୍କ ସହ ପାର୍ଟିରେ ସାମିଲ ହେବାପରେ ପାର୍ଲାମେଣ୍ଟ ଅଧିବେଶନରେ ଯୋଗ ଦେଇଥିଲେ। ଯଦି କନିକାଙ୍କ ଠାରୁ ଦୁଷ୍ୟନ୍ତ ସିଂହଙ୍କୁ କରୋନା ସଂକ୍ରମଣ ହୋଇଥାଏ ତେବେ ପାର୍ଲାମେଣ୍ଟରେ ଅନ୍ୟ ସାଂସଦଙ୍କୁ ମଧ୍ୟ ଏହି ଭୂତାଣୁ ସଂକ୍ରମଣ ହେବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ ସଂସଦ ଅଧିବେଶନକୁ ମୁଲତବୀ ରଖିବାକୁ କେତେକ ସାଂସଦ ଦାବି କରିଛନ୍ତି। ତେବେ ବାଚସ୍ପତି ଏନେଇ ମତ ସ୍ପଷ୍ଟ କରିନାହାନ୍ତି।

Leave a Reply

Your email address will not be published. Required fields are marked *