ମେହେବୁବ: ବଲିଉଡ଼କୁ ଓସ୍କାରରେ ପହଂଚାଇଥିବା ପ୍ରଥମ ଡାଇରେକ୍ଟର

ମୁମ୍ବାଇ: ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ମହାନ କଳାକାର ଜନ୍ମ ହୋଇଛନ୍ତି । ମାତ୍ର କେହିିବି ମେହେବୁବ୍ ଖାନ୍‌ଙ୍କ ଭଳି ଉଚ୍ଚତାକୁ ସ୍ପର୍ଷ କରିପାରିନାହାନ୍ତି । ହିନ୍ଦୀ ଚଳଚିତ୍ରକୁ ବିଶ୍ୱର ସର୍ବଶ୍ରେଷ୍ଠ ମଂଚ ଓସ୍କାର ପର୍ଯ୍ୟନ୍ତ ନେଇଯାଇଥିବା ପ୍ରଥମ ବ୍ୟକ୍ତି ହେଉଛନ୍ତି ମେହେବୁବ୍ । ଅନ୍ୟମାନଙ୍କ ଭଳି ମେହେବୁବ୍ ମଧ୍ୟ ବଲିଉଡ୍‌ରେ ଅଭିନେତା ହେବାର ସ୍ୱପ୍ନ ନେଇ ଆସିଥିଲେ । କିନ୍ତୁ ଏହାକୁ ବିଡମ୍ବନା କୁହାଯିବା ନା ଭାଗ୍ୟ ସେ ହୋଇଗଲେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟତମ ସଫଳ ନିର୍ଦ୍ଦେଶକ । ୨୮ ମେ ୧୯୬୪ରେ ମେହେବୁବ୍‌ଙ୍କର ପରଲୋକ ଘଟିଥିଲା ।
ନିଜର ସଫଳ ଫିଲ୍ମ କ୍ୟାରିଅର୍‌ରେ ମେହେବୁବ୍ ଅନେକ ହିଟ୍ ଫିଲ୍ମ ତିଆରି କରିଥିବାବେଳେ ‘ମଦର ଇଣ୍ଡିଆ’ ହେଉଛି ତାଙ୍କର ସର୍ବଶ୍ରେଷ୍ଠ କୃତି । ଏହି ଫିଲ୍ମରେ ସୁନୀଲ ଦତ ଓ ନର୍ଗିସ ଲିଡ୍ ରୋଲରେ ନଜର ଆସିଥିଲେ । ମେହେବୁବ୍‌ଙ୍କ ବଳିଷ୍ଠ ନିର୍ଦ୍ଦେଶନା ଯୋଗୁଁ ପ୍ରଥମ ହିନ୍ଦୀ ଚଳଚିତ୍ର ଭାବେ ଅନ୍ତରାଷ୍ଟ୍ରୀୟ ସ୍ତରରେ ପରିଚୟ ମିଳିବା ସହ ସାରା ଦୁନିଆର ନଜର ବଲିଉଡ୍ ସିନେମା ଉପରେ ପଡ଼ିଥିଲା । ଏହା ପରଠାରୁ ହିନ୍ଦୀ ଚଳଚିତ୍ରରେ ହିଟ୍ ଫିଲ୍ମର ଏକ ନୂଆ ଧାରା ସୃଷ୍ଟି ହୋଇଥିଲା । ନିଜର ୩୦ ବର୍ଷର କ୍ୟାରିଅର୍ ଭିତରେ ସେ ୨୪ଟି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ମଦର ଇଣ୍ଡିଆ ବ୍ୟତୀତ ତାଙ୍କର ଅନ୍ୟ ଚର୍ଚ୍ଚିତ ଫିଲ୍ମ ଗୁଡ଼ିକ ହେଉଛି ବତନ, ଔରତ୍‌, ବହନ, ତକଦିର୍‌, ଅନମୋଲ ଘଡ଼ି, ଅନ୍ଦାଜ, ଆନ ଓ ଅମର । ନିଜର ଫିଲ୍ମରେ ସେ ସର୍ବଦା ମହିଳାଙ୍କ ସମ୍ମାନକୁ ଅଧିକ ଗୁରୁତ୍ୱ ଦେଉଥିଲେ । ୧୬ ବର୍ଷ ବୟସରେ ସେ ଆକ୍ଟିଂ କରିବା ପାଇଁ ଘରୁ ପଳାଇ ଆସିଥିଲେ । ମାତ୍ର ଏକଥା ତାଙ୍କ ପିତା ଜାଣିବା ପରେ ତାଙ୍କୁ ପୁଣି ଘରକୁ ନେଇଯାଇଥିଲେ । କିନ୍ତୁ ଅଭିନେତା ହେବାର ନିଶ ତାଙ୍କ ମନରୁ କେବେ ଯାଇ ନ ଥିଲା । ୨୩ ବର୍ଷ ବୟସରେ ତାଙ୍କର ଜଣେ ବନ୍ଧୁଙ୍କ ସହ ମୁମ୍ବାଇ ପଳାଇ ଆସିଥିବାବେଳେ ଆଉ ପଛକୁ ଫେରି ଚାହିଁ ନ ଥିଲେ ।

ମତାମତ ଦିଅନ୍ତୁ ।