ଏପ୍ରିଲ ୯ରେ ଓଟିଇଟି ପରୀକ୍ଷା

କଟକ : ଆସନ୍ତା ଏପ୍ରିଲ ୯ ତାରିଖରେ ଓଟିଇଟି (ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା) ଅନୁଷ୍ଠିତ ହେବ। ପରୀକ୍ଷା ହଲ୍‌ରେ ଏହା କରାଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଘୋଷଣା କରାଯାଇଛି। ପେପର-୧ ଓ ପେପର-୨ ପରୀକ୍ଷା ଗୋଟିଏ ଦିନରେ ହେବ। ଦୁଇଟି ପେପରରେ ରାଜ୍ୟରେ ୧ ଲକ୍ଷ ୨୦ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ।

ବୋର୍ଡର ସୂଚନା ଅନୁଯାୟୀ ପେପର-୧ ପରୀକ୍ଷା ସକାଳ ୮ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ହେବ। ପେପର-୨ ପରୀକ୍ଷା ପାଇଁ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୨ଟା ୩୦ ମିନିଟ୍‌ ସମୟ ଧାର୍ଯ୍ୟ କରାଯାଇଛି। ବୋର୍ଡ ପକ୍ଷରୁ ରାଜ୍ୟରେ ମୋଟ୍‌ ୪୯୧ଟି ପରୀକ୍ଷା କେନ୍ଦ୍ର ସ୍ଥିର କରାଯାଇଛି। ଜିଲ୍ଲା ମୁଖ୍ୟାଳୟରେ ଥିବା ସ୍କୁଲ୍‌ ଓ ସଦର ମହକୁମାରେ ପରୀକ୍ଷା କେନ୍ଦ୍ର କରାଯାଇଥିବା ସୂଚନା ମିଳିଛି।

କୋଭିଡ୍‌ କଟକଣା ରହିଥିବାରୁ ବୋର୍ଡ ପକ୍ଷରୁ ଓଟିଇଟି ପରୀକ୍ଷାରେ କିଛି କଟକଣା ରହିଛି। ପରୀକ୍ଷା କେନ୍ଦ୍ରକୁ ଯିବାକୁ ପରୀକ୍ଷାର୍ଥୀଙ୍କ ପାଇଁ ମାସ୍କ୍‌ ବାଧ୍ୟତାମୂଳକ ରଖାଯାଇଛି। ପରୀକ୍ଷା କେନ୍ଦ୍ରରେ ସାନିଟାଇଜର ଉପଲବଧ୍‌ ରଖିବା ପାଇଁ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଥଣ୍ଡା ଜ୍ୱର ଆଦି ଲକ୍ଷଣ ଥିବା ପରୀକ୍ଷାର୍ଥୀମାନଙ୍କୁ ଅନ୍ୟ ପରୀକ୍ଷାର୍ଥୀମାନଙ୍କ ଠାରୁ ଦୂରେଇ ସିଟ୍‌ ପକାଯିବାକୁ ବ୍ୟବସ୍ଥା ରହିଛି। ଓଏମ୍‌ଆର ପଦ୍ଧତିରେ ପରୀକ୍ଷା ହେବ। ଗତବର୍ଷ ଅନ୍‌ଲାଇନ୍‌ରେ ପରୀକ୍ଷାର ଅବଜେକ୍ଟିଭ୍‌ ପ୍ରଶ୍ନପତ୍ରରେ ବହୁ ତ୍ରୁଟି ହେବାରୁ ଚଳିତ ବର୍ଷ ଅଫ୍‌ ଲାଇନ୍‌ରେ ପରୀକ୍ଷା କରାଯାଉଛି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button