ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଉର୍ଦ୍ଧ୍ଵ ସମସ୍ତଙ୍କୁ କରୋନା ଟିକା ଦିଆଯିବ

0

ନୂଆଦିଲ୍ଲୀ : ଆସନ୍ତା ଏପ୍ରିଲ ୧ରୁ ଦେଶରେ ୪୫ବର୍ଷରୁ ଅଧିକ ବୟସର ସମସ୍ତ ନାଗରିକଙ୍କୁ କରୋନ ଟିକା ଦିଆଯିବ। ଆଜି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ଘୋଷଣା କରିଛନ୍ତି। ସେଥିପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ଟିକାକରଣ ପାଇଁ ପଞ୍ଜୀକରଣ କରିବାକୁ ସେ କହିଛନ୍ତି।

ମଙ୍ଗଳବାର ଶ୍ରୀ ଜାଭଡେକର କହିଲେ ବର୍ତ୍ତମାନ ୬୦ବର୍ଷରୁ ଉର୍ଦ୍ଧ୍ଵ ଓ ଏକାଧିକ ଗୁରୁତର ଶାରୀରିକ ସମସ୍ୟା ଥିବା ୪୫ବର୍ଷରୁ ଅଧିକ ବୟସର ଲୋକଙ୍କ ଟିକାକରଣ ଜାରି ରହିଛି। କିନ୍ତୁ ଏପ୍ରିଲ ପହିଲା ଠାରୁ ଏହି ନିୟମ ରହିବ ନାହିଁ। ୪୫ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତି କରୋନା ଟିକା ନେବାକୁ ଯୋଗ୍ୟ ହେବେ। କରୋନା ଭାଇରସ୍ ଟାସ୍କଫୋର୍ସ ଓ ବିଶେଷଜ୍ଞଙ୍କ ପରାମର୍ଶ ଆଧାରରେ କେନ୍ଦ୍ର କ୍ୟାବିନେଟ୍ ଏହି ନିଷ୍ପତ୍ତି ନେଇଛି।

ଶ୍ରୀ ଜାଭଡେକରଙ୍କ ସୂଚନା ଅନୁଯାୟୀ ୪.୮୫ କୋଟି ଲୋକ ଏବେ କୋଭିଡ ଟିକାର ପ୍ରଥମ ଡୋଜ ଓ ୮୦ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ନେଇସାରିଛନ୍ତି। ଯଥେଷ୍ଟ ପରିମାଣରେ କରୋନା ଟିକା ମହଜୁଦ ରହିଛି। ଲୋକେ ଅଚିନ୍ତାରେ ଟିକାକରଣ ପାଇଁ ପଞ୍ଜୀକରଣ କରନ୍ତୁ। କରୋନା ସଂକ୍ରମଣ ବଢ଼ୁଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଟିକାକରଣ ଦ୍ଵାରା ସଂକ୍ରମଣକୁ କମ କରାଯାଇ ପାରିବାର ଲକ୍ଷ୍ୟ ରଖି ୪୫ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତିଙ୍କୁ କରୋନା ଟିକା ଦେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ପୂର୍ବଭଳି ଯେଉଁମାନେ ସରକାରୀ ଟିକାକରଣ କେନ୍ଦ୍ରରେ ଟିକା ନେବେ ସେମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ହେଲେ ଘରୋଇ ଟିକାକରଣ କେନ୍ଦ୍ରରେ ଟିକା ନେଲେ ୨୫୦ ଟଙ୍କା ଦେଇ ଟିକା ନେବାକୁ ପଡ଼ିବ।

Leave A Reply

Your email address will not be published.