ଏପ୍ରିଲରୁ ନୂଆ ବ୍ୟବସ୍ଥା : ଆକାଉଣ୍ଟରୁ ଟଙ୍କା କଟିବା ପୂର୍ବରୁ ଆସିବ ମେସେଜ

ନୂଆଦିଲ୍ଲୀ : ଏପ୍ରିଲ୍ ପହିଲାରୁ ବ୍ୟାଙ୍କରେ ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। କୌଣସି ଅନଲାଇନ ପ୍ଲାଟଫର୍ମ ବା ମୋବାଇଲ ରିଚାର୍ଜ ପାଇଁ ଅଟୋ-ଡେବିଟ୍ ପେମେଣ୍ଟ ସେଟ ଅପ ବା ସ୍ଵୟଂଚାଳିତ ବିଲ୍ ପୈଠର ବ୍ୟବସ୍ଥା ରଖିଛନ୍ତି ତାହା କାମ କରିବ ନାହିଁ। ଆକାଉଣ୍ଟରୁ ଟଙ୍କା କଟି ରିଚାର୍ଜ ହେବା ପୂର୍ବରୁ ଏକ ମେସେଜ ଆସିବ। ଅନୁମତି ଦେଲେ ଆକାଉଣ୍ଟରୁ କଟିବ ଟଙ୍କା।
ସେହିପରି ନୂତନ ନିୟମ ଅନୁଯାୟୀ ବ୍ୟାଙ୍କ, କ୍ରେଡିଟ୍ କାର୍ଡ ସେବା ପ୍ରଦାନକାରୀ ସଂସ୍ଥା, ଗ୍ରାହକଙ୍କୁ ଦେୟ କଟାଯିବାର ପାଞ୍ଚ ଦିନ ପୂର୍ବରୁ ଏକ ମେସେଜ ପଠାଇବେ। ଗ୍ରାହକ ଦେୟ ପାଇଁ ଅନୁମୋଦନ କରିବା ପରେ ତାଙ୍କ ଆକାଉଣ୍ଟରୁ ଟଙ୍କା କଟିବ। ୫,୦୦୦ ଟଙ୍କାରୁ ଅଧିକ ଦେୟ ପାଇଁ ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କୁ ଓଟିପି ପଠାଇବାକୁ ବାଧ୍ୟ ବୋଲି ନିୟମରେ ରହିଛି।
ଭାରତୀୟ ରିଜର୍ଭ ବ୍ୟାଙ୍କ ପୂର୍ବରୁ କହିଥିଲା ଡେବିଟ୍ ଓ କ୍ରେଡିଟ୍ କାର୍ଡ ମାଧ୍ୟମରେ ଗ୍ରାହକ କରୁଥିବା ଦେୟ ପାଇଁ ‘ଟୁ-ଫ୍ୟାକ୍ଟର ଅଥେଣ୍ଟିକେସନ’ ନିୟମ ମାନିବାକୁ ହେବ। ଏଥିପାଇଁ ବ୍ୟାଙ୍କ, କାର୍ଡ ନେଟୱାର୍କ ଓ ଅନଲାଇନ୍ ବିକ୍ରେତାଙ୍କୁ ମାର୍ଚ୍ଚ ୩୧ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଏହି ନୂଆ ନିୟମ ଏପ୍ରିଲ ୧ରୁ ଲାଗୁ ହେବ। ହେଲେ ପ୍ରମୁଖ ବ୍ୟାଙ୍କ ଓ ବିକ୍ରେତାମାନେ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ନଥିବା କହି ଅଧିକ ସମୟ ମାଗିଥିଲେ। କିନ୍ତୁ ରିଜର୍ଭ ବ୍ୟାଙ୍କ ସମୟ ଦେବାକୁ ମନା କରିଦେଇଥିଲେ।