ଏସ୍ଆଇଟି ମନଗଢ଼ା କାହାଣୀ କହୁଛି : ପ୍ରଦୀପ୍ତ ନାୟକ

ଭୁବନେଶ୍ୱର : ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ଓ ଦୁଷ୍କର୍ମ ଘଟଣାରେ ଏସ୍ଆଇଟି ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ସେ କହିଛନ୍ତି ‘ପରୀ’ ହତ୍ୟା ଘଟଣାରେ ଏସ୍ଆଇଟି ମନଗଢ଼ା କାହାଣୀ କହୁଛି। ତେଣୁ ଏହା ବିଶ୍ୱାସଯୋଗ୍ୟ ନୁହେଁ। ଆଗରୁ ଆମର ଯାହା ସନ୍ଦେହ ହେଉଥିଲା ଏବେ ତାହା ସତ ହୋଇଛି।
ଶ୍ରୀ ନାୟକ କହିଛନ୍ତି ଅଙ୍ଗ ତସ୍କରିକୁ ଲୁଚାଇବା ପାଇଁ ଏସ୍ଆଇଟି ମନଗଢ଼ା କାହାଣୀ କହୁଛି। ଯେଉଁସବୁ ପ୍ରମାଣ ଗଣମାଧ୍ୟମ ସମ୍ମୁଖରେ ରଖାଯାଉଛି ସେଥିରୁ ଗୋଟିଏ ହେଲେ ଯୁକ୍ତି ଆଧାରିତ ନୁହେଁ। ଏହାଛଡା ସରୋଜ ସେଠୀ କ’ଣ ଏତେ କ୍ଷମତାଶୀଳ ନୟାଗଡ଼ ପୋଲିସ ଏତେଦିନ ଯାଏ ଗିରଫ କରୁନଥିଲା। ସେହିପରି ମୃତ ଶରୀରରେ ଯଦି କେମିକାଲ ଲାଗି ନଥିଲା ତେବେ ୯ ଦିନ ପରେ କିପରି ଗନ୍ଧ ବାହାରୁ ନଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। କେବଳ ସେତିକି ନୁହେଁ ଆହୁରି ପ୍ରଶ୍ନ କରିଛନ୍ତି ମୃତ ଶରୀରରୁ ଅନ୍ୟ ସବୁ ଅଙ୍ଗ ଗଲା କୁଆଡ଼େ। ମୃତ ଶରୀରରେ କେମିକାଲ ଲଗାଯାଇଥିଲା। ଯାହାକି କେବଳ ଡାକ୍ତରଖାନାରେ ମିଳେ। ସରୋଜକୁ କେମିକାଲ କିଏ ଦେଲା। ଏସବୁ ଲୋକଲୋଚନାକୁ ଆସିବା ପାଇଁ ଘଟଣାର ସିବିଆଇ ତଦନ୍ତ କରାଇବାକୁ ଶ୍ରୀ ନାୟକ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।