ଏସସିବିରୁ ଦଲାଲ ମାଧ୍ୟମରେ ରୋଗୀ ଆଣିବା ଅଭିଯୋଗ : ଅନ୍ନପୂର୍ଣ୍ଣା ନର୍ସିଂହୋମ୍ ସିଲ୍

କଟକ : କଟକ ବଡ ମେଡିକାଲରୁ ଦଲାଲ ମାଧ୍ୟମରେ ନର୍ସିଂହୋମକୁ ରୋଗୀଙ୍କୁ ଆଣିବା ଅଭିଯୋଗରେ ମଙ୍ଗଳାବାଗ ଥାନା ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସିଲ୍ ହୋଇଛି ଅନ୍ନପୂର୍ଣ୍ଣା ନର୍ସିଂହୋମ୍।

ଖବର ଅନୁଯାୟୀ ଝାଡଖଣ୍ଡର ସିଂହଭୂମ ଜିଲ୍ଲାରୁ କଟକ ବଡ ମେଡିକାଲକୁ ଆସିଥିଲେ। ଦଲାଲ ମାଧ୍ୟମରେ ସେହି ରୋଗୀଙ୍କୁ ମେଡିକାଲରୁ ମଙ୍ଗଳାବାଗ ରିଂରୋଡରେ ଥିବା ଅନ୍ନପୂର୍ଣ୍ଣା ନର୍ସିଂହୋମକୁ ସ୍ଥାନାନ୍ତର କରାଯାଇଥିଲା। ରୋଗୀଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା। ଚିକିତ୍ସିତ ମହିଳାଙ୍କର ମୃତ୍ୟୁ ହୋଇଥିଲେ ହେଁ ସେ ଜୀବିତ ଅଛନ୍ତି କହି ପରିବାର ଲୋକଙ୍କଠାରୁ ଅନ୍ନପୂର୍ଣ୍ଣା ନର୍ସିଂହୋମ କର୍ତ୍ତୃପକ୍ଷ ଅଧିକ ଟଙ୍କା ଦାବି କରିଥିଲେ। ଶୋଷଣରେ ଅତିଷ୍ଠ ହୋଇ ପରିବାର ଲୋକେ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ। ପୋଲିସ ତଦନ୍ତ କରି ଜାଣିବାକୁ ପାଇଥିଲା ସମ୍ପୃକ୍ତ ମହିଳାଙ୍କର ମୃତ୍ୟୁ ହୋଇସାରିଥିଲେ ମଧ୍ୟ ଅନ୍ନପୂର୍ଣ୍ଣା ନର୍ସିଂହୋମ୍ କର୍ତ୍ତୃପକ୍ଷ ତାଙ୍କୁ ଜୀବିତ ଦର୍ଶାଇ ଟଙ୍କା ଲୁଟୁଥିଲେ। ଆଉ ଜଣାପଡିଥିଲା କଟକ ବଡ ମେଡିକାଲରୁ ଦଲାଲ ସାହାଯ୍ୟରେ ଏହି ମହିଳାଙ୍କୁ ନର୍ସିଂହୋମକୁ ଅଣାଯାଇଥିଲା।

ଏହି ଘଟଣା ପରେ ସିଡିଏମଓ ଏବଂ ଏଡିଏମଓଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ତଦନ୍ତ ସମୟରେ ଜଣାପଡିଛି ଅନ୍ନପୂର୍ଣ୍ଣା ନର୍ସିଂହୋମର ଲାଇସେନ୍ସ ନବୀକରଣ ହୋଇନାହିଁ। ନର୍ସିଂହୋମରେ ଚିକିତ୍ସା ପାଇଁ କେହି ଡାକ୍ତର ନାହାନ୍ତି। ସେଥିପାଇଁ ସ୍ଵାସ୍ଥ୍ୟ ବିଭାଗ ନର୍ସିଂହୋମକୁ ସିଲ୍ କରିବା ସହିତ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ସେଠାରେ ଆଡମିଟ୍ ହୋଇଥିବା ରୋଗୀଙ୍କୁ ପୋଲିସ ସହାୟତାରେ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button