ଏସସିଓ ବୈଠକରେ ପାକିସ୍ତାନ ଦେଖାଇଲା ନକଲି ନକ୍ସା

ନୂଆଦିଲ୍ଲୀ : ପାକିସ୍ତାନ ସବୁବେଳେ ବିଶ୍ଵକୁ ଭ୍ରମିତ କରିବାକୁ ଉଦ୍ୟମ କରୁଛି। ମଙ୍ଗଳବାର ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ)ର ସଦସ୍ୟ ଦେଶଙ୍କ ରାଷ୍ଟ୍ରୀୟ ପରାମର୍ଶଦାତାଙ୍କ ବୈଠକରେ ପାକିସ୍ତାନ ଏକ କାଳ୍ପନିକ ନକ୍ସା ଉପସ୍ଥାପନ କରିଛି। ଯେଉଁଥି ପାଇଁ ଭାରତୀୟ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ବୈଠକରୁ ଉଠି ଆସିଥିବା ଜଣାପଡିଛି। କେବଳ ସେତିକି ନୁହେଁ ଏହି ନକ୍ସାକୁ ପାକିସ୍ତାନ ନିରନ୍ତର ପ୍ରଚାର ପ୍ରସାର କରୁଛି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ରୁଷ ବୈଠକର ଅଧ୍ୟକ୍ଷତା କରୁଥିଲା। ଆୟୋଜକ ରୁଷର ଆଡଭାଇଜରିର ଥିଲା ଘୋର ଉପେକ୍ଷା। ବୈଠକର ମାନଦଣ୍ଡର ଉଲ୍ଲଂଘନ ହୋଇଥିଲା। ତେଣୁ ରୁଷ ସହିତ ଆଲୋଚନା ପରେ ଭାରତୀୟ ପକ୍ଷ ସେହି ସମୟରେ ବୈଠକ ଛାଡି ପାକିସ୍ତାନର କାର୍ଯ୍ୟକୁ ବିରୋଧ କରିଛି। କାରଣ ପାକିସ୍ତାନର ଇମ୍ରାନ ସରକାର ଗତ ମାସରେ ଏକ ନୂତନ ନକ୍ସା ଜାରି କରି ଲଦାଖ, ସିଆଚେନ ଓ ଗୁଜରାଟର ଜୁନାଗଢକୁ ପାକିସ୍ତାନର ଅଂଶ ଦର୍ଶାଇଥିଲା। ସେହିଦିନଠାରୁ ପାକିସ୍ଥାନ ଏହି ନକ୍ସାକୁ ପ୍ରଚାରିତ କରି ଆସୁଛି।

ମତାମତ ଦିଅନ୍ତୁ ।