କରୋନା: ସତ କହିଥିଲେ ମରିଯାଇଥାନ୍ତି

ହଙ୍ଗକଙ୍ଗ: କରୋନା ମହାମାରୀ ପୁରା ବିଶ୍ୱକୁ ଦୋହଲାଇଦେଇଥିବାବେଳେ ଏହାର ଉତ୍ପତିସ୍ଥଳ ଚୀନ ବୋଲି ଆମେରିକା, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଭଳି ଦେଶମାନେ ଦାବି କରୁଛନ୍ତି । ଚୀନ ପ୍ରଥମରୁ ଏହାକୁ ଅସ୍ୱୀକାର କରୁଥିବାବେଳେ ଧୀରେ ଧୀରେ ସତ ସାମ୍ନାକୁ ଆସିବାରେ ଲାଗିଛି । ନିକଟରେ ଚୀନର ଜଣେ ବୈଜ୍ଞାନିକ ଭାଇରସ୍ ନେଇ ବଡ଼ ଖୁଲାସା କରିଛନ୍ତି । ଡ.ଲି ମେଙ୍ଗ ୟାନ ଦାବି କରିଛନ୍ତି ଭାଇରସ୍ ସମ୍ପର୍କରେ ବହୁ ଆଗର ଚୀନକୁ ଜଣାଥିବାବେଳେ ଏହାକୁ ଲୁଚାଇ ରଖିଥିଲା । ଏପରିକି ଲି ରିସର୍ଚ୍ଚରୁ ଏକଥା ଜାଣିସାରିଥିଲେ ବି ତାଙ୍କର ସୁପର ଭାଇଜର ଏହାକୁ ଅଣଦେଖା କରିଥିଲେ । ଯଦି ଏ ସମ୍ପର୍କରେ ମୁହଁ ଖୋଲିଥାନ୍ତେ ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦିଆଯାଇଥାନ୍ତା । ଫଳରେ ସେ ହଙ୍ଗକଙ୍ଗରୁ ଜୀବନ ବଂଚାଇ ଆମେରିକା ପଳାଇ ଆସିଛନ୍ତି ।
ହଙ୍ଗକଙ୍ଗ ସ୍କୁଲ ଅଫ ପବ୍ଲିକ ହେଲଥରେ ଭାଇରୋଲଜି ଓ ଇମ୍ୟୁନୋଲଜି ଏକ୍ସପର୍ଟ ଥିବା ଲି ସେଠାରୁ ଜୀବନ ବଂଚାଇ ପଳାଇ ଆସିଛନ୍ତି । ପରେ ଆମେରିକାର ଏକ ଅଜ୍ଞାତ ସ୍ଥାନରେ ରହୁଥିବାବେଳେ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଚୀନର ମିଛ ସମ୍ପର୍କରେ କହିଛନ୍ତି । ଚୀନର ସେଂଟର ଫର୍ ଡିଜିଜ୍ କଂଟ୍ରୋଲ ଓ ପ୍ରିଭେନ୍‌ସନ୍‌ର ବୈଜ୍ଞାନିକ ୩୧ ଡିସେମ୍ବର ୨୦୧୯ରେ କରୋନା ମଣିଷଙ୍କ ମାଧ୍ୟରେ ବ୍ୟାପୁଥିବା ଜାଣି ଯାଇଥିଲେ । ମାତ୍ର ଏ ସମ୍ପର୍କରେ ଚୀନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଓ ଅନ୍ୟ ଦେଶକୁ ସୂଚନା ଦେଇ ନ ଥିଲା । ପ୍ରଥମରୁ ଏ ସମ୍ପର୍କରେ ଜଣାପଡ଼ିଥିଲେ ହୁଏତ ଅନେକ ଲୋକଙ୍କ ଜୀବନ ବଂଚିଯାଇପାରିଥାନ୍ତା । ଲି ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି କେବଳ ସେ ନୁହନ୍ତି ତାଙ୍କଭଳି ଅନ୍ୟ ବୈଜ୍ଞାନିକ ଯେଉଁମାନେ ଏ ସମ୍ପର୍କରେ ଜାଣିଥିଲେ ସେମାନଙ୍କୁ ଚୀନ ଗାୟବ କରିଦେଇଛି । ଯଦି ମୁଁ ସେଠାରେ ରହି ଏ ସମ୍ପର୍କରେ କହିଥାନ୍ତି ତାହାଲେ ମୋତେ ମଧ୍ୟ ଗାୟବ ନ ହେଲେ ମାରିଦିଆଯାଇଥାନ୍ତା ।

ମତାମତ ଦିଅନ୍ତୁ ।