କଂଗ୍ରେସ ହାତରୁ ଖସିବ ରାଜସ୍ଥାନ !

ରାକେଶ କୁମାର ମହାନ୍ତି

ରାଜସ୍ଥାନରେ ରାଜନୈତିକ ହଟଚମଟ ଆରମ୍ଭ ହୋଇଛି । ଶାସନ କ୍ଷମତାରେ ଥିବା ଗେହଲଟ୍ ସରକାର ପ୍ରତି ଦେଖା ଦେଇଛି ବିପଦ । ଏହି ବିପଦର କାରଣ ସାଜିଛନ୍ତି ସେହି ଦଳର ନେତାମାନେ । ଅସନ୍ତୁଷ୍ଟଙ୍କ ନେତୃତ୍ୱ ନେଇଛନ୍ତି ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ । ଏବେ ସ୍ଥିତି ବିଗୁଡ଼ୁଛି । ଚୌକି ରକ୍ଷା ପାଇଁ ଜୋରଦାର ପ୍ରୟାସ ଚଳାଇଛନ୍ତି ଅଶୋକ ଗେହଲଟ୍ । କିନ୍ତୁ ସେ ସଫଳ ହେବେ ବୋଲି ଆଶା କରାଯାଇପାରୁନାହିଁ । ଏହାର କାରଣ ହେଲା କଂଗ୍ରେସ ଯୁବ ନେତୃତ୍ୱ କଥା କହୁଥିଲେ ହେଁ ଯୁବକମାନଙ୍କୁ ଆଗକୁ ଯିବା ପାଇଁ ସୁଯୋଗ ଦେଉନି । ଆଜିବି ପୁରୁଣା ନେତାଙ୍କ ଉପରେ ଦଳୀୟ ମୁଖ୍ୟ ଆସ୍ଥା ପ୍ରକଟ କରୁଛନ୍ତି । ଯାହା ଫଳରେ ବରିଷ୍ଠ ଓ ଯୁବନେତାଙ୍କ ମଧ୍ୟରେ ଦୂରତା ବଢ଼ୁଥିବାରୁ ଦଳ କ୍ଷତି ସହୁଛି । ପରିଣାମସ୍ୱରୁପ କଂଗେସ ହାତରୁ ଗୋଟିଏ ପରେ ଗୋଟିଏ ରାଜ୍ୟ ହାତଛଡ଼ା ହେଉଛି । ଏଇ ମାତ୍ର କେଇମାସ ତଳେ କର୍ଣ୍ଣାଟକ ଓ ରାଜସ୍ଥାନ ଭଳି ରାଜ୍ୟ କଂଗ୍ରେସ ହାତମୁଠାରୁ ଖସିଯାଇଛି । ଏଇ ଦୁଇ ରାଜ୍ୟରେ ଯୁବ ଓ ବରିଷ୍ଠଙ୍କ ମଧ୍ୟରେ ମତଭେଦ ଦେଖାଯାଇଥିଲା ଯାହାର ସମାଧାନ ଶେଷ ପର୍ଯ୍ୟନ୍ତ ହୋଇପାରିଲା ନାହିଁ । ଏବେ ସମାନ ଅବସ୍ଥା ରାଜସ୍ଥାନରେ ସୃଷ୍ଟିହୋଇଛି । ଏହି ବିବାଦ କଂଗ୍ରେସ ହାଇକମାଣ୍ଡ ତୁଟାଇ ନ ପାରିଲେ ରାଜସ୍ଥାନ ବି କଂଗ୍ରେସ ହାତରୁ ଖସିବ ।
ଆଜି ସକାଳଠାରୁ ଜାତୀୟସ୍ତରରେ ଚର୍ଚ୍ଚାରେ ଥିଲା ରାଜସ୍ଥାନରେ ରାଜନୀତି । ସ୍ଥିତିକୁ ନେଇ ବିଭିନ୍ନ ମହଲରେ ପ୍ରକାଶପାଇଥିଲା ନାନା କଳ୍ପନାଜଳ୍ପନା । ପ୍ରାୟ ଅନେକଙ୍କ ମତ ଥିଲା ରାଜ୍ୟରେ ବର୍ତମାନ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହା ତୁଟାଇବା ଗେହଲଟ୍‌ଙ୍କ ପକ୍ଷରେ ସମ୍ଭବ ହୋଇ ନ ପାରେ । କେବଳ ସେତିକି ନୁହେଁ, କଂଗ୍ରେସ ନେତାଙ୍କ ମଧ୍ୟରେ ଅବିଶ୍ୱାସର ବାତାବରଣ ଦେଖାଦେଇଛି । ଦଳ ଏବେ ଦୁଇ ଭାଗରେ ବିଭକ୍ତ । ଗୋଟିଏ ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କୁ ସମର୍ଥନ କରୁଥିବାବେଳେ ଅନ୍ୟକେତେକ ସଚିନ ପାଇଲଟ୍‌ଙ୍କୁ ପସନ୍ଦ କରୁଛନ୍ତି । ଏହାହିଁ ହେଉଛି ରାଜସ୍ଥାନ କଂଗ୍ରେସର ବିବାଦ । ମୋଟାମୋଟି ଭାବେ କହିବାକୁ ଗଲେ ଗେହଲଟ୍‌ଙ୍କ କାର୍ଯ୍ୟଶୈଳୀକୁ ଯୁବ ନେତାଙ୍କର ଗ୍ରହଣୀୟ ହେଉନାହିଁ । କଂଗ୍ରେସର ଏହି ବିବାଦର ଫାଇଦା ଉଠାଇବା ପାଇଁ ପ୍ରୟାସ ଚଳାଇଛି ବିଜେପି । ସିଧାସଳଖ ନ ହେଲେ ମଧ୍ୟ କଂଟାରେ କଂଟା କାଢ଼ିବା ପରି ଅସନ୍ତୁଷ୍ଟ କଂଗ୍ରେସ ନେତାମାନଙ୍କ ସମ୍ପର୍କରେ ରହିଛନ୍ତି ଏହି ଦଳର ନେତା । ତେଣୁ ବିଜେପିର ଏହି ଉଦ୍ୟମକୁ ଭଣ୍ଡୁର କରିବା ପାଇଁ ଗେହଲଟ୍ ଏକ ନୂଆ ପଦକ୍ଷେପ ନେଇଛନ୍ତି । କଂଗ୍ରେସ ବିଧାୟକମାନଙ୍କୁ ନିଜ କବ୍‌ଜାରେ ରଖିବା ପାଇଁ ରାତି ୯ଟା ସୁଦ୍ଧା ଜୟପୁରରେ ପହଁଚିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁମାନଙ୍କ ସହ ଯୋଗାଯୋଗ ସମ୍ଭବ ହେଉନି ସେମାନଙ୍କ ସହିତ ଯୋଗାଯୋଗ କରିବା ପାଇଁ ନିଜେ ମୁଖ୍ୟମନ୍ତ୍ରୀ ଚେଷ୍ଟା ଚଳାଇଛନ୍ତି ।
ଅନ୍ୟପକ୍ଷରେ ରାଜସ୍ଥାନ କଂଗ୍ରେସର ଅସନ୍ତୁଷ୍ଟଙ୍କ ନେତା ସାଜିଥିବା ସଚିନ ପାଇଲଟ ଦିଲ୍ଲୀରେ ଡେରା ପକାଇଥିବା ସୂଚନା ମିଳିଛି । ଚର୍ଚ୍ଚା ହେଉଛି ସଚିନ ବିଜେପି ନେତାଙ୍କ ଯୋଗାଯୋଗରେ ରହିଛନ୍ତି । ସେହିପରି ଯେଉଁ କଂଗ୍ରେସ ନେତାମାନଙ୍କର ଖବର ଗେହଲଟ୍‌ଙ୍କ ପାଖରେ ନାହିଁ ସେମାନେ ଗୁରୁଗାଓଁର ଏକ ହୋଟେଲରେ ଥିବା ମିଡିଆ ରିପୋର୍ଟରୁ ଜଣାପଡ଼ିଛି । କିନ୍ତୁ ରାଜସ୍ଥାନର ବିବାଦ ସମ୍ପର୍କରେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ଓ ବରିଷ୍ଠ ନେତା ରାହୁଳ ଗାନ୍ଧୀଙ୍କ ପାଖରେ ଖବର ଥିଲେ ମଧ୍ୟ ଉଭୟ ଚୁପ୍ ରହିଛନ୍ତି । ଏହି ନିରବତା ଭିନ୍ନ କିଛି ସୂଚାଉଛି । ହୁଏତ କଂଗ୍ରେସ ମୁଖିଆ ରାଜସ୍ଥାନ ରାଜନୀତିକୁ ସଠିକ୍ ଆକଳନ କରିପାରୁନାହାନ୍ତି କିମ୍ବା ଜାଣିଶୁଣି ଚୁପ୍ ରହିବାପାଇଁ ପସନ୍ଦ କରୁଛନ୍ତି । କାରଣ ଗାନ୍ଧୀ ପରିବାର ଏବେ ବିବାଦରେ ଫସିଛି । ତେଣୁ କଂଗ୍ରେସ ଉପରକୁ ଆସୁଥିବା ଝଡ଼କୁ ସାମ୍ନା ନ କରି ମୁଣ୍ଡ ନୁଆଁଇବାକୁ ଉଚିତ ମଣୁଛନ୍ତି । ମୁଖିଆଙ୍କ ଏପରି ଭୂମିକା ଆଗାମୀ ଦିନରେ କେବଳ ରାଜସ୍ଥାନ ନୁହେଁ ଅନ୍ୟ ରାଜ୍ୟ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିବ ବୋଲି କୁହାଯାଉଛି ।

ମତାମତ ଦିଅନ୍ତୁ ।