ଫେବୃଆରୀରେ ଦେଶରୁ ହଟିବ କରୋନା

ନୂଆଦିଲ୍ଲୀ : ଭାରତ ସରକାରଙ୍କ ଦ୍ୱାରା ଗଠିତ ବୈଜ୍ଞାନିକଙ୍କ ଏକ ପ୍ୟାନେଲ ଭଲ ଖବର ଦେଇଛି। ଦେଶରେ କରୋନା ପ୍ରକୋପ କମୁଛି। ତଳମୁହାଁ ହୋଇଛି ଗ୍ରାଫ। ତେଣୁ ପ୍ୟାନେଲରେ ରହିଥିବା ସଦସ୍ୟଙ୍କ ଆକଳନ ଆସନ୍ତା ଫେବୃଆରୀ ବେଳକୁ ଦେଶରୁ କରୋନା ବିଦାୟ ନେଇ ସାରିଥିବ। ତେବେ ସକ୍ରିୟ ଥିବା କରୋନା ହାରାହାରି ୧୦.୬ ନିୟୁତ ଅର୍ଥାତ ୧ କୋଟି ୬ଲକ୍ଷରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିପାରେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।

ଭାରତରେ ଏବେ ଆକ୍ଟିଭ କେସ୍‌ ରହିଛି ୭୫ଲକ୍ଷ। ଫେବୃଆରୀରେ ଦେଶରୁ କରୋନାକୁ ହଟାଇବାକୁ ହେଲେ ଏଥିପାଇଁ ଯେଉଁସବୁ ନିୟମ କରାଯାଇଛି ତାହାକୁ କଡାକଡି ପାଳନ କରାଯିବା ଜରୁରି ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି। ସେମାନେ କରୋନା ଧାରାକୁ ମ୍ୟାପିଂ କରିବା ଲାଗି କମ୍ପ୍ୟୁଟର ମଡେଲର ବ୍ୟବହାର କରିଛନ୍ତି। ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଡା. କେ. ବିଜୟ ରାଘବନ ଦେଶରେ କରୋନା ଟ୍ରାକିଂ ଲାଗି ଏହି ପ୍ୟାନେଲ ଗଠନ କରିଥିଲେ। ଆଇଆଇଟି ହାଇଦ୍ରାବାଦର ପ୍ରଫେସର ଏମ୍. ବିଦ୍ୟାସାଗର ଏହାର ନେତୃତ୍ଵ ନେଇଥିଲେ।

କୋଭିଡ ଏକ୍ସପର୍ଟ ପ୍ୟାନେଲର ମୁଖ୍ୟ ତଥା ନୀତି ଆୟୋଗ ସଦସ୍ୟ ଡା.ବି.କେ. ପାଲ ଗତ ୩ ସପ୍ତାହ ହେଲା ଚିହ୍ନଟ ହେଉଥିବା ନୂଆ କୋଭିଡ ମାମଲାରେ ମୃତ୍ୟୁ ସଂଖ୍ୟା ହ୍ରାସ ହୋଇଥିବା କହିଛନ୍ତି। ତେବେ ଆଗକୁ ଶୀତ ଋତୁ। କରୋନା ଦ୍ୱିତୀୟ ଲହର ଆଶଙ୍କାକୁ ଅସ୍ୱୀକାର କରି ହେବନି ବୋଲି ସେ କହିଛନ୍ତି। ଡା. ପାଲଙ୍କ କହିବା ଅନୁସାରେ କରୋନାକୁ ନେଇ ଭାରତର ପରିସ୍ଥିତି ଏବେ ବିଗିଡି ନାହିଁ। ହେଲେ ଦୀର୍ଘପଥ ଚାଲିବାକୁ ଅଛି। କାରଣ ୯୦ ପ୍ରତିଶତ ଲୋକେ ସଂକ୍ରମିତ ହେବାର ଆଶଙ୍କା ଏବେ ମଧ୍ୟ ରହିଛି।

ସୂଚନାଯୋଗ୍ୟ ମାର୍ଚ୍ଚରେ ଲକଡାଉନ କରାଯାଇ ନଥିଲେ କରୋନା ମୃତ୍ୟୁ ସଂଖ୍ୟା ୨୫ ଲକ୍ଷରେ ପହଞ୍ଚିଥାନ୍ତା। ଏହାକୁ ଆୟତ୍ତ କରିବା ଲାଗି ସରକାର ତ୍ୱରିତ ପଦକ୍ଷେପ ନେଇଥିଲେ। ମାର୍ଚ୍ଚ ୨୫ ତାରିଖରେ ପ୍ରଥମ ଜାତୀୟ ଲକଡାଉନ୍‌ ଘୋଷଣା କରାଯିବା ପରେ ଏହାକୁ ପର୍ଯ୍ୟାୟକ୍ରମେ ସମ୍ପ୍ରସାରିତ କରାଯାଇଥିଲା। ଦେଶରେ ଏପର୍ଯ୍ୟନ୍ତ ମୋଟ କୋଭିଡ-୧୯ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୧୪ ହଜାରରେ ପହଞ୍ଚିଛି।

ମତାମତ ଦିଅନ୍ତୁ ।