କରୋନା ସଂକ୍ରମଣରେ କଳା ପଡ଼ିଗଲା ଆଙ୍ଗୁଠି

ନୂଆଦିଲ୍ଲୀ : କରୋନା ଭାଇରସ୍ ପୂରା ଦୁନିଆରେ ଆତଙ୍କ ଜାରି ରଖିଛି। ଭାରତରେ ସଂକ୍ରମଣ ହାର କମୁଥିଲେ ମଧ୍ୟ ଏବେ ବି କେତେକ ଦେଶରେ ସ୍ଥିତି ଚିନ୍ତାଜନକ ରହିଛି। ଇତି ମଧ୍ୟରେ କରୋନାର ଭୟଙ୍କର ରୂପ ଦର୍ଶାଉଥିବା ଆଉ ଏକ ଖବର ସାମ୍ନାକୁ ଆସିଛି। ଇଟାଲୀରେ କରୋନା ଯୋଗୁ ଜଣେ ମହିଳାଙ୍କ ଆଙ୍ଗୁଠିରେ ଗ୍ୟାଙ୍ଗ୍ରିନ୍ ହୋଇଯାଇଛି। ଫଳରେ ମହିଳାଙ୍କ ଆଙ୍ଗୁଠି ସମ୍ପୂର୍ଣ୍ଣ ରୂପେ କଳା ପଡ଼ିଯାଇଛି ଓ ଶେଷରେ କାଟିବାକୁ ପଡ଼ିଛି। ଡାକ୍ତର କହିଛନ୍ତି, ରକ୍ତ ଜମାଟ ବାନ୍ଧିବା ଯୋଗୁ ମହିଳାଙ୍କ ଆଙ୍ଗୁଠି କାଟିବା ଛଡ଼ା ଆଉ କିଛି ବିକଳ୍ପ ନଥିଲା। ମହିଳାଙ୍କ ବୟସ ୮୬ ବର୍ଷ ବୋଲି କୁହାଯାଉଛି। ୟୁରୋପିଆନ୍ ଜର୍ଣ୍ଣାଲ ଅଫ୍ ଭେସ୍କ୍ୟୁଲାର ଆଣ୍ଡ ଆଣ୍ଡୋଭେସ୍କ୍ୟୁଲାର ସର୍ଜରୀରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି, ଭାଇରସ୍ ଯୋଗୁ ମହିଳାଙ୍କ ଶରୀରରେ ସାଇଡ୍ ଇଫେକ୍ଟ ହୋଇଥିଲା। ଏହା କରୋନା ଭାଇରସ୍ର ସବୁଠୁ ଗୁରୁତର ଅବସ୍ଥା। ପୀଡ଼ିତା ମହିଳା ଗତ ବର୍ଷ ଏପ୍ରିଲରେ କରୋନା ପଜିଟିଭ୍ ହୋଇଥିଲେ।
ରିପୋର୍ଟ ଅନୁସାରେ, ସଂକ୍ରମଣ ଯୋଗୁ ମହିଳାଙ୍କ ଶରୀର ଗୁରୁତର ଭାବେ ପ୍ରଭାବିତ ହୋଇଛି। ତାଙ୍କ ଆଙ୍ଗୁଠିରେ ଗ୍ୟାଙ୍ଗ୍ରିନ୍ ହୋଇଯାଇଥିଲା। ଫଳରେ ଡାକ୍ତରଙ୍କୁ ତିନିଟି ଆଙ୍ଗୁଠି କାଟିବାକୁ ପଡ଼ିଛି। ରିପୋର୍ଟରେ କୁହାଯାଇଛି, ଶରୀରରେ ଯେତେବେଳେ ସଂକ୍ରମଣ ଅଧିକ ବଢ଼ିବାକୁ ଲାଗିଲା ସେତେବେଳେ ଏସବୁ ପ୍ରଭାବ ଦେଖିବାକୁ ମିଳିଛି। ବୈଜ୍ଞାନିକ ଏହି ମାମଲାରେ ଅଧିକ ରିସର୍ଚ୍ଚ କରୁଛନ୍ତି ଯେ କରୋନା ପୀଡ଼ିତ ବ୍ୟକ୍ତି ସୁସ୍ଥ ହେବା ପରେ କି କି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।