ଗାଡ଼ିରେ ଜାତି ଲେଖିଲେ ଜରିମାନା

ଲକ୍ଷ୍ନୌ : କୋଣସି ଗାଡ଼ିରେ ଜାତି ଲେଖାଯାଇ ପାରିବ ନାହିଁ। ବ୍ରାହ୍ମଣ, ଜାଟ୍, ରାଜପୁତ ଓ କ୍ଷତ୍ରୀୟ ଆଦି ଲେଖିଲେ ଜରିମାନା ଦେବାକୁ ପଡିବ। ଏପରିକି ଜାତିସୂଚକ ଶବ୍ଦ ଲେଖିଲେ ଗାଡ଼ି ସିଜ୍ ହୋଇପାରେ। ଉତ୍ତରପ୍ରଦେଶ ଯୋଗୀ ଆଦିତ୍ୟନାଥଙ୍କ ସରକାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ରାଜ୍ୟ ପରିବହନ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେଉଁ ଗାଡ଼ିରେ ଜାତିସୂଚକ ଶବ୍ଦ ଲେଖାଥିବ ସେଗୁଡ଼ିକୁ ଜବତ କରାଯିବ। ଧାରା ୧୭୭ ଅନୁସାରେ ଚାଲାଣ କିମ୍ବା ଗାଡ଼ି ସିଜ୍ କରାଯାଇପାରିବ।
ଉତ୍ତରପ୍ରଦେଶରେ ଏହି ଜାତିବାଦ ଗାଡ଼ି ସମାଜ ପାଇଁ ବିପଦ ସୃଷ୍ଟି କରୁଛି। ଏସବୁ ପ୍ରଥା ବନ୍ଦ ହେବା ଦରକାର ବୋଲି ମହାରାଷ୍ଟ୍ରର ଜଣେ ଶିକ୍ଷକ ହର୍ଷଲ ପ୍ରଭୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପତ୍ର ଲେଖିଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ଅଭିଯୋଗ ପତ୍ରକୁ ଉତ୍ତରପ୍ରଦେଶ ସରକାରଙ୍କୁ ପଠାଇଥିଲେ। ପରେ ଅଭିଯୋଗକୁ ତର୍ଜମା କରି ଏହି ପଦକ୍ଷେପ ନିଆଯାଇଛି।