ଗାଁ ଦାଣ୍ଡରେ ପଡ଼ିଛି ମା’-ଝିଅଙ୍କ ମୃତଦେହ, ୪ ଦିନ ହେଲା ସତ୍କାର ହୋଇପାରୁନି

ପଟ୍ଟାମୁଣ୍ଡାଇ : ମାମୁ ଘର ଆଗରେ ଭାଣିଜୀ ଓ ମା’ର ମୃତଦେହ। ୪ ଦିନ ହୋଇଗଲାଣି। ଗ୍ରାମବାସୀ ଶବ ସତ୍କାର କରୁ ନାହାନ୍ତି। ଅଭିଯୁକ୍ତଙ୍କୁ ଗିରଫ କରାଯାଉ ଦାବିରେ ସେମାନେ ଅଡିବସିଛନ୍ତି। ଏହିଭଳି ପରିସ୍ଥିତିରେ ଶବରୁ ଦୁର୍ଗନ୍ଧ ବାହାରିଲାଣି। ଏପରି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ଘଟିଛି। ତେବେ କେଉଁ ପରିସ୍ଥିତିରେ ମା’ ଓ ଝିଅଙ୍କ ମୃତ୍ୟୁ ହେଲା ରାଜନଗର ପୋଲିସ ତାହାର ତଦନ୍ତ ଆରମ୍ଭ କରିଛି। ବ୍ୟବଚ୍ଛେଦ ପରେ ମୃତା ଝିଅ ପେଟରୁ ଏକ ଶିଶୁ ଭ୍ରୁଣ ବାହାରିବାରୁ ପୋଲିସ ମାମୁକୁ ଅଟକ ରଖିଥିବା ଜଣାପଡିଛି।

ଖବର ଅନୁଯାୟୀ ମୃତ ମହିଳା ସ୍ୱାମୀ ଓ ୨ ଝିଅଙ୍କ ସହ ବାପଘର ଗାଁରେ ରହୁଥିଲେ। ଶନିବାର ମହିଳାଜଣକ କେଉଁଆଡ଼େ ଚାଲି ଯାଇଥିଲେ। ପରିବାର ଲୋକେ ଖୋଜାଖୋଜି କରି ତାଙ୍କ ଚପଲ ଓ ମୋବାଇଲ୍‌ ମାଟିଆ ମଙ୍ଗଳା ମନ୍ଦିର ନିକଟସ୍ଥ ହଂସୁଆ ନଦୀ ପଠାରୁ ପାଇଥିଲେ। ଏନେଇ ମହିଳାଙ୍କ ବଡ଼ ଝିଅ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତିକରି ଆରମ୍ଭ କରିଥିଲା ଘଟଣାର ତଦନ୍ତ। କିନ୍ତୁ ପରଦିନ ମହିଳାଙ୍କ ମୃତଦେହ ହଂସୁଆ ନଦୀରେ ଭାସୁଥିବା ଦେଖିବା ମିଳିଥିଲା। ସ୍ଥାନୀୟ ଲୋକେ ଥାନାକୁ ଖବର ଦେବାରୁ ପୋଲିସ ଆସି ମୃତଦେହ ଉଦ୍ଧାର କରିଥିଲା। ହେଲେ ତା’ ପରଦିନ ମାଆ ନିଖୋଜ ନେଇ ଅଭିଯୋଗ କରିଥିବା ଝିଅର ମୃତଦେହ ଗାଁ ପୋଖରୀରୁ ମିଳିଥିଲା। ଏନେଇ ମୃତା ଯୁବତୀଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। କିନ୍ତୁ ଗ୍ରାମବାସୀ ଅଡି ବସିଛନ୍ତି ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ଶବ ସତ୍କାର କରାଯିବ। ପୋଲିସ ସେମାନକୁ ବୁଝାଉଥିଲେ ମଧ୍ୟ ସେମାନେ ଜିଦରେ ଅତଳ ରହିଛନ୍ତି।

ମତାମତ ଦିଅନ୍ତୁ ।