ଗଣମାଧ୍ୟମର ବିଶ୍ୱାସନୀୟତାକୁ ନେଇ ପ୍ରଶ୍ନ

।। ଗୋପାଳ ମହାପାତ୍ର ।। ଏହାକୁ ବିଡ଼ମ୍ବନା ବୋଲି କୁହାଯାଇପାରେ ଯେ, ଯେଉଁ ସାମ୍ବାଦିକତାକୁ ଅଧିକ ପରିପକ୍ୱ, ପରିସ୍କୃତ ଏବଂ ପରିମାର୍ଜିତ ଭାବେ ଦେଖିବା କଥା ଆମେ ଏବେ ତାର ବି ଚାପ ଦେଖିବାକୁ ପାଉଛେ। ଭାରତ ଭଳି ଦେଶରେ ଏହା ନିଶ୍ଚିତ ଭାବେ ଏକ ଦୁର୍ଭାଗ୍ୟଜନକ ଘଟଣା । ସାମ୍ବାଦିକତା ଏବେ ଦାୟୀତ୍ୱହୀନତା ଏବଂ ଗୁରୁତ୍ୱହୀନ ଦେଖିବାକୁ ମିଳୁଛି । ଏହି ଘଟଣା ସାମ୍ବାଦିକତାର ସମଗ୍ର ସ୍ୱରୂପକୁ ସୂଚାଇ ଦେଉଛି । ମୁଦ୍ରିତ ଗଣମାଧ୍ୟମ ବା ସମ୍ବାଦପତ୍ର ପତ୍ରିକା ବିଭିନ୍ନ ସମୟରେ ତାର ଗୌରବଶାଳୀ ଭୂମିକା ନିର୍ବାହ କରିଥିବାର ଅନେକ ଉଦାହରଣ ରହିଛି । ସମ୍ବାଧୀନତା ସଂଗ୍ରାମ ସମୟରେ ହେଉ ବା ଦେଶରେ ଜରୁରୀକାଳୀନ ପରିସ୍ଥିତି ସମୟରେ ହେଉ ସମ୍ବାଦପତ୍ର ତାର ଦାୟିତ୍ୱ ଠିକ୍ ଭାବରେ ସମ୍ପାଦନ କରିଥିଲେ । କିନ୍ତୁ ଏବେ ଲାଗୁଛି ଅତୀତର ଏହି କଥା ଅତୀତ ହୋଇଯାଇଛି । ଜନଜୀବନରେ ଗଣମାଧ୍ୟମର ଭୂମିକା ତ ରହିବ। ହେଲେ ମୁଦ୍ରିତ ଗଣମାଧ୍ୟମର ଭୂମିକା ପୂର୍ବଭଳି ଯେ ପ୍ରଭାବଶାଳୀ ହୋଇ ରହିପାରିବ ସେ ନେଇ ଆଶଙ୍କା ଦେଖାଦେଇଛି । କାରଣ ଏବେର ସମୟ କେବଳ ମୁଦ୍ରିତ ଗଣମାଧ୍ୟମ ପାଇଁ କଠିନ୍ ସମୟ ତା ନୁହେଁ ଅନ୍ୟ ମାଧ୍ୟମ ପାଇ ମଧ୍ୟ ନିଜର ଭୂମିକାକୁ ଠିକ୍ ଭାବରେ ନିର୍ବାହ କରିବା ପାଇଁ ଚାଲେଞ୍ଜ ସୃଷ୍ଟି କରିଛି ।

ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତିରେ ସମ୍ବାଦପତ୍ରର ଅସ୍ତିତ୍ୱ ସଙ୍କଟରେ ପଡିଛି । ପୁଞ୍ଜି ଏବଂ ପାଠକଙ୍କ ଅଭାବ କାରଣରୁ କେବଳ କିଛି ମାତ୍ର ସାଧନ ସମ୍ପନ୍ନ ସଂସ୍ଥା ସମ୍ବାଦପତ୍ରର ସଞ୍ଚାଳନ ଠିକ୍ ଭାବରେ କରିପାରୁଛନ୍ତି । ଆର୍ଥିକ ସଙ୍କଟ ପ୍ରାୟତଃ ସବୁ ସମ୍ବାଦପତ୍ରର ସମ୍ପାଦକୀୟ ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଇ ଦେଇଛି । ଏକଥା ସ୍ପଷ୍ଟ ସମ୍ବାଦ-ବିଚାରକୁ ସମ୍ବାଦପତ୍ରରେ ନିରପେକ୍ଷ ଭାବେ ଏପରିକି ସ୍ୱାଧୀନ ଭାବେ ସ୍ଥାନିତ କରିବାର ଅବସ୍ଥା ପୂର୍ବବତ୍ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଣୁ ସମ୍ବାଦପତ୍ର ଯେଉଁ ଗୁରୁତ୍ୱ ଥିଲା ତାହା କ୍ରମେ କ୍ରମେ କମିବାରେ ଲାଗିଛି । ସମ୍ବାଦପତ୍ରର ମୁଖ୍ୟ ପୁଞ୍ଜି ହେଉଛି ବିଶ୍ୱସନିୟତା । ଏହି ପୁଞ୍ଜି ଅନ୍ୟ ମାଧ୍ୟମମାନଙ୍କୁ ମିଳିପାରେ ନାହିଁ । ଅନ୍ୟ ମାଧ୍ୟମ ମାନଙ୍କ ପାଖରେ ସାଧନ ସଂସଧାନ ଏବଂ ଟିଆରପି ବାଲା ଶ୍ରୋତା-ଦର୍ଶକ ଥାଇପାରନ୍ତି କିନ୍ତୁ ବିଶ୍ୱସନିୟତା ନାହିଁ ବୋଲି କୁହାଯାଇପାରେ । ଅନେକ ଘରୋଇ ଚାନେଲ (ଟିଭି ଚାନେଲ) ଅଧିକ ଭାବରେ ବିଶ୍ୱସନିୟତା ହରାଇଛନ୍ତି ।

ନବେ ଦଶକରେ ଘରୋଇ ଟିଭି ଚାନେଲ ସବୁ ଦେଶରେ ଆରମ୍ଭ ହୋଇଥିଲା । ଏହା ଲୋକଙ୍କୁ ଦେଶର ବିଭିନ୍ନ ଖବର ଜଣାଇବାର ମାଧ୍ୟମ ପାଲଟି ଥିଲା । କେନ୍ଦ୍ର ସରକାର ୧୯୯୬ ମସିହା ନଭେମ୍ବର ୨୩ତାରିଖରେ ପ୍ରସାର ଭାରତୀ ଆଇନ ପ୍ରଣୟନ କରି ଦୂରଦର୍ଶନର ଏକାଧିକାରକୁ ଖତମ କରିଦେଇଥିଲେ ଫଳରେ ଘରୋଇ ଚାନେଲ ମାନଙ୍କ ହାତକୁ ସମ୍ବାଦ ପ୍ରସାରଣର ଦକ୍ଷତା ଆସିଯାଇଥିଲା । ଏହି ଘରୋଇ ଚାନେଲ ଗୁଡିକ ଭୌଗୋଳିକ, ଆର୍ଥିକ ଓ ସାକ୍ଷରତାର ସୀମାକୁ ଭାଙ୍ଗି ଦେଇଥିଲେ । ଏକ ତଥ୍ୟ ଅନସୁାରେ ଏବେଦେଶର ୧୦କୋଟିରୁ ଅଧିକ ଲୋକଙ୍କ ଘରେ ଟିଭି ରହିଛି । ଏହି ମାଧ୍ୟମ ତାର ଶକ୍ତି ପ୍ରଦର୍ଶନ କରି ସମାଜର ମଙ୍ଗଳ କରିବା କଥା କିନ୍ତୁ ଓଲଟା ହେଉଛି । କେତେକ ଟିଭି ଚାନେଲ ଦାୟୀତ୍ୱହୀନତାର ପରିଚୟ ଦେଇ ଲୋକଙ୍କ ବିଶ୍ୱାସ ହରାଇଛନ୍ତି । ଏବେ ଏମିତି ଅବସ୍ଥା ଉପୁଜିଛି ଲୋକେ କେତେକ ଚାନେଲର ସମ୍ବାଦ ଚୟନ ଓ ଉପସ୍ଥାପନାକୁ ନେଇ ଅଙ୍ଗୁଳି ଉଠାଉଛନ୍ତି। ଏପରିକି ଅନେକ ମଧ୍ୟ ସମାଚାର ଦେଖିବା ବନ୍ଦ କରି ଦେଉଛନ୍ତି । ଏ ପ୍ରସଙ୍ଗରେ ଅନେକ ଉଦାହରଣ ରହିଛି । ଦୁଃଖଦ ଘଟଣାହେଉଛି ୩ ଦଶନ୍ଧି ପରେ ମଧ୍ୟ ଏହି ମାଧ୍ୟମ ନିଜର ନିଶ୍ଚିତ ଚରିତ୍ରକୁ ବିକଶିତ କରିପାରିନାହିଁ । ଚବିଶ ଘଣ୍ଟା ସମ୍ବାଦ ପ୍ରସାରଣ କରୁଥିବା ଏହି ମାଧ୍ୟମ କେବେ ପରିପକ୍ୱ ହେବ ତାକୁ ନେଇ ଆଶଙ୍କା ସୃଷ୍ଟି ହେଲାଣି ।

ଏବେ ସାମାଜିକ ଗଣମାଧ୍ୟମ ଏକ ନୂଆ ସୂଚନା ମାଧ୍ୟମ ଭାବେ ବିକଶିତ ହୋଇଛି। କିନ୍ତୁ ଦାୟୀତ୍ୱହୀନତା ଭରିରହିଥିବା ଦେଖାଯାଉଛି । ଫେକ୍ ନ୍ୟୁଜ୍ (ଭୁଲ୍ ସମ୍ବାଦ)ର ପ୍ରସାରଣ ବଢିବାରେ ଲାଗିଛି । ସାମାଜିକ ଗଣମାଧ୍ୟମରେ ଅନେକ ସମୟରେ ଅସତ୍ୟ, ଅପ୍ରମାଣିକ ତଥା ଅସନ୍ତୁଳିତ ଖବର ପ୍ରକାଶିତ ହେଉଛି ଯାହା ସାମ୍ବାଦିକତାର ମର୍ଯ୍ୟାଦା ହାନୀ କରିବା ସହିତ ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଭଳି ଅବସ୍ଥା ପାଇଁ ସାଧାରଣ ଲୋକଙ୍କ ପାଖରେ ସଠିକ୍ ସମ୍ବାଦ ପହଁଚିବା କଷ୍ଟକର ହୋଇପଡିଛି । ସମ୍ବାଦ-ବିଚାର ମାମଲାରେ ପ୍ରଦୂଷଣ ମଧ୍ୟ ବଢୁଛି । ଏଭଳି ସମୟରେ ଦୂରଦର୍ଶନ ପୁଣି ପ୍ରାସଙ୍ଗିକ ହେବାରେ ଲାଗିଛି । ଘରୋଇ ଚାନେଲ ଗୁଡିକର ଅସନ୍ତୁଳିତ ସାମ୍ବାଦିକତା, ଦାୟୀତ୍ୱହୀନତା କାରଣରୁ ଯେଉଁମାନେ ଦୂରଦର୍ଶନ ଦେଖିବାକୁ ପସନ୍ଦ କରୁନଥିଲେ ସେମାନେ ଦୂରଦର୍ଶନ ଦେଖିବାକୁ ଇଚ୍ଛା କଲେଣି । ଲୋକଙ୍କ ମତ ହେଉଛି ସନ୍ତୁଳିତ ଏବଂ ସତ୍ୟ ସମ୍ବାଦ ମୁଦ୍ରିତ ଗଣମାଧ୍ୟମରେ ହିଁ ପ୍ରକାଶିତ ହୋଇଥାଏ । ଅନେକ ଜାତୀୟସ୍ତରର ଟିଭି ଚାନେଲ ଏକ ତରଫା, ଅର୍ଦ୍ଧସତ୍ୟକୁ ସତ୍ୟ ଭଳି ଉପସ୍ଥାପନ କରିବା ତଥା ଦର୍ଶକଙ୍କୁ ଭ୍ରାମକ ସୂଚନା ଦେଉଥିବା ଅଭିଯୋଗ ଉଠୁଛି । ଦେଖାଯାଉଛି ଅନେକ ଘରୋଇ ଟିଭି ଚାନେଲ କମ୍ ପ୍ରାସଙ୍ଗିକ ପ୍ରସଙ୍ଗକୁ ଅନାବଶ୍ୟକ ଭାବେ ଗୁରୁତ୍ୱ ଦେଉଛନ୍ତି । ଅନେକ ଟିଭି ଚାନେଲରେ ଦିଲ୍ଲୀ ଓ ଉତ୍ତର ଭାରତକୁ ଯେଭଳି ଗୁରୁତ୍ୱ ଦିଆଯାଉଛି ଦେଶର ଅନ୍ୟ ଅଂଶକୁ ସେତିକି ଗୁରୁତ୍ୱ ଦିଆଯାଉନାହିଁ । ଟିଆରପି ପାଇଁ ଏଭଳି କରାଯାଉଛି । ଉତ୍ତେଜନାମୂଳକ ତଥା ଶସ୍ତା ଖବରରେ ଟିଆରପି ବଢାଇବା ପାଇଁ ଟିଭି ଚାନେଲ ମାନେ ଉଦ୍ୟମ କରୁଛନ୍ତି । ସୁଶାନ୍ତ ହତ୍ୟାକାଣ୍ଡକୁ ଯେଭଳି ପ୍ରସାରଣ କରାଗଲା ତାହା ହେଉଛି ଏଭଳି ଘଟଣାର ଏକ ପ୍ରକୃଷ୍ଟ ଉଦାହରଣ ।

ଦେଖିବାକୁ ଗଲେ ଦୂରଦର୍ଶନ ତାର ସମ୍ବାଦ ପ୍ରସାରଣକୁ ଠିକ୍ ବା ସ୍ୱଚ୍ଛ ରଖିଛି ବୋଲି କୁହାଯାଇପାରେ । ଦେଶର ଅନେକ ଖବର ଦୂରଦର୍ଶନରୁ ମିଳିଯାଉଛି । କୋଭିଡ ବା କରୋନା ସମୟରେ ଚିକିତ୍ସକ ମାନଙ୍କର ପରାମର୍ଶ ଓ ବିଶେଷଜ୍ଞ ସମୟରେ ଚିକିତ୍ସକମାନଙ୍କର ପରାମର୍ଶ ଏବଂ ବିଶେଷଜ୍ଞ ମାନଙ୍କର ପରାମର୍ଶ ପ୍ରସାରଣ କରି ଦୂରଦର୍ଶନ ଲୋକଙ୍କର ଆସ୍ଥାଭାଜନ ହୋଇପାରିଛି । ଗତ ଜୁନ ମାସରେ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟର ରଏଟ୍‌ରସ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ଜର୍ଣ୍ଣାଲିଜିମ୍ ପକ୍ଷରୁ ଏକ ସର୍ଭେ କରାଯାଇଥିଲା । ସର୍ବେକ୍ଷଣର ରିପୋର୍ଟ ଦୂରଦର୍ଶନ ସପକ୍ଷରେ ମତ ଦେଇଛି । ରିପୋର୍ଟରେ ଦୂରଦର୍ଶନକୁ ଦେଶର ବିଶ୍ୱସନୀୟ ଚାନେଲ ବୋଲି କୁହାଯାଇଛି । ଆକାଶବାଣୀକୁ ମଧ୍ୟ ସର୍ବେକ୍ଷଣ ରିପୋର୍ଟ ବିଶ୍ୱସନୀୟ ବୋଲି ଲେଖିଛି । ସର୍ବେକ୍ଷଣ ରିପୋର୍ଟ ଅନୁସାରେ ଭାରତର ୩୮ ପ୍ରତିଶତ ଲୋକ ସମାଚାରର ବିଶ୍ୱସନୀୟତା ଉପରେ ଭରଷା କରିଥାନ୍ତି । କିନ୍ତୁ ସର୍ବେକ୍ଷଣରେ ଉଲ୍ଲେଖ ଅଛି ଯେ ଫିନଲ୍ୟାଣ୍ଡ ଭଳି ଦେଶରେ ୬୫ପ୍ରତିଶତ ଲୋକ ସେ ଦେଶର ଗଣମାଧ୍ୟମ ଉପରେ ଭରଷା ରଖିଛନ୍ତି । ଏହି ରିପୋର୍ଟ ଆମର ଗଣମାଧ୍ୟମ ପ୍ରତିଷ୍ଠାନ, ସେଥିରେ କାର୍ଯ୍ୟରତ କର୍ମଚାରୀ ଏପରିକି ସାମ୍ବାଦିକତା ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ନିଶ୍ଚୟ । ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିଷ୍ଠାନମାନେ ଗଭୀର ଭାବେ ଏ ବାବଦରେ ଚିନ୍ତା କରିବା ଉଚିତ୍ ।

ଏହି ରିପୋର୍ଟରେ ପ୍ରିଣ୍ଟ ମିଡିଆ ବା ମୁଦ୍ରିତ ଗଣମାଧ୍ୟମ ସମ୍ପର୍କରେ ସକାରାତ୍ମକ ମନ୍ତବ୍ୟ ରହିଛି । ଦେଶରେ ଏବେ ବି ମୁଦ୍ରିତ ଗଣମାଧ୍ୟମ ଅନ୍ୟ ମାଧ୍ୟମ ଅପେକ୍ଷା ଅଧିକ ବିଶ୍ୱାସର ପାତ୍ର । ମୁଦ୍ରିତ ଗଣମାଧ୍ୟମରେ ଶବ୍ଦର ଶାଳୀନତା ରହିଥାଏ । ଚାନେଲ ଗୁଡିକରେ ବହୁ ଅର୍ଥ ବୋଧକ ଶବ୍ଦ ଏବଂ ସାମାଜିକ ଗଣମାଧ୍ୟମରେ ଅସଂପାଦିତ ଏବଂ ଦାୟୀତ୍ୱହୀନ ତଥ୍ୟ ଓ ଭାଷାର ତୁଳନାରେ ସମ୍ବାଦପତ୍ରରେ ମୁଦ୍ରିତ ଶବ୍ଦ ଭରଷା ଯୋଗ୍ୟ ଥିଲେ ମଧ୍ୟ ଅନେକ ସମ୍ବାଦପତ୍ର ସେହି ଭରଷାକୁ କାଏମ ରଖିବାରେ ବିଫଳ ହେଉଛନ୍ତି । ଦେଶରେ ହଜାରେରୁ ଅଧିକ ଟିଭି ଚାନେଲ ଥାଇ ମଧ୍ୟ ଲୋକେ ସମ୍ବାଦପତ୍ର ଉପରେ ଭରଷା କରିବା ଟିଭି ଚାନେଲପାଇଁ ଚିନ୍ତାଜନକ ବିଷୟ ନିଶ୍ଚୟ । ସରକାର ଚାନେଲ ଏବଂ ସାମାଜିକ ଗଣମାଧ୍ୟମକୁ ନିୟନ୍ତ୍ରଣ କରିବାପାଇଁ ନ୍ୟାୟାଳୟ ମଧ୍ୟ କହିଛନ୍ତି । ସରକାର ମଧ୍ୟ ଏ ଦିଗରେ ପଦକ୍ଷେପ ନେଇଛନ୍ତି । ବ୍ରଡ଼କାଷ୍ଟର ଆସୋସିଏସନ୍ ମଧ୍ୟକେତେକ ନିୟମ ଜାରି କରିଛି କିନ୍ତୁ କେତେକ ଚାନେଲ, ଖବରରେ ଅସନ୍ତୁଳନ, ଭେଦଭାବ, ଅର୍ଦ୍ଧସତ୍ୟ ଏବଂ ଅପୂର୍ଣ୍ଣ ସମ୍ବାଦ ପ୍ରସାରଣ କରୁଛନ୍ତି । ଏସବୁ କଥାକୁ କେବଳ ଚାନେଲର ମାଲିକ ଅଥବା ସଞ୍ଚାଳନ ହିଁ ରୋକିପାରିବେ । କାରଣ ଅନେକ ଖବର ବାସ୍ତବରେ ଅର୍ଦ୍ଧ ସତ୍ୟ ହୋଇଥିଲେ ମଧ୍ୟ ସତ୍ୟ ଭାବେ ତାକୁ ଉପସ୍ଥାପନ କରାଯାଉଛି । ମାଧ୍ୟମର ବିଶ୍ୱସନୀୟତାର ପ୍ରଶ୍ନ ତତ୍କାଳିକ ଲାଭ ଆଗରେ ଗୌଣ ହୋଇଯାଉଛି ।

ସମ୍ବନ୍ଧିତ ଖବର
between image and heading

Comments are closed.