ଗାନ୍ଧି ଜୟନ୍ତୀରୁ ଆରମ୍ଭ ହେଲା ସଚେତନତା ଅଭିଯାନ

ଭୁବନେଶ୍ୱର : ବିଜୁ ଜନତା ଦଳ ଆଜି ଗାନ୍ଧି ଜୟନ୍ତୀରୁ କରୋନା ସଚେତନତା ଅଭିଯାନ ଆରମ୍ଭ କରିଛି। ମାସେ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ନେତା ଆଉ କର୍ମୀମାନେ ଗାଁଠୁ ସହର ସବୁଠି ପଦଯାତ୍ରା କରି ଲୋକଙ୍କୁ ବାଣ୍ଟିବେ କରୋନା ସଚେତନତାର ବାର୍ତ୍ତା। ଲୋକଙ୍କୁ ମାସ୍କ ବାଣ୍ଟିବା ସହ, ସାମାଜିକ ଦୂରତା ନିୟମ ପାଳନ କରିବା, ଗୁରୁତର କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଦାନ କରିବାକୁ ଅପିଲ୍‌ କରିବେ। ଏଥିସହ କରୋନା ସଂକ୍ରମିତଙ୍କ ପାଇଁ ରାଜ୍ୟ ସରକାର କିଭଳି ସମ୍ପୂର୍ଣ୍ଣ ମାଗଣାରେ ଟେଷ୍ଟିଂ, ଚିକିତ୍ସା, ରହିବା ଓ ଖାଇବା ବ୍ୟବସ୍ଥା କରିଛନ୍ତି ସେ ସମ୍ପର୍କରେ ଅବଗତ କରାଇବେ।

ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ କୃଷି ବିଲ୍‌ ପ୍ରତ୍ୟାହାର ଦାବିରେ ଆଜିଠୁ ସାରା ଦେଶରେ ଦସ୍ତଖତ ଅଭିଯାନ ସହ ଚାଷୀ ପଦଯାତ୍ରା ଆରମ୍ଭ କରିଛି କଂଗ୍ରେସ। ଏହି ଅବସରରେ ଦଳୀୟ ନେତାମାନେ ଉଭୟ ବିଜେଡି ଓ ବିଜେପିକୁ ସମାଲୋଚନା କରିଛନ୍ତି। କଂଗ୍ରେସ ଓ ବିଜେଡିର ପଦଯାତ୍ରାକୁ ପ୍ରହସନ ବୋଲି କହିଛି ବିଜେପି। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଗାନ୍ଧି ଜୟନ୍ତୀରୁ ଆରମ୍ଭ ହୋଇଛି ପଦଯାତ୍ରା ରାଜନୀତି। ଲୋକଙ୍କ ପାଖରେ ଦଳୀୟ ବାର୍ତ୍ତା ପହଞ୍ଚାଇବା ପାଇଁ ଗାନ୍ଧି ଜୟନ୍ତୀକୁ କରାଯାଇଛି ମଧ୍ୟମ। ଆଗକୁ ଦୁଇଟି ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ। ତାପରେ ପୌର ନିର୍ବାଚନ ସମୟ ପାଖେଇ ଆସୁଛି। ସେଥିପାଇଁ ଲୋକଙ୍କ ପାଖରେ ପହଞ୍ଚିବାକୁ ଏପରି କରାଯାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି।

ମତାମତ ଦିଅନ୍ତୁ ।