ଗାନ୍ଧୀଙ୍କ ଦେଶରେ ମଦ ପାଲଟିଛି ଆବଶ୍ୟକୀୟ ବସ୍ତୁ

॥ ଗୋପାଳ ମହାପାତ୍ର ॥
ଏଇ କିଛି ଦିନ ତଳେ କୃତଜ୍ଞ ରାଷ୍ଟ୍ର ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପାଳନ କରି ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛି । ମହାତ୍ମା ଗାନ୍ଧୀଙ୍କ ନାମରେ ବିଭିନ୍ନ ରାଜନୈତିକ ଦଳମାନେ ରାଜନୀତି କରିବାର ଇତି ମଧ୍ୟରେ ୭୪ବର୍ଷ ବିତି ଗଲାଣି । ସମସ୍ତେ ଗାନ୍ଧୀଙ୍କ ନାଁ ଧରି ପାର ହେଉଛନ୍ତି କିନ୍ତୁ କେହି ତାଙ୍କ କହିବା କଥାକୁ କାର୍ଯ୍ୟକାରୀ କରୁନାହାଁନ୍ତି । କଥାଟି ହେଉଛି ଗାନ୍ଧୀ ଦେଶରୁ ମଦର ବିଲୋପ କରିବାକୁ ଚାହୁଁଥିଲେ । କିନ୍ତୁ ଯେଉଁ ଦେଶରେ ଗାନ୍ଧୀଙ୍କୁ ରାଷ୍ଟ୍ରପିତା କୁହାଯାଉଛି ସେ ଦେଶର ଅନେକ ରାଜ୍ୟରେ ଏବେ ମଦକୁ ଜରୁରୀ ବା ଆବଶ୍ୟକୀୟ ବସ୍ତୁ ଭାବରେ ସାମିଲ କରିଦିଆଗଲାଣି । ଲକ୍ ଡାଉନ୍ ସମୟରେ ଯେତେବେଳେ ଖାଦ୍ୟ ସାମଗ୍ରୀର ଦୋକାନ ସବୁ ଖୋଲାଯିବା ପାଇଁ ଅନୁମତି ଦିଆଗଲା ସେତେବେଳେ ମଧ୍ୟ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିଲା। ମଦ ଦୋକାନ ଗୁଡ଼ିକରେ ଲୋକଙ୍କର ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା । ଦେଶରେ ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ସରକାରୀ ସ୍ତରରେ ପାଳନ କରାଯାଇଛି । ବର୍ଷବ୍ୟାପି ଏହି ଜୟନ୍ତୀ ପାଳନ କରାଯାଇଥିଲା । ଭାରତ ସରକାରଙ୍କ ପ୍ରୟାସ ଯୋଗୁଁ ଗାନ୍ଧୀଙ୍କ ପ୍ରିୟ ଭଜନ “ବୈଷ୍ଣବ ଜନ ତୋ ତେନେ କହିୟେ” ପାଖାପାଖି ୪୦ଟି ଦେଶରେ ବାଜୁଥିଲା । ବିଶ୍ୱର ଅନେକ ଦେଶରେ ଗାନ୍ଧୀଙ୍କର ପ୍ରତିମୂର୍ତ୍ତୀ ନିର୍ମାଣ କରାଯାଇଛି ଓ ଗାନ୍ଧୀ ସଂଗ୍ରହାଳୟ ମଧ୍ୟ ସ୍ଥାପନ କରାଯାଇଛି । କିନ୍ତୁ ଲାଗୁଛି ଯେମିତି ଗାନ୍ଧୀଙ୍କ ସିଦ୍ଧାନ୍ତକୁ ଏମିତି ଜାଗାରେ ରଖିଦିଆଯାଇଛି ଯେମିତି ତାକୁ ନୂଆ ପିଢ଼ୀ ଦେଖି ପାରିବେ ନାହିଁ ।

ଗାନ୍ଧୀଙ୍କ ପ୍ରିୟ ଭଜନ “ବୈଷ୍ଣବ ଜନ ତୋ ତେନେ କହିୟେ” ବାସ୍ତବରେ ଭାରତୀୟ ସଂସ୍କୃତିର ପ୍ରକୃତ ଅନୁସରଣ ଓ ଅନୁବାଦ ଥିଲା । ଆମର ପ୍ରାଚୀନ ଗ୍ରନ୍ଥମାନଙ୍କରେ ମଧ୍ୟ କୁହାଯାଇଛି ଅନ୍ୟର ପୀଡା ବା ଦୁଃଖ ବାବଦରେ ଜାଣି ତାର ସେ ଦୁଃଖ ଦୂର କରିବା ଠାରୁ ବଡ଼ ଧର୍ମ ଆଉ କିଛି ନାହିଁ । ଗାନ୍ଧୀ ସ୍ୱାଧିନତା ଆନ୍ଦୋଳନ ସମୟରେ ମଧ୍ୟ ମଦ ଦୋକାନ ଆଗରେ ଧାରଣା ପ୍ରଦର୍ଶନ କରୁଥିଲେ ଓ ମଦ ଦୋକାନ ବନ୍ଦ କରିବା ପାଇଁ ଦାବି କରୁଥିଲେ । ଗାନ୍ଧୀ ତାଙ୍କ ଅନୁଗାମୀ ବା ସ୍ୱାଧିନତା ସଂଗ୍ରାମରେ ତାଙ୍କ ସହଯୋଗୀ ଥିବା ଲୋକମାନଙ୍କୁ ସବୁବେଳେ କହୁଥିଲେ ଭାରତ ବର୍ଷ ପଛୁଆ ରହିବା ଓ ଗରୀବ ହେବା କଥାକୁ ସେ ସହ୍ୟ କରିବେ। କିନ୍ତୁ ଦେଶର ଲକ୍ଷ ଲକ୍ଷ ଲୋକ ମଦୁଆ ହେବା କଥାକୁ ସେ ସହ୍ୟ କରିପାରିବେ ନାହିଁ । ତାଙ୍କର ବିଶ୍ୱାସ ଥିଲା ଯଦି ଦେଶରେ ମଦ ବନ୍ଦ କରାନଯିବ ତେବେ ଆମ ସ୍ୱାଧିନତା ଗୋଲାମି ହୋଇ ରହିଯିବ । କାରଣ ଯେଉଁଠି ମଦ ସେଇଠି ଲକ୍ଷ ଲକ୍ଷ ମହିଳା ନିର୍ଯାତିତ ହେବେ । ପିଲାମାନଙ୍କ ଭବିଷ୍ୟତ ନଷ୍ଟ ହେବ, ପାରିବାରିକ କଳହ ବଢ଼ିବ ଏବଂ ଅପରାଧ ମଧ୍ୟ ବଢ଼ିବ । ଗାନ୍ଧୀଙ୍କର ଏହି ବିଚାରକୁ ସ୍ୱାଧିନତା ସଂଗ୍ରାମର ଅନ୍ୟ ସୂତ୍ରଧରମାନେ ମଧ୍ୟ ସମର୍ଥନ କରୁଥିଲେ । ମହାମନା ବାଲ ଗଙ୍ଗାଧର ତିଳକ ମଦ ପିଉଥିବା ଏବଂ ମଦ ପିଆଉଥିବା ସରକାରକୁ ବହିଷ୍କାର କରିବା ଉଚିତ୍ ବୋଲି କହିଥିଲେ । ଧର୍ମଗ୍ରନ୍ଥମାନଙ୍କରେ ମଧ୍ୟ ମଦ ପ୍ରସଙ୍ଗରେ ଅନେକ ନକାରାତ୍ମକ ଟିପ୍‌ଣୀ ରହିଛି । ମଦ ସମ୍ବନ୍ଧରେ ଧର୍ମଗ୍ରନ୍ଥ, ମହାପୁରୁଷଙ୍କ ବାଣୀ ପ୍ରସଙ୍ଗରେ ଉଲ୍ଲେଖ କରିବା ଅପେକ୍ଷା ଆମ ଦେଶର ନେତାମାନଙ୍କୁ ପ୍ରଶ୍ନ କରିବା ଅଧିକ ଉଚିତ୍ ମନେହେଉଛି । ପ୍ରଶ୍ନ ହେଉଛି ପ୍ରକୃତରେ ଆମ ନେତାମାନେ ମହାତ୍ମାଗାନ୍ଧୀଙ୍କୁ ଭଲ ପାଆନ୍ତି ସମ୍ମାନ ଦିଅନ୍ତି ? ଯେଉଁ ବ୍ୟକ୍ତିଙ୍କର ଆଦର୍ଶ ପାଳନ କରିବାକୁ ନେତା ଓ ସରକାର କୁଣ୍ଠିତ ତାଙ୍କ ଜନ୍ମଦିନ କାହିଁକି ଆଡ଼ମ୍ବରରେ ପାଳନ କରୁଛନ୍ତି । ଏହା ପଛର ଯୁକ୍ତି କ’ଣ ? ଲୋକଙ୍କ ଟିକସ ବାବଦ ଅର୍ଥ ଖର୍ଚ୍ଚ କରାଯାଉଛି କାହିଁକି ? କ’ଣ ସରକାର ଗାନ୍ଧୀଙ୍କ ଆଦର୍ଶ ଓ ଚିନ୍ତାଧାରାକୁ ଲାଗୁ କରାଇବାର ସାହାସ ଜୁଟାଇ ପାରୁନାହାଁନ୍ତି ?

ଭଗବାନ ବୁଦ୍ଧ ଉପଦେଶ ଛଳରେ କହିଥିଲେ ଯେଉଁ ରାଜା ସୁରା (ମଦ)କୁ ସମ୍ମାନ ଦେବ ସେ ରାଜ୍ୟର ଶିଘ୍ର ପତ୍ତନ ହୋଇଯିବ । ଗାନ୍ଧୀଙ୍କ ଆଦର୍ଶକୁ ପାଳନ ନକରି ଗାନ୍ଧୀଙ୍କ ପ୍ରତି ଯେଉଁ ଅସମ୍ମାନ ପ୍ରଦର୍ଶନ କରାଯାଉଛି ସେଥିପାଇଁ ତାଙ୍କ ଆତ୍ମା ଦୁଃଖ ପାଉଥିବ ନିଶ୍ଚୟ । ଏକଥା କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ବୁଝିବା ଉଚିତ୍ । ମହାତ୍ମାଗାନ୍ଧୀ କହୁଥିଲେ ଦେଶ ସ୍ୱାଧିନ ହେବା ପରେ ଦେଶରେ ମଦ ବନ୍ଦ କରିଦିଆଯିବ ଏବଂ ଗୋ-ହତ୍ୟା ବନ୍ଦ କରାଯିବ । ସେଇ ଗାନ୍ଧୀଙ୍କ ଦେଶରେ ଗାନ୍ଧୀଙ୍କ ଫଟୋ ଥିବା ନୋଟ (ଟଙ୍କା) ନେଇ ମଦ କିଣାଯାଉଛି ଓ ବିକ୍ରୀ କରାଯାଉଛି । ଏ ପ୍ରସଙ୍ଗରେ ଭାବିଲେ ମନେ ହେଉଛି ସତେ ଯେପରି ମଦ ମାଫିଆମାନେ ସରକାର ଚଳାଉଛନ୍ତି । ଏମାନଙ୍କ ନୋଟ୍ ଆଉ ମଦ ବୋତଲ ବଳରେ ନିର୍ବାଚନ ଲଢ଼ା ଯାଉଛି । ନିର୍ବାଚନ ବେଳେ ଲୋକଙ୍କୁ ମଦ ବଣ୍ଟା ଯାଉଛି । ଏସବୁ ଚାଲିଛି ଓ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଉଛି । ଆମେ ଭାରତୀୟମାନେ ଆତ୍ମାର ଅସ୍ତିତ୍ୱ ଅଛି ବୋଲି ବିଶ୍ୱାସ କରୁଛେ । ଏଣୁ ନିଶ୍ଚିତ ଭାବେ ଗାନ୍ଧୀଙ୍କ ଆତ୍ମା ଏସବୁ କାରଣରୁ କଷ୍ଟ ପାଉଥିବ । ଆଉ ଏକ କଥା ହେଉଛି ଯେଉଁ ଗାନ୍ଧୀ ଗୋ-ହତ୍ୟା ବନ୍ଦ ହେବା କଥା କହୁଥିଲେ ସେଇ ଗାନ୍ଧୀଙ୍କ ଦେଶ ଭାରତ ବର୍ଷ ହେଉଛି ବିଦେଶକୁ ସର୍ବାଧିକ ଗୋ-ମାଂସ ରପ୍ତାନୀ କରୁଥିବା ଦେଶ । ବିଶ୍ୱର ବିଭିନ୍ନ ଦେଶକୁ ରପ୍ତାନୀ ହେଉଥିବା ଗୋ-ମାଂସ ମଧ୍ୟରୁ ୫୮ ପ୍ରତିଶତ ଭାରତରୁ ରପ୍ତାନୀ ହୋଇଥାଏ । ଏ ଏକ ବିଚିତ୍ର ବ୍ୟବସ୍ଥା ନୁହେଁ କି ? ମାଂସହାର କମିଯାଇପାରିଲେ ମଦ ପିଇବା ଲୋକଙ୍କ ସଂଖ୍ୟା କମିପାରିଲେ ଏପରିକି ନିର୍ବାଚନରେ ମଦ ପିଆଉଥିବା ଓ ମଦ ପିଉଥିବା ଲୋକଙ୍କୁ ନିର୍ବାଚନ ଲଢ଼ିବାରୁ ବଞ୍ଚିତ କରାଯାଇ ପାରିଲେ ଗାନ୍ଧୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ନିଶ୍ଚୟ ଏବଂ ତାଙ୍କ ଆତ୍ମା ପ୍ରସନ୍ନ ହେବ ।

ବିଶ୍ୱର ସର୍ବଶ୍ରେଷ୍ଠ ବିଦ୍ୱାନ୍ ଡ଼ଃ. ରବର୍ଟ ପିୟରସନ କହିଥିଲେ ଯୁଦ୍ଧ, ଅକାଳ, ବଢ଼ି, ମହାମାରୀ ଏବଂ ଭୂକମ୍ପ କେବେ କେବେ ଘଟିଥାଏ ଓ ପ୍ରାଣହାନୀ ହୋଇଥାଏ କିନ୍ତୁ ମଦ୍ୟପାନ କରି ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥାଏ । ମୁନସୀ ପ୍ରେମଚାନ୍ଦ କହିଥିଲେ ମଦ ବ୍ୟବସାୟ କରୁଥିବା ଲୋକେ ସାଧାରଣ ଲୋକ (ମଦ୍ୟପ)ଙ୍କର ରକ୍ତ ପିଉଥିବା ଜୋକ ସଦୃଶ । ଏବେ ସରକାର ତ ଏହି କାମ କରୁଛନ୍ତି । ତେବେ କ’ଣ ନାମ ଦିଆଯାଇ ପାରିବ ? ଗାନ୍ଧୀ ଜୟନ୍ତୀରେ ଗାନ୍ଧୀଙ୍କ ପ୍ରିୟ ଭଜନ “ବୈଷ୍ଣବ ଜନ ତୋ ତେନେ କହିୟେ ଜୋ ପିର ପରାଇ ଜାନେ ରେ” ବୋଲାଯାଉଛି । କିନ୍ତୁ ପ୍ରଶ୍ନ ଉଠୁଛି “ପିର ପରାଇ” ଜାଣୁଥିବା କେତେ ଜଣ ନେତା ଏ ଦେଶରେ ଅଛନ୍ତି । ଯଦି ପିର ପରାଇ କଥା ନେତାମାନେ (ସରକାର) ବୁଝୁଥାନ୍ତେ ତେବେ ଦେଶର ଅଧାରୁ ଅଧିକ ଲୋକ ବିଶୁଦ୍ଧ ପାଣି ପିଇବାରୁ ବଞ୍ଚିତ ହୋଇନଥାନ୍ତେ ନିଶ୍ଚୟ । ସରକାରୀ ତଥ୍ୟ କହୁଛି ଦେଶର ୨୦କୋଟି ଲୋକ ରାତିରେ ନଖାଇ (ଖାଇବାକୁ ନପାଇ) ଶୋଇଥାନ୍ତି । ପ୍ରଦୂଷଣ କାରଣରୁ ବିଭିନ୍ନ ପ୍ରକାରର ରୋଗ ବ୍ୟାପୁଛି । କୁପୋଷଣ କାରଣରୁ ଅନେକ ଶିଶୁଙ୍କର ଅକାଳରେ ମୃତ୍ୟୁ ଘଟୁଛି । ବିଚରା ଗାନ୍ଧୀ ! ତାଙ୍କ ଭଜନର ‘ପିର ପରାଇ’ କଥାକୁ ଏ ଦେଶର ଶାସକ ପ୍ରଶାସକ କେହି ବୁଝୁନାହାଁନ୍ତି। ଜନୈକ ବୃଦ୍ଧାଙ୍କୁ ଅର୍ଦ୍ଧନଗ୍ନ ଅବସ୍ଥାରେ ଦେଖି ନିଜେ ଘୋଡ଼େଇ ହୋଇ ଥିବା ଚାଦରଟିକୁ ଗାନ୍ଧୀ ବୃଦ୍ଧାଙ୍କୁ ଦେଇଦେଇଥିଲେ । ଗାନ୍ଧୀଙ୍କ ସେ କଥାକୁ କିଏ ମନେ ରଖିଛି ? ଦେଶରେ ଏବେବି ଅନେକ ବସ୍ତ୍ର ହୀନ, ବାସ ହୀନ ଓ ଭୂମିହୀନ ଲୋକ ଅଛନ୍ତି ହେଲେ ତାଙ୍କ କଥା ବୁଝିବାକୁ କାହାକୁ ବେଳ ନାହିଁ ।

ଏକ ସର୍ବେକ୍ଷଣ ସଂସ୍ଥାର ତଥ୍ୟ ଅନୁସାରେ ସାରା ବିଶ୍ୱରେ ୩୦ଲକ୍ଷ କୋଟି ଟଙ୍କାର ନିଶାଦ୍ରବ୍ୟର କାରବାର ହୋଇଥାଏ । ଆମ ଦେଶର ୨୦ପ୍ରତିଶତ ଲୋକ ମଦ୍ୟପାନ କରିଥାନ୍ତି ଅଥବା ଅନ୍ୟ ନିଶାଦ୍ରବ୍ୟ ସେବନ କରିଥାନ୍ତି । ଦେଶର ଯୁବକ ଓ ଯୁବତୀମାନେ ମଧ୍ୟ ନିଶା ସେବନ କରୁଥିବାର ଜଣାପଡ଼ିଛି । ମୁମ୍ବାଇର ଗ୍ଲେମର ଦୁନିଆର ଲୋକେ ନିଶା ବ୍ୟବସାୟ କରୁଥିବାର ଅଭିଯୋଗ ହେବାପରେ ଏବେ ଏହାର ତଦନ୍ତ ଆରମ୍ଭ ହୋଇଛି । ଏସବୁରୁ ସ୍ପଷ୍ଟ ଯେ ଗାନ୍ଧୀଙ୍କ ଦେଶ ଏବେ ନିଶାଦ୍ରବ୍ୟର ଦେଶରେ ପରିଣତ ହେବାକୁ ଯାଉଛି । ଏହା ଏକ ଦୁଃଖଦ ଘଟଣା । ଏଣୁ ଗାନ୍ଧିଜୀଙ୍କ କଥା କହୁଥିବା ଓ ଗାନ୍ଧିଜୀଙ୍କୁ ଆଦର୍ଶ ବୋଲି ମାନୁଥିବା ଲୋକେ ନିଶାଦ୍ରବ୍ୟ ଓ ଏହାର କାରବାରକୁ ରୋକିବା ଦିଗରେ ପଦକ୍ଷେପ ନେଲେ ଗାନ୍ଧୀଙ୍କ ଆତ୍ମାକୁ ଶାନ୍ତି ମିଳନ୍ତା ଓ ତାହା ହୁଅନ୍ତା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।

ରାମଚନ୍ଦ୍ରପୁର, ରଣପୁର,
ମୋ.-୯୪୩୮୪୮୫୦୯୪

ମତାମତ ଦିଅନ୍ତୁ ।