ଗର୍ଭବତୀଙ୍କୁ ୩ କି.ମି ଚଳାଇ ମହିଳା ପୋଲିସ ଅଧିକାରୀ ‌ନିଲମ୍ବିତ ‌

ଉଦଳା : ହେଲମେଟ ଚେକିଂ ଆଳରେ ଜଣେ ଗର୍ଭବତୀ ମହିଳାଙ୍କୁ ତିନି କିଲୋମିଟର ଥାନାକୁ ଚଳାଇ ନେବା ଘଟଣାରେ ଥାନା ଅଧିକାରୀ ରୀନା ବକ୍ସଲା ନିଲମ୍ବିତ। ମୟୂରଭଞ୍ଜ ଏସ୍‌ପି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଖବର ଅନୁଯାୟୀ ଶରତ ଅଂଚଳର ବିକ୍ରମ ବିରୁଲି ଗତକାଲି ୮ ମାସର ଗର୍ଭବତୀ ପତ୍ନୀ ଗୁରୁବାରୀଙ୍କୁ ବାଇକ୍‌ରେ ନେଇ ଚେକଅପ‌୍‍ ପାଇଁ ଉଦଳା ଯାଉଥିଲେ। ଶରତ ଛକ ନିକଟରେ ସ୍ଥାନୀୟ ପୋଲିସର ବିକ୍ରମଙ୍କ ହେଲମେଟ ଚେକିଂ ସହ ଗାଡିର କାଗଜପତ୍ର ଯାଂଚ କରିଥିଲା। ବିକ୍ରମ ହେଲମେଟ ପିନ୍ଧିଥିଲେ ଓ ଗାଡିର ସମସ୍ତ କାଗଜପତ୍ର ମଧ୍ୟ ଠିକ‌୍‍ ଥିଲା। ହେଲେ ପତ୍ନୀ ଗୁରୁବାରୀ ହେଲମେଟ ପିନ୍ଧି ନ ଥିବାରୁ ପୋଲିସ ଚାଲାଣ କାଟିଥିଲା। ବିକ୍ରମ କହିଥିଲେ ଅନଲାଇନ୍‌ରେ ଚାଲାଣ ପଇଠ କରିବେ। କିନ୍ତୁ ଏହି କଥାକୁ ନେଇ ଶରତ ଥାନା ଅଧିକାରୀ ରୀନା ବକ୍ସଲାଙ୍କ ସହିତ ବିକ୍ରମଙ୍କର ଯୁକ୍ତିତର୍କ ହୋଇଥିଲା। ଏହାପରେ ବିକ୍ରମଙ୍କ ଗାଡିକୁ ହେପାଜତକୁ ନେଇ ପୋଲିସ ତାଙ୍କୁ ଥାନାକୁ ନେଇଯାଇଥିଲା। ହେଲେ ରାସ୍ତାରେ ବିକ୍ରମଙ୍କ ଗର୍ଭବତୀ ପତ୍ନୀକୁ ଏକୁଟିଆ ଛାଡି ପୋଲିସ ଚାଲିଯାଇଥିଲା।

ବିକ୍ରମଙ୍କ ପତ୍ନୀ ପୋଲିସ ଗାଡିରେ ଥାନାକୁ ଯିବାକୁ ନେହୁରା ହୋଇଥିଲେ ମଧ୍ୟ କେହି ଶୁଣି ନ ଥିଲେ। ପୋଲିସ ବିକ୍ରମଙ୍କୁ ପ୍ରାୟ ୩ଘଣ୍ଟା ଥାନାରେ ବସାଇଥିବାରୁ ତାଙ୍କ ପତ୍ନୀ ୩ କିଲୋମିଟର ଚାଲି ଚାଲି ଶରତ ଥାନାକୁ ଯାଇଥିଲେ। ଏନେଇ ବିକ୍ରମ ଉପଖଣ୍ଡ ପୋଲିସ‌୍‍ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏସ୍‌ଡିପିଓ ମୟୂରଭଞ୍ଜ ଏସ୍‌ପି ପରମାରସ୍ମିତ ପୁରୁଷୋତ୍ତମ ଦାସଙ୍କୁ ଘଟଣା ସମ୍ପର୍କରେ ଅବଗତ କରିବାରୁ ସେ ତଦନ୍ତ ପାଇଁ ଆଡିସନାଲ ଏସ୍‌ପିଙ୍କୁ ଦାୟିତ୍ୱ ଦେଇଥିଲେ। ଗତ ରାତିରେ ଆଡିସନାଲ ଏସ୍‌ପି ଶରତ ଥାନାରେ ପହଞ୍ଚି ତଦନ୍ତ କରି ରିପୋର୍ଟ ଦେବା ପରେ ଏସ୍‌ପି ଶରତ ଥାନା ଅଧିକାରୀ ରୀନା ବକ୍ସଲାଙ୍କୁ ନିଲମ୍ବନ କରିଛନ୍ତି। ଏଥିସହ କପ୍ତିପଦା ଥାନା ଆଇଆଇସି ସଞ୍ଜୟ ପ୍ରଧାନଙ୍କୁ ଶରତ ଥାନା ଦାୟିତ୍ୱ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button