Breaking Newsରାଜ୍ୟ

ଘରେ ରହି ଚିକିତ୍ସିତ ହେବେ କରୋନା ଆକ୍ରାନ୍ତ

ଭୁବନେଶ୍ୱର : କରୋନା ଲକ୍ଷଣ ନଥିବା ରୋଗୀଙ୍କୁ ଏଣିକି ହୋମ୍ ଆଇସୋଲେସନରେ ରହିବାକୁ ଅନୁମତି ମିଳିବ। ଆଜି ଏହି ସୂଚନା ଦେଇଛନ୍ତି ମୁଖ୍ୟଶାସନ ସଚିବ ଅସିତ ତ୍ରୀପାଠୀ।

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏହାକୁ ଦୃଷ୍ଟିରେ ଦେଖି ରାଜ୍ୟ ସରକାର ନୂଆ କୋଭିଡ ପରିଚାଳନା ରଣନୀତି ଆରମ୍ଭ କରିବାକୁ ଯାଉଛନ୍ତି। ଯେଉଁ କରୋନା ଆକ୍ରାନ୍ତଙ୍କ ଶରୀରରେ ସାମାନ୍ୟ ଲକ୍ଷଣ ବା ଲକ୍ଷଣ ପ୍ରକ‌ାଶ ପାଉ ନଥିବ ସେମାନେ ନିଜ ଘରେ ସମସ୍ତ ନିୟମ ମାନି ଆଇସୋଲେସନରେ ରହି ପାରିବେ। ସୋମବାର ଗଣମାଧ୍ୟମକୁ ମୁଖ୍ୟ ସଚିବ ଶ୍ରୀ ତ୍ରୀପାଠୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଲକ୍ଷଣ ନଥିବା ବା ସାମାନ୍ୟ ଲକ୍ଷଣ ଥିବା କରୋନା ରୋଗୀଙ୍କୁ ଗୁରୁତର ଯତ୍ନ ସୁବିଧା ଦେବାର ଆବଶ୍ୟକତା ନାହିଁ। ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହା କହିସାରିଛି। ଲକ୍ଷଣ ନଥିବା ବା ସାମାନ୍ୟ ଲକ୍ଷଣ ଥିବା କରୋନା ରୋଗୀ ଆଇସୋଲେସନରେ ରହିବା ସହିତ ନିଜର ସଠିକ ଯତ୍ନ ନେଇ କରୋନାରୁ ମୁକ୍ତ ହୋଇପାରିବେ। ଯଦି ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଏ ତେବେ ଦରକାର ଥିବା କରୋନା ରୋଗୀଙ୍କୁ ସଠିକ ଚିକିତ୍ସା ଯୋଗାଇ ଦେବାରେ ସମସ୍ୟା ଉପୁଜିବ।

ମୁଖ୍ୟ ସଚିବ କହିଲେ ଆମ ପାଖରେ ଥିବା ସମ୍ବଳର ସଠିକ ବିନିଯୋଗ କରିବାକୁ ଯାଇ ଏବେ ଆମେ ଲକ୍ଷଣ ନଥିବା ବା ସାମାନ୍ୟ ଲକ୍ଷଣ ଥିବା କରୋନା ରୋଗୀଙ୍କୁ ହୋମ୍ ଆଇସୋଲେସନ ପାଇଁ ଅନୁମତି ଦେବୁ। ଏହି ସୁବିଧା ପ୍ରଥମେ ସହରାଞ୍ଚଳ, ଜିଲ୍ଲା ମୁଖ୍ୟାଳୟ ଓ ବ୍ଲକ ମୁଖ୍ୟାଳୟରେ ଦିଆଯିବ। ଏ ନେଇ ରାଜ୍ୟ ସରକାରଙ୍କ ନିକଟକୁ ବହୁ ଅନୁ‌ରୋଧ ଆସିଥିଲା ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ସେ କହିଲେ କିଛି ଲୋକ ଘରଠାରୁ ଦୂରରେ ରହିବା ଭୟରେ କରୋନା ଲକ୍ଷଣକୁ ଲୁଚାଇବାକୁ ଚେଷ୍ଟା କରୁଥିବା ଘଟଣା ସରକାରଙ୍କ ନଜରକୁ ଆସିଛି। ହୋମ ଆଇସୋଲେସନର ସୁବିଧା ମିଳିବା ଦ୍ୱାରା ଲୋକେ ନିଜ ପରିବାର ଲୋକଙ୍କ ପାଖରେ ରହି ଖୁବ ଶୀଘ୍ର ସୁସ୍ଥ ହୋଇପାରିବେ। କେବଳ ୧୧୪ଟି ସହରାଞ୍ଚଳର ସ୍ଥାନୀୟ ସଂସ୍ଥା, ଜିଲ୍ଲା ମୁଖ୍ୟାଳୟ, ଉପ-ବିଭାଗୀୟ ସହର ଓ ବ୍ଲକ୍ ମୁଖ୍ୟାଳୟ ସମେତ ପ୍ରଥମ ପର୍ଯ୍ୟାୟରେ ହୋମ ଆଇସୋଲେସନ ପ୍ରଯୁଜ୍ୟ ହେବ ବୋଲି ସେ କହିଛନ୍ତି।

ମୁଖ୍ୟ ସଚିବ କହିଲେ ହୋମ୍ ଆଇସୋଲେସନରେ ରହିବା ପାଇଁ ସର୍ତ୍ତ ମାନିବାକୁ ପଡିବ। ହୋମ୍ ଆଇସୋଲେସନ ସୁବିଧା ଥିଲେ ଘରେ ରହିବାକୁ ମିଳିବ ଅନୁମତି। ତେବେ ହୋମ୍ ଆଇସୋଲେସନ ବ୍ୟକ୍ତି ପାଇଁ ସମସ୍ତ ଚିକିତ୍ସା ସରକାର ଯୋଗାଇ ଦେବେ। ପିପିଇ କିଟ୍ ଠାରୁ ଔଷଧ ପର୍ଯ୍ୟନ୍ତ ସବୁ ଦେବେ ସରକାର। ଏମିତିକି ଖାଦ୍ୟ ଭତ୍ତା ମଧ୍ୟ ଦିଆଯିବ। ହେଲେ ଏଚଆଇଭି ରୋଗୀ ଓ ଅଙ୍ଗ ପ୍ରତିରୋପଣ କରିଥିବା ବ୍ୟକ୍ତିଙ୍କୁ ଏଥିପାଇଁ ଅନୁମତି ମିଳିବନି। ସେହିପରି କ୍ୟାନ୍ସର, ହୃଦରୋଗୀ, ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ହୋମ୍ ଆଇସୋଲେସନ ଅନୁମତି ମିଳିବନି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ମତାମତ ଦିଅନ୍ତୁ ।

Back to top button