ଗ୍ରୀଷ୍ମ ପ୍ରବାହ ଜାରି, ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ୪୮ ଘଣ୍ଟା ମଧ୍ୟରେ ଦିନର ତାପମାତ୍ରା ୨ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସେଥିପାଇଁ ପାଣିପାଗ ବିଭାଗ ଏପ୍ରିଲ୍ ୨ ତାରିଖ ପର୍ଯ୍ୟନ୍ତ ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି।
ମଙ୍ଗଳବାର ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଥିବା ଜିଲ୍ଲା ଗୁଡିକ ମଧ୍ୟରେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ବରଗଡ଼, ଅନୁଗୋଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ରହିଛି।
ସେହିପରି କୁହାଯାଇଛି ୩ ତାରିଖରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିପାରେ। ଏପ୍ରିଲ୍ ୩ରୁ ୪ ତାରିଖ ଭିତରେ ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। ବିଶେଷକରି ଉପକୂଳବର୍ତ୍ତୀ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ରାୟଗଡ଼ା ଓ କୋରାପୁଟରେ ବର୍ଷା ହେବାର ସମ୍ଭାବନା ରହିଛି। ଏହାଛଡା ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଓ କୋରାପୁଟରେ ଘଡ଼ଘଡ଼ି ଓ ବିଜୁଳି ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନର ବୋହିବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି।