ଗୃହରେ ଅଚଳାବସ୍ଥା ଦୂର ପାଇଁ ବିଜେପି ବିଧାୟକଙ୍କୁ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ବିଧାନସଭା ୫ ଦିନ ହେଲା ଅଚଳ। ସ୍ଵାଭାବିକ ହୋଇପାରୁନି ଗୃହ। ଏହି ଅଚଳାବସ୍ଥା ଦୂର କରିବା ନିମନ୍ତେ ବିରୋଧୀ ଦଳ ନେତା ଓ ବିଜେପି ବିଧାୟକମାନେ ଆଜି ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଦାବି କରିଛନ୍ତି। ଏ ଦିଗରେ ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ଗୁରୁବାର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ଵରେ ବିଜେପିର ବିଧାୟକମାନେ ନବୀନ ନିବାସରେ ପହଞ୍ଚିଥିଲେ। ଗେଟ ବନ୍ଦ ଥିବାରୁ ସେମାନେ ସେଠାରେ ଧାରଣାରେ ବସିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ନିକଟକୁ ଆସି ଆଲୋଚନା ଲାଗି ନିମନ୍ତ୍ରଣ କରିଥିଲେ। ବିରୋଧୀ ଦଳ ନେତା ଓ ବିଜେପି ବିଧାୟକଙ୍କ ସହ ଆଲୋଚନା କରି ଗୃହକୁ ପୁଣି ସ୍ଵାଭାବିକ କରିବା ଦିଗରେ ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏହାଛଡା ନବୀନ ନିବାସ ଯାଇଥିବା ବିଜେପି ବିଧାୟକ ଟିମକୁ ମହିଳା ବିଜେଡି ପକ୍ଷରୁ ସେଠାରେ ଶଙ୍ଖ ଫୁଙ୍କି ସ୍ୱାଗତ କରାଯାଇଥିଲା।

ନବୀନ ନିବାସରୁ ବାହାରି ଆଲୋଚନା ସଫଳ ହୋଇଛି କହିଛନ୍ତି ବିଜେପି ବିଧାୟକ। ମୁଖ୍ୟମନ୍ତ୍ରୀ ଗୃହକୁ ଆସିବା ସହ ମଣ୍ଡିରୁ ସମସ୍ତ ଧାନ ଉଠିବା ନେଇ ବିଜେପି ଦାବି କରିଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ରାଜି ହୋଇଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି। ବିଧାନସଭା କିଭଳି ସୁରୁଖୁରୁରେ ଚାଲିବ ବାଚସ୍ପତିଙ୍କ ସହ ଆଲୋଚନା କରି ସର୍ବଦଳୀୟ ବୈଠକ ଡାକିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ଅନ୍ୟପକ୍ଷରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି ଓଡ଼ିଶା ରାଜନୀତି ଇତିହାସରେ ଏହା ପ୍ରଥମ। ସେହିପରି ପ୍ରଦୀପ୍ତ ନାଏକ କହିଲେ ମୁଖ୍ୟମନ୍ତ୍ରୀ ଡାକିନଥିଲେ ଆମେ ଭିତରକୁ ଯାଇ ନଥାନ୍ତୁ। ମୁଖ୍ୟମନ୍ତ୍ରୀ ଡାକିବାରୁ ଯାଇଥିଲୁ। କିନ୍ତୁ ମନ୍ତ୍ରୀ ପ୍ରତାପ ଜେନା ଯେଉଁ ବୟାନ ଦେଇଛନ୍ତି ସେଥିପାଇଁ କ୍ଷମା ମାଗିବା ଉଚିତ ବୋଲି ସେ କହିଛନ୍ତି। ବିଜେପିର ନବୀନ ନିବାସ ଯାତ୍ରାକୁ ନେଇ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ନବୀନ ନିବାସ ହେଉଛି ପବିତ୍ର ସ୍ଥଳ। ଏଠାକୁ ଆସିଲେ ବିରୋଧୀ ଦଳ ନେତାଙ୍କର ପାପ ଧୋଇଯିବ।

କେବଳ ବିଜେପି ନୁହେଁ ଗୃହରେ ଅଚଳାବସ୍ଥା ଜାରି ରହିଥିବାରୁ ବିଜେଡି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବାହାରିଥିଲା। ଦାବି ଥିଲା ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗୃହରେ ଆତ୍ମହତ୍ୟା ଉଦ୍ୟମ କରି ଭୁଲ କରିଛନ୍ତି। ଗୃହର ଗାରିମା କ୍ଷୂର୍ଣ୍ଣ ହୋଇଛି। ସେ କ୍ଷମା ପ୍ରାର୍ଥନା ନ କରିବା ପାର୍ଯ୍ୟନ୍ତ ଗୃହ ଚଳାଇଦେବୁ ନାହୁଁ। ତେବେ ବିଜେଡି ସଦସ୍ୟମାନେ ଲୋକସେବା ଭବନ ଅଭିମୁଖେ ଯାଇ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ଆଲୋଚନା କରିଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *

Back to top button